Photo For The News Of School

ସରକାରୀ ନିର୍ଦ୍ଦେଶକୁ ୫ବର୍ଷ ପୂରିଲା, ଶିକ୍ଷାନୁଷ୍ଠାନରେ ସୁଧୁରୁନି ସୁରକ୍ଷା ବ୍ୟବସ୍ଥା; ଚିନ୍ତାରେ ଅଭିଭାବକ

State

ଆଗରପଡ଼ା :ଗତ ନଭେମ୍ବର ୨୦୧୮ ମସିହାରୁ ସରକାରୀ ବିଦ୍ୟାଳୟର ପାଚେରୀ ନିର୍ମାଣ, ପରିତ୍ୟକ୍ତ ଗୃହ ଓ ପୁରାତନ ଗୃହ ଆଦିର ଦାଇତ୍ୱ ସରକାର ପଂଚାାୟତରାଜ ବିଭାଗକୁ ହସ୍ତାନ୍ତର କରିଥିଲେ । ସରକାରଙ୍କ ନିର୍ଦ୍ଦେଶକୁ ଇତି ମଧ୍ୟରେ ୫ବର୍ଷ ପୂରିସାରି ଥିବା ବେଳେ ବିଭାଗ ତରଫରୁ ସେହିଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଶିକ୍ଷାନୁଷ୍ଠାନ ପରିବେଶରେ କୌଣସି ଉନ୍ନତି ପରିଲକ୍ଷିତ ହୋଇପାରୁନାହିଁ । ସରକାରୀ ବିଦ୍ୟାଳୟ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଓ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁ ନାହିଁ । ବିଭିନ୍ନ ପ୍ରକାର ସମସ୍ୟାରେ ଜର୍ଜ୍ଜରୀତ ଏହି ସରକାରୀ ବିଦ୍ୟାଳୟର ମୁଖ୍ୟ ସମସ୍ୟା ହେଉଛି ଏହାର ସୁରକ୍ଷା । ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବିଦ୍ୟାଳୟ ଗୁଡ଼ିକର ସୁରକ୍ଷା ପାଇଁ ସରକାର କୈାଣସି ବ୍ୟବସ୍ଥା ଗ୍ରହଣ କରୁନଥିବାରୁ ଅନ୍ୟ ସମସ୍ୟା ସହ ସୁରକ୍ଷା ଦୃଷ୍ଟିରୁ ଅଭିଭାବକମାନେ ବେସରକାରୀ ବିଦ୍ୟାଳୟ ପ୍ରତି ନିଜର ଆଗ୍ରହ ପ୍ରକାଶ କରୁଥିବାର ଅନୁସନ୍ଧାନରୁ ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ପାଖାପାଖି ୭୦ଟି ପ୍ରାଥମିକ ବିଦ୍ୟାଳୟ, ୫୯ଟି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ୧୧ଟି ୟୁଜିଏମଇ ବିଦ୍ୟାଳୟ, ୯ଟି ୟୁପିଏମଇ ବିଦ୍ୟାଳୟ, ୪ଟି ଏମଇ ବିଦ୍ୟାଳୟ , ୧୨ଟି ପିୟୁପିଏସ ବିଦ୍ୟାଳୟ ଓ ୩୮ଟି ଏନୟୁପିଏସ ଏହିପରି ଭାବରେ ପ୍ରାୟ ୨୦୩ଟି ସରକାରୀ ବିଦ୍ୟାଳୟ ରହିଅଛି । ତମ୍ନଧ୍ୟରୁ ସରକାରଙ୍କ ନୂତନ ନିୟମ ଅନୁସାରେ କିଛି ବିଦ୍ୟାଳୟ ଅନ୍ୟ ବିଦ୍ୟାଳୟ ସହ ମିଶି ଯାଇଥିବାରୁ ବର୍ତ୍ତମାନ ପାଖାପାଖି ୧୯୫ଟି ବିଦ୍ୟାଳୟରେ ଶିକ୍ଷାଦାନ ଚାଲୁଅଛି । ବିଭିନ୍ନ ପ୍ରକାର ସମସ୍ୟାକୁ ଆକଳନକୁ ନେଲେ ପାଖାପାଖି ଶତକଡ଼ା ୭୦ ଭାଗ ବିଦ୍ୟାଳୟର ସୁରକ୍ଷା ଅତି ସଙ୍କଟାପନ୍ନ ଅବସ୍ଥାରେ ଦଣ୍ଡାୟମାନ । ଯେପରିକି ବିଭିନ୍ନ ସ୍ଥାନର ମୁଖ୍ୟ ରାସ୍ତା ପାଖରେ ପ୍ରତିଷ୍ଠିତ ହୋଇଥିବା ଅନେକ ବିଦ୍ୟାଳୟର ସ୍ଥାୟୀ ପାଚେରୀ ନଥିବା ବେଳେ କିଛି ବିଦ୍ୟାଳୟରେ ପରିତ୍ୟକ୍ତ ଗୃହମାନ ବିପଦ ଶଙ୍କୁଳ ଅବସ୍ଥାରେ ଅଛି । ସ୍କୁଲ ଗୁଡ଼ିକରୁ ତୁରନ୍ତ ବିପଦ ଶଙ୍କୁଳ ଭଙ୍ଗାଗୃହ ତଥା ପରିତ୍ୟକ୍ତ ଗୃହ ଗୁଡ଼ିକୁ ଭାଙ୍ଗିବାର ବ୍ୟବସ୍ଥା କରାଯିବା ସହ ଏକ ସୁଦ୍ଧ ପରିବେଶ ସୃଷ୍ଟି କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କ ପକ୍ଷରୁ ଦାବି ହେଉଛି । ଆହୁରି କିଛି ବିଦ୍ୟାଳୟର ଗୃହ ଗୁଡ଼ିକ ମରାମତି ଅଭାବରୁ ସଂକଟାପନ୍ନ ଅବସ୍ଥାରେ ଅଛି । କେଉଁଠି ପରିଶ୍ରାଗାର ନଥିବାବେଳେ କେଉଁଠି ଖୋଲା ଆକାଶ ତଳେ ମଧ୍ୟାହ୍ନ୍ନ ଭୋଜନ କାର୍ଯ୍ୟ ସଂପାଦନ ହେଉଛି । ଏହିପରି ବହୁ ସମସ୍ୟା ଓ ଅସୁରକ୍ଷିତ ଅବସ୍ଥାରେ ଶିକ୍ଷା ଦାନ ଚାଲିଛି ।

ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ମାଗଣା ପୋଷାକ, ଜୋତା, ପୁସ୍ତକ, ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ପ୍ରଚଳନ କରିଥିଲେ ସୁଦ୍ଧା ପିଲାମାନଙ୍କର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉ ନଥିବାରୁ ଅଭିଭାବକମାନେ ଏହି ବିଦ୍ୟାଳୟରେ ପିଲାମାନଙ୍କୁ ପଢାଇବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଜଣାପଡ଼ିଛି । ମୁଖ୍ୟ ରାସ୍ତା ପାଖରେ ଥିବା ବିଦ୍ୟାଳୟ ଗୁଡ଼ିକରେ କୈାଣସି ସ୍ଥାୟୀ ପାଚେରୀ ନଥିବାରୁ ଅସାମାଜିକ ବ୍ୟକ୍ତିମାନଙ୍କ ସମେତ ଗୋରୁଗାଈ,ଷଣ୍ଢ ମାନଙ୍କର ଅବାଧ ପ୍ରବେଶ ଘଟୁଥିବାରୁ ଏହାର ଶୈକ୍ଷିକ ପରିବେଶ ନଷ୍ଟ ହେବା ସହ ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ସେହିପରି କୈାଣସି ସ୍ଥାୟୀ ପାଚେରୀ ନଥିବାରୁ ବିଦ୍ୟାଳୟରେ ରାଜ୍ୟ ସଭା ସାଂସଦଙ୍କ ଦ୍ୱାରା ପ୍ରଦତ୍ତ କଂପ୍ୟୁଟର ଗୁଡ଼ିକର ସୁରକ୍ଷା ମଧ୍ୟ ହୋଇପାରୁ ନାହିଁ । ବିଭିନ୍ନ ସମୟରେ ବିଭିନ୍ନ ବିଦ୍ୟାଳୟରୁ ଏଗୁଡ଼ିକ ଚୋରୀ ହୋଇଯାଉଥିବାର ନଜିର ମଧ୍ୟ ରହିଛି । ତେଣୁ ସରକାର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣୁଥିଲେ ମଧ୍ୟ ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ ହୋଇପଡ଼ିଛି । ବର୍ତ୍ତମାନ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ଯୋଜନାରେ ବିଦ୍ୟାଳୟ ରୂପାନ୍ତକରଣର ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ବ୍ଲକର ବହ ୁବିଦ୍ୟାଳୟର ରୂପରେଖରେ ପରିବର୍ତ୍ତନ ହେଉଥିବାର ଜଣାପଡ଼ିଛି । ତେଣୁ ବିଭାଗୀୟ ଅଧିକାରୀ ସରକାରଙ୍କ ଯୋଜନାର ସଫଳ ରୂପାୟନ କରିବା ସହ ବହୁ ବିଦ୍ୟାଳୟର ସୁରକ୍ଷାରେ ଲାଗିରହିଥିବା ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ଚଳନ୍ତି ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନର କରିବା ପାଇଁ ଚେଷ୍ଟିତ ହେବାକୁ ଅଭିଭାବକମାନଙ୍କ ସହ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।