Img 20240729 Wa0198

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

State

୯୦ଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ, ଏସପି;୫ଟି ଅଭିଯୋଗର ହେଲା ତତ୍କାଳ ସମାଧାନ

ବାରିପଦା  : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଏସ. ସୁଶ୍ରୀ ସୋମବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହୋଇଥିବା ଜନଶୁଣାଣୀ ବୈଠକରେ ଯୋଗଦାନ କରି ବାରିପଦା ଉପଖଣ୍ଡର ୧୦ଟି ବ୍ଲକ ଏବଂ ସଦରମହକୁମାର ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି। ଏହି ଜନଶୁଣାଣୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା I ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକ୍ଷକ, ଡାଃ ଅଭୟ କୁମାର ଦାଶ ଯୋଗଦେବା ସହ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଉପଖଣ୍ଡ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ I ଆଜିର ଶୁଣାଣିରେ ବାରିପଦା ଉପଖଣ୍ଡ ଅନ୍ତର୍ଗତ ଚାରୋଟି ବ୍ଲକର ସର୍ବମୋଟ ୯୦ ଟି ଅଭିଯୋଗ ଶୁଣାଣି ହୋଇଥିଲା । ସମସ୍ତ ଅଭିଯୋଗ ମାନଙ୍କ ମଧ୍ୟରେ ମୁଖ୍ୟତଃ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଜଳ ଯୋଗାଣ, ଜମି ସୀମାଙ୍କନ, ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ ସ୍ୱାସ୍ଥ୍ୟଗତ ଏବଂ ଚିକିତ୍ସା ଜନିତ ଆବଶ୍ୟକ ସୁବିଧା ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ଜନିତ ସମସ୍ୟା ଗୁଡ଼ିକ ସର୍ବାଧିକ ଥିଲା। ଉକ୍ତ ଅଭିଯୋଗ ମଧ୍ୟରୁ ୭୯ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ, ୧୧ଗୋଟି ସାମୁହିକ ସମସ୍ୟା ସମ୍ବଳିତ ବିଷୟରେ ଆଧାରିତ ଥିଲା I ସେଥିମଧ୍ୟରୁ ୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ, ସର୍ବମୋଟ ୪ଜଣଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୭,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା ଏବଂ ଜଣଙ୍କୁ ରେଡ଼ କ୍ରସ ପକ୍ଷରୁ ଚିକିତ୍ସା ପାଇଁ ୩୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଅଭିଯୋଗ ଶୁଣାଣି ସମୟରେ ଜିଲ୍ଲାପାଳ ୨ଜଣ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ମଧ୍ୟ ୨,୫୦,୦୦୦ ଟଙ୍କା ଲେଖାଏଁ ବିବାହ ଆର୍ଥିକ ପ୍ରୋତ୍ସାନ ରାଶି ପ୍ରଦାନ କରିଛନ୍ତିI ଏଥି ସହିତ, ଜିଲ୍ଲାପାଳ ଦୁଇ ଜଣ ଦୃଷ୍ଟି ବାଧିତ ଛାତ୍ରଙ୍କୁ ଲାପଟପ ପ୍ରଦାନ କରିଛନ୍ତି ଓ ମିଶନ ସକ୍ଷମତା ଯୋଜନାରେ ଅନ୍ତର୍ଗତ ବେତନଟୀ ବ୍ଲକର ଜଣେ ଦିବ୍ୟାଙ୍ଗ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ୫୦,୦୦୦ ଟଙ୍କା ପ୍ରାରମ୍ଭ ନିବେଶ ଧନ ଭାବରେ ପ୍ରଦାନ କରିଛନ୍ତି I ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ସରକାରଙ୍କର ବିଭିନ୍ନ ଯୋଜନା ଅନୁଯାୟୀ ଆବାସ ସହାୟତା, ଜଳ ନିଷ୍କାସନ ବ୍ୟବସ୍ଥା ଆଦି ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେI ସୂଚନା ଥାଉକି ଆଜିର, ଜନଶୁଣାଣୀ ଚଳିତ ମାସର ବାରିପଦା ଉପଖଣ୍ଡ ପାଇଁ ଦ୍ଵିତୀୟ କାର୍ଯ୍ୟକ୍ରମI ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିବାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ I