Bharat 750x430

ଭାରତ ବନ୍ଦ ଡାକରା: ରେଳ ବାଧାପ୍ରାପ୍ତ

State

ଭୁବନେଶ୍ବର: ଆଜି ଭାରତ ବନ୍ଦ । ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟର ଲାଗୁ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି  । ଏହାକୁ ନେଇ ଦଳିତ ଓ ଆଦିବାସୀ ସଂଗଠନ ଭାରତ ବନ୍ଦ ପାଳନ କରୁଛି । ଯାହାର ପ୍ରଭାବ ପୂରା ଦେଶରେ ନଥିଲେ ମଧ୍ୟ ଏଥିରେ କିଛି ସ୍ଥାନର ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଅନ୍ୟ ପକ୍ଷରେ ଏହି ଆହ୍ବାନକୁ ସମାଜବାଦୀ ପାର୍ଟି, ଆରଜେଡି ଓ ଚନ୍ଦ୍ରଶେଖରଙ୍କ ଆଜାଦ ସମାଜବାଦୀ ପାର୍ଟି ସମେତ ଅନ୍ୟ କେତେକ ରାଜନୈତିକ ଦଳ ଏହାକୁ ସମର୍ଥନ କରିଛନ୍ତି । ତେଣୁ ଏହାର ପ୍ରଭାବ ବିହାରରେ ଅଧିକ ଦେଖିବାକୁ ମିଳିଛି । ବିହାରର ଅଧିକାଂଶ ଜିଲ୍ଲାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦରଭଙ୍ଗାରୁ ଦିଲ୍ଲୀ ଯାଉଥିବା ସଂପର୍କ କ୍ରାନ୍ତି ଏକ୍ସପ୍ରେସକୁ ଅଟକ ରଖି ରେଳ ଲାଇନରେ ଧାରଣା ଦେଇଛନ୍ତି ବିକ୍ଷୋଭକାରୀ ।  ଫଳରେ ଯାତାୟତ ବନ୍ଦ ହେବା କାରଣରୁ ଏଥିରେ ଜନଜୀବନ ପ୍ରଭାବିତ ହୋଇଛି ।

ସେହିପରି ଓଡିଶାରେ ମଧ୍ୟ ସକାଳୁ ସକାଳୁ କିଛି କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ । ଏହାର ବେଶୀ ପ୍ରଭାବ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ବିକ୍ଷୋଭକାରୀମାନେ ଦୁଇଟି ଟ୍ରେନ ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଛନ୍ତି ।

ସେପଟେ ବଲାଙ୍ଗିର ସହରରେ ମଧ୍ୟ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପିକେଟିଂ କରାଯାଇଛି। ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ସ୍ଲୋଗାନ୍ ଦେଇ ପ୍ରତିବାଦ ଆରମ୍ଭ କରିଛନ୍ତି ବିକ୍ଷୋଭକାରୀ।

ସେହିପରି ବଲାଙ୍ଗୀର, କୋରାପୁଟ, ସୁବର୍ଣ୍ଣପୁର, ଯାଜପୁର ଓ ଅନୁଗୋଳରୁ ବିଭିନ୍ନ ଦଳିତ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି । ଭିମ୍ ଆର୍ମି, ନାସନାଲ କନଫେଡେରେସନ୍ ଅଫ୍ ଦଳିତ ଅର୍ଗନାଇଜେସନ୍, ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ, ଆଦିବାସୀ ଏକତା ପରିଷଦ ଓ ବିଭିନ୍ନ ଦଳି ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ତେବେ କହିରଖୁଛୁ, ସୁପ୍ରିମ୍‌କୋର୍ଟ ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟର ବା ଏକ ସବ୍ କାଟାଗୋରୀ ହଟାଇବାକୁ ଅନୁମତି ଦେଇଛନ୍ତି । ଯାହାକୁ କିଛି ଦଳ ବିରୋଧ କରି ଆଜି ଭାରତ ବନ୍ଦ ଡାକରେ ଦେଇ ଏହି ଦାବିକୁ ଫେରାଇନେବା ପାଇଁ ଦାବି କରିଛି ।