Whatsapp Image 2024 08 20 At 3.06.33 Pm

“ପ୍ରତିଶ୍ରୁତି“ ପକ୍ଷରୁ ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ

State

ବାରିପଦା : ଦୀର୍ଘ ୪୨ ବର୍ଷ ଧରି ଭାଗବତ ପଣ୍ଡାଙ୍କ ସମ୍ପାଦନାରେ ମୟୂରଭଞ୍ଜର ବାରିପଦାରୁ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତି ମୂଳକ ପତ୍ରିକା “ପ୍ରତିଶ୍ରୁତି” ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ସ୍ଥାନୀୟ ରୋଟାରୀ କ୍ଲବ ଅଫ୍ ହେରିଟେଜ, ବାରିପଦାଠାରେ କବୟିତ୍ରୀ ଗୀତାରାଣୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅଧ୍ୟାତ୍ନତତ୍ତ୍ୱବିତ୍ ତଥା ଗୀତା ବ୍ୟାଖ୍ୟାକାର ଡା. ପାର୍ଥ ସାରଥୀ ଜେନା ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ତଥା ସୁପ୍ରବଚକ ଭାଗବତ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ପଣ୍ଡା ତାଙ୍କ ଅଭିଭାଷଣରେ ଦାରିଦ୍ର‌୍ୟର କଷାଘାତ ତଥା ଅଶେଷ ଦୁଃଖ ଯନ୍ତ୍ରଣା ଭିତରେ କବିତାର ସ୍ଫୁରଣ ଘଟିଥାଏ ଯାହା କାଳକାଳକୁ କବିଙ୍କୁ ବଞ୍ଚାଇ ରଖେ ବୋଲି କହିବା ସହିତ ତାଙ୍କର ତପସ୍ୱିନୀ, ପ୍ରଣୟବଲ୍ଲରୀ ଓ ଇନ୍ଦୁମତୀ କାବ୍ୟର ବିଭିନ୍ନ ପଂକ୍ତିକୁ ଉଦ୍ଧାର କରି ଓଡ଼ିଆ ଭାଷା ସାହିତ୍ୟର ନବଜାଗରଣର ଦ୍ୱିତୀୟ ପର୍ବରେ ସେ କିପରି ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ ତାହା ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଡା. ଜେନା କବିଙ୍କର କୀଚକବଧ, ଉତ୍କଳଲକ୍ଷ୍ମୀ ପ୍ରଭୃତି କାବ୍ୟର ପ୍ରକୃତି ବର୍ଣ୍ଣନା କରିବା ସହିତ ଓଡ଼ିଆ ଅସ୍ମିତାର ଜୀବନ୍ତ ଆଲେଖ୍ୟ କିପରି ପୁରି ରହିଛି ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ପ୍ରଦୀପ କୁମାର ନାୟକ, କବୟିତ୍ରୀ ସୁଧାମୟୀ ଦାସ, ଭଗବତୀ ଦାଶ ପ୍ରମୁଖ କବିଙ୍କର କାବ୍ୟକୃତି ସମ୍ପର୍କରେ ସ୍ୱୀୟ ମତ ବ୍ୟକ୍ତ କରିଥିଲେ । ସଭାପତି ଶ୍ରୀମତୀ ସାହୁ କବିଙ୍କର ପ୍ରକୃତି ପ୍ରୀତି ଓ ଲଳିତ ଶବ୍ଦ ସଂଯୋଜନା ତାଙ୍କର କାବ୍ୟ ସମୁହକୁ ପାଠକମାନଙ୍କ ନିକଟରେ ଆଦୃତ କରିଥିବାର ବହୁ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ । ପରିଶେଷରେ ଅଚ୍ୟୁତ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।