Img 20240828 Wa0294

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦର ବୈଠକ ଅନୁଷ୍ଠିତ

State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡ଼ା ପରିଷଦର ଉପଦେଷ୍ଟା ଏବଂ କାର୍ଯ୍ୟକାରୀ ସମିତିର ଏହି ଅଧିବେଶନରେ ୨୦୨୪-୨୫ ପାଇଁ କ୍ରୀଡ଼ା ନିମନ୍ତେ ପ୍ରସ୍ତୁତି ସହ ଏହାର ସୁପରିଚାଳନା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କ୍ରୀଡ଼ା ଶିକ୍ଷକଙ୍କ ଏହି ସମାବେଶକୁ ସମ୍ବୋଧିତ କରି କୁଳପତି ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପାଇଁ ପ୍ରୋତ୍ସାହନ ସହ ତୃଣମୂଳ ସ୍ତରରେ ଯୁବପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ଲାଗି ଆହ୍ୱାନ କରିଥିଲେ । ଏଥିସହିତ ଫୁଟ୍‌ବଲ୍‌, କବାଡ଼ି, ତୀରନ୍ଦାଜ ପାଇଁ କ୍ରୀଡ଼ା ଶିକ୍ଷକ ଏବଂ ମହାବିଦ୍ୟାଳୟମାନେ ତତ୍ପର ହେବା ସହିତ ଜାତୀୟ ସ୍ତରରେ ପ୍ରତିଯୋଗୀମାନଙ୍କୁ ପ୍ରସ୍ତୁତ କରିବା ଲାଗି କହିଥିଲେ । ଏଥିଲାଗି ଆବଶ୍ୟକୀୟ ଭିତ୍ତିଭୂମି, ପରିଚାଳନା ବ୍ୟବସ୍ଥା ଓ ପ୍ରୋତ୍ସାହନ ନିମନ୍ତେ ଆବଶ୍ୟକ ସହଯୋଗ ଓ ଅର୍ଥ ମଧ୍ୟ ବିଶ୍ୱବିଦ୍ୟାଳୟ ଯୋଗାଇଦେବ ବୋଲି ସେ ସୂଚନା ପ୍ରଦାନ କରିଥିଲେ । ଏହ୍ତି ଅଧିବେଶନରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସହଦେବ ସମାଧିଆ, ପରୀକ୍ଷା ନିୟନ୍ତ୍ରକ ସୁବ୍ରତ କୁମାର ରଣା, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ପ୍ରମୁଖ ଯୋଗ ଦେଇଥିଲେ । କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ଚଳିତବର୍ଷର କ୍ରୀଡ଼ା ଆୟୋଜନ ଓ ବିଭିନ୍ନ କ୍ରୀଡ଼ାର ସଫଳ ପରିଚାଳନା ନିମନ୍ତେ ଉପସ୍ଥିତ ମହାବିଦ୍ୟାଳୟ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରିଥିବାବେଳେ ସ୍ନାତକୋତ୍ତର ଆଥ୍‌ଲେଟିକ୍‌ କ୍ଲବ୍‌ର ଉପସଭାପତି ପ୍ରଫେସର ବିଶ୍ୱଜିତ ରଥ ତାଙ୍କର ମତାମତ ବ୍ୟକ୍ତ କରିଥିଲେ । ଆଗନ୍ତୁକ ପ୍ରତିନିଧିମାନେ ଚଳିତବର୍ଷର କ୍ରୀଡ଼ାର ପ୍ରସ୍ତୁତି ଓ ସୁପରିଚାଳନା ନିମନ୍ତେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ । ଅଧିବେଶନ ଶେଷରେ କ୍ରୀଡ଼ା ପରିଷଦର ଉପନିର୍ଦ୍ଦେଶକ ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।