Img 20240729 Wa0232

ଆଦିବାସୀ ପାରମ୍ପାରିକ ମୁଖ୍ୟଙ୍କୁ ଭତ୍ତା ପ୍ରଦାନ ଏବଂ ଅଲଚିକି ଅଧ୍ୟାପକ ନିଯୁକ୍ତି ଦାବିରେ ରାଜ୍ୟପାଳଙ୍କୁ ଭେଟି ଦାବି ରଖିଲେ ଅର୍ଜୁନ ମୁର୍ମୁ

State

ବାରିପଦା:  ଓଡ଼ିଶାରେ ଆଦିବାସୀଙ୍କ ପାରମ୍ପାରିକ ବିଚାର ବ୍ୟବସ୍ଥା ମାଝୀ ପାରଗାନା, ମାନକି ମୁଣ୍ଡା, ପାହାଡି ପଧାନି ଆଦି ବ୍ୟବସ୍ଥାକୁ ସ୍ୱୀକୃତି ଦେବା ସଙ୍ଗେସଙ୍ଗେ ପାରମ୍ପାରିକ ମୁଖ୍ୟଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ଓଡ଼ିଶାରେ ସାନ୍ତାଳୀ, ହୋ ଓ ମୁଣ୍ଡାରୀ ଭାଷାକୁ ଦ୍ଵିତୀୟ ରାଜ୍ୟଭାଷା ଏବଂ ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ, ଏମ୍.ପି.ସି. ସ୍ଵୟଂଶାସିତ ମହାବିଦ୍ୟାଳୟ ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ସାନ୍ତାଳୀ ଭାଷା ପାଇଁ ନିୟମିତ ଅଧ୍ୟାପକ ପଦବୀ ସୃଷ୍ଟି କରିବା ଦାବୀରେ ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ଯୁଥ୍ ଏଣ୍ଡ ଷ୍ଟୁଡେଣ୍ଡ ଆସୋସିଏସନ୍(ମାରିସା) ପକ୍ଷରୁ ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଦିନ ଓଡିଶାର ମହାମୋହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଖୁବ୍ ଶୀଘ୍ର ଏ ଦିଗରେ ବିଚାର କରି ଦାବିଗୁଡିକ ପୂରଣ କରାଯିବବୋଲି ମହାମୋହିମ ରାଜ୍ୟପାଳ ପ୍ରତିଶୃତି ଦେଇଛନ୍ତି ବୋଲି ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ କହିଛନ୍ତି । ଓଡିଶାରେ ସ୍ମରଣାତୀତ କେଉଁ ଯୁଗରୁ ଆଦିବାସୀମାନେ ବସବାସକରି ଆସୁଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଓଡିଶାରେ ସ୍ଵତନ୍ତ୍ର ଭାଷା, ପ୍ରଥା, ପରମ୍ପରା ଓ ଧର୍ମୀୟ ବିଶ୍ୱାସ ସହ ୬୨ ପ୍ରକାରର ଆଦିବାସୀମାନେ ଦେଖିବାକୁ ମିଳନ୍ତି ସେମାନଙ୍କ ମଧ୍ୟରୁ ସାନ୍ତାଳ, ହୋ ଓ ମୁଣ୍ଡାମାନେ ମୁଖ୍ୟ ଆଦିବାସୀ ଗୋଷ୍ଠୀ ଅଟନ୍ତି । ସେମାନେ ସାନ୍ତାଳୀ, ହୋ ଓ ମୁଣ୍ଡାରୀ ପରି ସ୍ଵତନ୍ତ୍ର ଭାଷା ବ୍ୟବହାର କରନ୍ତି । ସାନ୍ତାଳୀ ହେଉଛି ଏକମାତ୍ର ଭାଷା ଯାହା ସମ୍ବିଧାନର ଅଷ୍ଟମ ଅନୁସୂଚିରେ ୨୦୦୩-୦୪ରେ ଅନ୍ତର୍ଭୁକ୍ତ ହୋଇ ସ୍ୱୀକୃତି ଲାଭ କରିଛି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ସାହିତ୍ୟ ଏକାଡେମୀ ଦ୍ୱାରା ମଧ୍ୟ ୨୦୦୫ରେ ମାନ୍ୟତା ଲାଭ କରିଛି । ଅନ୍ୟପକ୍ଷରେ ହୋ ଓ ମୁଣ୍ଡାରୀ ଭାଷା ଅଣସ୍ଵୀକୃତ ପ୍ରାପ୍ତ ଭାଷା ଅଟନ୍ତି । ଏହି ଭାଷା ଗୁଡିକର ଏବେ ମଧ୍ୟ ଉଲ୍ଲେଖନୀୟ ବିକାଶ ହୋଇପାରିନାହିଁ । ଏହି ଭାଷାଗୁଡିକର ସ୍ୱତନ୍ତ୍ର ଲିପି ରହିଛି ଓ ଏହି ଲିପି ଗୁଡିକ ଏହି ଭାଷା କହୁଥିବା ଲୋକଙ୍କ ମଧ୍ୟରେ ବ୍ୟାପକ ଭାବେ ଭଲ ପ୍ରସାର କରିନାହିଁ ଓ ଏହାର କାରଣ ହେଉଛି – ସରକାରଙ୍କ ପୃଷ୍ଟପୋଷକତାର ଅଭାବ, ସରକାରଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ନ ରହିବା ତଥା ବିଦ୍ୟାଳୟ , ମହାବିଦ୍ଯାଳୟ ଓ ବିଶ୍ଵ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ ନ କରିବା ଇତ୍ୟାଦି । ଯଦିଅ ସାନ୍ତାଳୀ ଭାଷା ଓଡ଼ିଶାର କେତେକ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ପ୍ରଚଳନ କରାଯାଇଛି । କିନ୍ତୁ ଆବଶ୍ୟକ ଭିତ୍ତିଭୂମୀ ଯଥା- ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସାନ୍ତାଳୀ ଅଧ୍ୟାପକ ନିଯୁକ୍ତି ଓ ସାନ୍ତାଳ ଅଧ୍ୟୁଷିତ ଅଞ୍ଚଳରେ ଥିବା ମହାବିଦ୍ୟାଳୟ ଗୁଡିକରେ ସାମଗ୍ରିକଭାବେ ସାନ୍ତାଳ ଭାଷାର ପ୍ରଚଳନ ଓଡ଼ିଶା ସରକାରଙ୍କ ଦ୍ଵାରା କରାଯାଇନାହିଁ । ସାନ୍ତାଳୀ ଭାଷାପାଇଁ ନିୟମିତ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ଏମ୍.ପି.ସି ସ୍ୱୟଂଶାସିତ ମହାବିଦ୍ୟାଳୟ,ବାରିପଦା ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ଯାଳୟ ବାରିପଦାରେ ବାରମ୍ଵାର ଛାତ୍ରଛାତ୍ରୀ ତଥା ବିଭିନ୍ନ ସଂଗଠନ ଦ୍ୱାରା ଦାବୀସ୍ୱତ୍ତେ ସୃଷ୍ଟି କରାଯାଇନାହିଁ ।

ଏଣୁ ଓଡ଼ିଶାରେ ସାନ୍ତାଳୀ ,ହୋ ଓ ମୁଣ୍ଡାରୀ ଭାଷାର ବିକାଶ ପାଇଁ ଦ୍ଵିତୀୟ ରାଜ୍ୟଭାଷାର ମାନ୍ୟତା ଏବଂ ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ ଆବଶ୍ୟକତା ଅଟେ । ଆଦିବାସୀଙ୍କ ପାରମ୍ପାରିକ ବିଚାର ବ୍ୟବସ୍ଥା ମାଝୀ ପାରଗାନା, ମାନକି ମୁଣ୍ଡା, ପାହାଡି ପଧାନି ଆଦି ବ୍ୟବସ୍ଥାକୁ ସ୍ୱୀକୃତି ଦେବା ସଙ୍ଗେ ସଙ୍ଗେ ପାରମ୍ପାରିକ ମୁଖ୍ୟଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯାଉ ଦାବିମାନ ଅନ୍ତର୍ଭୁକ୍ତ । ୧୯୯୨ରେ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍‌ ପରେ ପରେ ପଞ୍ଚାୟତରାଜ ବ୍ୟବସ୍ଥାରେ ଆଦିବାସୀମାନଙ୍କ ଏହି ବ୍ୟବସ୍ଥାକୁ ସ୍ଵୀକୃତି ଦେବାପାଇଁ ୧୯୯୬ ମସିହାରେ ପେସା ଅଧିନିୟମ ଜାରି ହୋଇଥିଲା । କେବଳ ବିଚାର ବ୍ୟବସ୍ଥା ନୁହେଁ ଗ୍ରାମରେ ଥିବା ଜଳ, ଜଙ୍ଗଲ, ଜମି, ଖଣି ଇତ୍ୟାଦି ପ୍ରାକୃତିକ ସମ୍ପଦର ମାଲିକାନାକୁ ମଧ୍ୟ ଏହି ପାଞ୍ଚ ପଞ୍ଚାୟତର ପାରମ୍ପରିକ ଗ୍ରାମସଭାକୁ ସ୍ଥାନାନ୍ତରିତ କରିବା ଉଦ୍ଦେଶ୍ୟ ରହିଛି । ଆଦିବାସୀ ପାରମ୍ପରିକ ମୁଖ୍ୟ ମାଝୀ-ପାରଗାନା,ମାନକୀ-ମୁଣ୍ଡା, ପାହାଡି-ପଧାନ ଇତ୍ୟାଦିକୁ ଆବଶ୍ୟକ ସ୍ଵୀକୃତି ଦେବାର ଉଦ୍ୟମ କରି ଝାଡଖଣ୍ଡ ସରକାର ତାଙ୍କ ପାଇଁ ଭତ୍ତା ଦେବାର ବନ୍ଦବସ୍ତ କରିଛନ୍ତି । ପେସା ଅଧିନୀୟମ ଅନୁଯାୟୀ ଆଗାମୀ ଦିନରେ ତାଙ୍କୁ ଅଧିକ କ୍ଷମତା ଦେବାପାଇଁ ଉଦ୍ୟମ ଚାଲିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡିଶା ସରକାର ଏହି ପାରମ୍ପରିକ ବିଚାର ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାପାଇଁ ଅଧ୍ୟାବଧି କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଦାବୀ ପ୍ରଦାନ କାର୍ଯ୍ୟକ୍ରମରେ ମାରିସାର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ସହ ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ତୋଫାନ୍ ହେମ୍ବ୍ରମ୍ ଓ ଉପସଭାପତି ରବିନ୍ଦ୍ର ମାର୍ଣ୍ଡି, ମୟୂରଭଞ୍ଜ ଜିଲ୍ଲା ଛାତ୍ର ସମ୍ପାଦକ ଅରବିନ୍ଦ ଟୁଡୁ ପ୍ରମୁଖ ସାମିଲଥିଲେ ।