Ayush

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସଂଯୁକ୍ତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ ସମ୍ପର୍କିତ ଆଭାସୀ ବୈଠକ

State
ବାରିପଦା  : ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଆଭାସୀ ଜରିଆରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଆରୋଗ୍ୟ ସଂଯୁକ୍ତ ଯୋଜନା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା
ପ୍ରାରମ୍ଭ ରେ ଜିଲ୍ଲାପାଳ କହିଥିଲେ ଯେ କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ କ୍ରମରେ ଆସନ୍ତା କାଲି ତା ୧୧-୦୪-୨୦୨୫ ରିଖ ଓଡିଶାବାସୀଙ୍କ ବହୁପ୍ରତିକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସ୍ଵାସ୍ଥ୍ୟ କାର୍ଡ଼ର ରାଜ୍ୟସ୍ତରୀୟ ଲୋକାର୍ପଣ ଉତ୍ସବ  କଟକର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି।
ସେହିପରି ଆମ ଜିଲ୍ଲାରେ ୮୮ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବ୍ୟାପକ ଜନସଚେତନତା ସହିତ ସମ୍ପୃକ୍ତ ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତି, ନେତୃମଣ୍ଡଳୀ ଓ ଜନସାଧାରଣଙ୍କୁ ନେଇ ରାଜ୍ୟବ୍ୟାପୀ ଲୋକାର୍ପଣ ଏବଂ ଲୋକଙ୍କୁ କାର୍ଡ ବଣ୍ଟନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  ରାଜ୍ୟ ସରକାରଙ୍କ ଏକମାତ୍ର ଲକ୍ଷ୍ୟ ଧାଡ଼ିର ଶେଷ ବ୍ୟକ୍ତି ଯେମିତି ସୁବିଧାରେ କାର୍ଡ ଓ ଅନ୍ୟାନ୍ୟ ସୁବିଧା ପାଇପାରିବ ବୋଲି ସେ କହିଛନ୍ତି ।
ସେହିପରି ୭୦ ବର୍ଷ ବୟସରୁ ଅଧିକ ବୟସର ଲୋକ ମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ ।    ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବା ବେଳେ ପରିବାରର ମହିଳା ହିତାଧିକାରୀଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ । ଗୋଟିଏ ପରିବାରରେ ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ପାଇପାରିବେ ।  ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା ମାତ୍ର ଏହି ଯୋଜନା ରେ ଏବେ ପରିବାରର ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ପ୍ରଦାନ କରାଯିବ ଯାହାଫଳରେ ବିଶେଷକରି ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନଙ୍କୁ ଆଉ ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରେ କୌଣସି ଅସୁବିଧା ହେବନାହିଁ । ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା ଏକ କମ୍ପୁଟର ଆଇ ଡି ଜେନେରେଟେଡ଼ ସ୍ୱତନ୍ତ୍ର କାର୍ଡ ପାଇବେ। ନୂତନ ଏକକ କାର୍ଡ଼ ପାଇବା ପର୍ଯ୍ୟନ୍ତ ହିତାଧିକାରୀମାନେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ନିଜର ଆଧାର କାର୍ଡ଼/ବର୍ତ୍ତମାନ ପାଖରେ ଥିବା ସ୍ୱାସ୍ଥ୍ୟ କାର୍ଡ଼ ନମ୍ବର ଦେଇ ଚିକିତ୍ସା ପାଇପାରିବେ । ଏହାକୁ ନେଇ କେହି ସଂଶୟ ପ୍ରକାଶ କରିବା ଅନୁଚିତ ବୋଲି ଜିଲ୍ଲପାଳ ସ୍ପଷ୍ଟ କରିଛନ୍ତି ।
 ସାଧାରଣ ଜନ ସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ/ବହୁମୂଖୀ ଜନ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟନ କରିବେ । ଆସନ୍ତା କାଲି ପ୍ରତ୍ୟେକ ବ୍ଲକର ଚିହ୍ନିତ ହୋଇଥିବା ୨୫ ଜଣଙ୍କୁ ଏକ ପ୍ରତୀକାତ୍ମକ  କାର୍ଡ ବଣ୍ଟନ କରାଯିବ ଏବଂ ଇ କେ ୱା ସି ପରେ ପରେ ସେମାନଙ୍କୁ ସଠିକ କାର୍ଡ ପ୍ରଦାନ କରାଯିବ।ଆଗାମୀ ଦୁଇ/ତିନି ମାସ ମଧ୍ୟରେ ଜିଲ୍ଲାର ସମସ୍ତ ହିତାଧିକାରୀ ମାନଙ୍କୁ ଏହି ନୂତନ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରାଯିବ ବୋଲି କରିବାକୁ ସେ ଉଲ୍ଲେଖ କରିଛନ୍ତି ।
ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ  ସ୍ୱାସ୍ଥ୍ୟ ସେବା ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉଥିଲା କିନ୍ତୁ ଏବେ ଦେଶର ୨୯,୦୦୦ ତାଲିକାଭୁକ୍ତ ଅଗ୍ରଣୀ ଘରୋଇ ଏବଂ ସରକାରୀ ଚିକିତ୍ସାଳୟରେ ଦେୟମୁକ୍ତ ଚିକିତ୍ସା ସେବା ଉପଲବ୍ଧ ହେବ । ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ୨୯,୦୦୦ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ପାଇପାରିବେ ।  ଆସନ୍ତା ୨/୩ ମାସ ଯାଏଁ କାର୍ଡ ବଣ୍ଟନ କାର୍ଯ୍ୟ ଚାଲିବ କୌଣସି ପରିବାରର ସଦସ୍ୟ ଅନ୍ୟ ସଦସ୍ୟଙ୍କ କାର୍ଡ ଉପଯୁକ୍ତ ଡକ୍ୟୁମେଣ୍ଟ ଦାଖଲ କରି ନେଇପାରିବେ । ତା’ସହ କାର୍ଡରେ ଯଦି କିଛି ଅନିଚ୍ଛାକୃତ ତ୍ରୁଟି ଥାଏ ତାହେଲେ ସମ୍ପୃକ୍ତ ହିତାଧିକାରୀଙ୍କୁ ଅଳ୍ପ ଦିନ ମଧ୍ୟରେ ନିର୍ଭୁଲ କାର୍ଡ ପ୍ରଦାନ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ତେଣୁ  ଜନସାଧାରଣ ବ୍ୟସ୍ତ ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।  ହିତାଧିକାରୀମାନଙ୍କ ପାଇଁ ଇ-କେ.ୱାଇ.ସି ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ । ସେଥିପାଇଁ ଜିଲ୍ଲାରେ ସଚେତନତା ସୃଷ୍ଟି କରିବା ପାଇଁ ଏପ୍ରିଲ ୧୧ ରୁ ଏକ ସପ୍ତାହ ବ୍ୟାପୀ ଗାଁ କୁ ଗାଁ “ସ୍ୱାସ୍ଥ୍ୟ ଚେତନା ରଥ” ପରିଭ୍ରମଣ କରିବ ।।
ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଜ଼ିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା  ପ୍ରଭାତ କୁମାର ବେହେରା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ,ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ସଂଯୁକ୍ତ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।