Photo1 For The News Of School

ଅବ୍ୟବସ୍ଥାରେ ରଇଁତିରା ବିଦ୍ୟାଳୟ, ଶୈକ୍ଷିକ ପରିବେଶ ଗୁଣାତ୍ମକ ଶିକ୍ଷାରେ ବାଧକ ସାଜିଛି

State

ଆଗରପଡ଼ା:ବନ୍ତ ବ୍ଲକ ଅର୍ନ୍ତଗତ ତୋଫାବିବି କ୍ଲଷ୍ଟର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରଇଁତିରା ଅବ୍ୟବସ୍ଥାରେ ରହିଛି । ଏଠାରେ ପିଲା ଅଛନ୍ତି ଓ ଶିକ୍ଷକବି ଅଛନ୍ତି କିନ୍ତୁ ଶୈକ୍ଷିକ ପରିବେଶ ନଥିବାରୁ ତାହା ପିଲାଙ୍କ ଗୁଣାତ୍ମକ ଶିକ୍ଷାଲାଭ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଦୈନିକ ‘ପ୍ରଗତିବାଦୀ’ରେ ବାରମ୍ବାର ଖବର ପ୍ରକାଶିତ ହେଉଥିଲେ ସୁଦ୍ଧା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଦ୍ୟାଳୟ ପରିସରରେ ଗୃହ ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ରହିଥିବାରୁ ଓ ବିଦ୍ୟାଳୟ ପରିସରରେ ଏକ ଅଙ୍ଗନବାଡ଼ି ଗୃହ ମଧ୍ୟ ଥିବାରୁ କୁନିକୁନି ପିଲାମ।।ନେ ଭୟଭିତ ଅବସ୍ଥାରେ ପାଠପଢିବାକୁ ଯାଉଥିବାର ଅଭିଭାବକମାନେ କହୁଛନ୍ତି । ବର୍ତ୍ତମାନ ବର୍ଷାଋତୁ ଚାଲୁଥିବାରୁ ଅସରାଏ ବର୍ଷାରେ ପରିସରରେ ପାଣିଜମି ରହି ଏହା ମଧ୍ୟ ଶିକ୍ଷା କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ୧୯୫୮ ମସିହାରେ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ୫୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୫ଟି ଗୃହରେ ଚାଲିଛି ୮ଟି ଶ୍ରେଣୀର ପାଠପଢା । ୧ମ ଓ ୨ୟ ଶ୍ରେଣୀ,୩ୟ ଓ ୪ର୍ଥ ଶ୍ରେଣୀ ଏବଂ ୫ମ ଓ ୬ଷ୍ଠ ଶ୍ରେଣୀ ମିଶାମିଶି ହୋଇ ୩ଟି ଗୃହରେ ଚାଲିଛି । ଅନ୍ୟ ୨ଟି ଗୃହରେ ୭ମ ଓ ୮ମ ଶ୍ରେଣୀ ଚାଲିଛି । ଶ୍ରେଣୀ ଗୃହ ଓ କମ୍ପ୍ୟୁଟର ଶିକ୍ଷକ ଅଭାବରୁ ଉକ୍ତ ବିଦ୍ୟାଳୟରେ କମ୍ପ୍ୟୁଟର ଥିଲେ ମଧ୍ୟ ଛାତ୍ରଛାତ୍ରୀ ଉକ୍ତ ଶିକ୍ଷାରୁ ବଂଚିତ ହେଉଥିବା ବେଳେ କମ୍ପୁଟର ସବୁ ଖତ ଖାଉଛି ।

ସେହିପରି ଏଠାରେ ଶିକ୍ଷାଦାନ ପାଇର୍ ୫ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ତନ୍ନମଧ୍ୟରୁ ୪ଜଣ ମହିଳା ହୋଇଥିବାରୁ ଏହି ସମସ୍ୟା ଶିକ୍ଷାକ୍ଷେତ୍ରରେ ଆଉ ଏକ ବାଧକ ସାଜିଛି । ସ୍କୁଲ ପରିବେଶରେ ପରିତ୍ୟକ୍ତ ଗୃହକୁ ଭାଙ୍ଗିବାର କୌଣସି ବ୍ୟବସ୍ଥା କରାଯାଉନଥିବାରୁ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହିବି କର୍ଣ୍ଣପାତ କରୁନଥିବା ଜଣାପଡ଼ିଛି । ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାଇତ୍ୱ ପଂଚାୟତର ଥିବାରୁ ଏଠାରେ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ବିଭାଗ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ସରକାରୀ ସ୍ତରରେ ଛତୁ ଫୁଟିବା ପରି ବିଦ୍ୟାଳୟମାନ ଖୋଲା ଯାଉଥିଲେ ସୁଦ୍ଧା ଅଧ୍ୟୟନ କ୍ଷେତ୍ରରେ ସେହିପରି କୌଣସି ସୁବିଧା ସୁଯୋଗ ଉପଲବ୍ଧ ହେଉ ନଥିବାରୁ ଏହା ଦ୍ୱାରା କିଛି ସୁଫଳ ମିଳିବା ବଦଳରେ ଏହା ଏକ ପ୍ରହସନରେ ପରିଣତ ହେଉଛି । ଏହି ପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିତ ଭାବେ କୋମଳମତୀ ଛାତ୍ରଛାତ୍ରୀମାନଙ୍କ ଉପରେ କୁପ୍ରଭାବ ପକାଇବ । ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।