Onn 3

ପଂଚାୟତ ନିର୍ବାଚନକୁ ୨ ବର୍ଷ ପୁରିଲାଣି, ମହିଳା ପ୍ରତିନିଧିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ

State

ଆଗରପଡ଼ା : ପଂଚାୟତ ନିର୍ବାଚନକୁ ଇତି ମଧ୍ୟରେ ୨ବର୍ଷରୁ ଅଧିକ ସମୟ ବିତିଯାଇଛି । କିନ୍ତୁ ପଂଚାୟତବାସୀ ସେମାନଙ୍କ ମୈାଳିକ ସୁବିଧା ପାଇବାରୁ ବଂଚିତ ହେଉଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ଆଗରପଡ଼ା ୧୪ନଂ ଜିଲ୍ଲା ପରିଷଦ ଜୋନ ଠାରେ । ଉକ୍ତ ଜୋନ ବିଟିପୁର, ପୁରୁଷଣ୍ଢ,ବଡ଼ମହିଁଷଗୋଠ, ଗୋପିନାଥପୁର, ମହାନ୍ତିପଡ଼ା, ଆଡ଼ିଆ, ଅଣିଜୋ, ଚାରିଗାଁ ଓ ରାମଚନ୍ଦ୍ରପୁର ଏହିପରି ୯ ଗୋଟି ପଂଚାୟତକୁ ନେଇ ଗଠିତ । ଏଥିମଧ୍ୟରୁ ବିଟିପୁର, ଗୋପିନାଥପୁର,ବଡ଼ମହିଁଷଗୋଠ, ଅଣିଜୋ, ଆଡ଼ିଆ ,ଚାରିଗାଁ ଏବଂ ରାମଚନ୍ଦ୍ରପୁର ପଂଚାୟତରୁ ମହିଳା ସରପଂଚମାନେ ବିଜୟ ଲାଭ କରିଥିଲେ । ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଆଗରପଡ଼ା । ଏଥି ସହିତ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସୀମାବର୍ତ୍ତି ସ୍ଥାନରେ ଆଗରପଡ଼ା ଅବସ୍ଥିତ ହୋଇଥିବା ବେଳେ ୪ଗୋଟି ପଂଚାୟତ ଯଥା ବିଟିପୁର, ପୁରୁଷଣ୍ଢ, ବଡ଼ମହିଁଷଗୋଠ ଓ ଗୋପିନାଥପୁର ଉକ୍ତ ଅଂଚଳର ବିକାଶ ଉପରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ ପୁରୁଷଣ୍ଢ ପଂଚାୟତକୁ ଛାଡ଼ି ଅନ୍ୟ ୩ଟି ପଂଚାୟତରେ ମହିଳା(ସରପଂଚ) ପ୍ରତିନିଧିମାନେ ୨ବର୍ଷରୁ ଉର୍ଦ୍ଧ ହେବ କାର୍ଯ୍ୟାଭାର ସମ୍ବାଳି ଥିଲେ ସୁଦ୍ଧା ଉକ୍ତ ଅଂଚଳର ବିକାଶରେ ଦୃଷ୍ଟି ନଦେବା ସେମାନଙ୍କର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଗରପଡ଼ା କୃଷିକାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ,ପୋଷ୍ଟ ଅଫିସ,ପଶୁ ଡ଼ାକ୍ତରଖାନା,ମୁଖ୍ୟ ଚିକିତ୍ସାଳୟ ଓ ପ୍ରମୁଖ ଶିକ୍ଷାନୁଷ୍ଠାନ ଉକ୍ତ ପଂଚାୟତରେ ଥିବା ବେଳେ ପ୍ରତ୍ୟେକ କାର୍ଯ୍ୟାଳୟରେ ସମସ୍ୟା ଲାଗି ରହିଥିବା ବେଳେ ଆଜି ସୁଦ୍ଧା ପ୍ରତିନିଧିମାନେ ଏଥିପ୍ରତି କୈାଣସି କଡ଼ା ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି । ସେହିପରି ନିର୍ମାଣାଧିନ ଗୋଷ୍ଠୀ ପରିମଳକେନ୍ଦ୍ର ଅଧପନ୍ତରୀଆ ଅବସ୍ଥାରେ ପଡ଼ିଥିବା ବେଳେ ବଜାରକୁ ଲାଗି ଗୋପିନଥପୁର ପଂଚାୟତ ତରଫରୁ ନିର୍ମିତ ମାର୍କେଟ କଂପ୍ଲେକ୍ସ ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ସେହିପରି ସ୍ଥାୟୀ ବିଶ୍ରାମାଗାର, ବସ୍‌ଷ୍ଟାଣ୍ଡ ଆଦିର ମଧ୍ୟ କୈାଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ । ସ୍ୱର୍ଗତଃ ସାଂସଦ ଅର୍ଜ୍ଜୁନ ଚରଣ ସେଠୀଙ୍କ ପୈାଷ୍ୟ ଗ୍ରାମ (ପୁରୁଷଣ୍ଢ)ଗ୍ରହଣରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଆଲୋକ ସ୍ତମ୍ଭ ଆଗରପଡ଼ା ବଜାରରେ ଅକାମି ହୋଇ ପଡ଼ିଛି । ପୁର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଲୋକାର୍ପିତ ଆଲୋକ ସ୍ତମ୍ଭ ମଧ୍ୟ ନଷ୍ଟ ହେବାକୁ ବସିଥିବା ବେଳେ ଉକ୍ତ ପଂଚାୟତରେ ମହିଳା ସମିତି ସଭ୍ୟା ନିର୍ବାଚିତ ହୋଇଥିଲେ ମଧ୍ୟ ସେ ବି ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନାହାନ୍ତି । ସରକାର ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେଉଥିବା ବେଳେ ସେମାନେ ଜନସାଧାରଣଙ୍କ ମୈାଳିକ ସୁବିଧା ପ୍ରତି କୈାଣସି ଦୃଷ୍ଟି ନଦେବା ସେମାନଙ୍କ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଆଗରପଡ଼ା ଅଂଚଳର ଉନ୍ନତିକୁ ଆଖି ଆଗରେ ରଖି ଜନସାଧାରଣଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେଇ ମହିଳା ପ୍ରତିନିଧିମାନେ ସେମାନଙ୍କର କାର୍ଯ୍ୟଦକ୍ଷତାର ପରିଚୟ ସୃଷ୍ଟି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।