Photo For The News Of Salandi

ବର୍ଷାଋତୁ ଆସିଲା, ହେଉନି ନଦୀଗର୍ଭ ପୁନରୁଦ୍ଧାର

State

ବିପଦ ଆଶଙ୍କାରେ ନଦୀକୂଳିଆବାସୀ

ଆଗରପଡ଼ା :ଆବାହନ କାଳରୁ ସାଳନ୍ଦୀ ନଦୀ ବନ୍ତ ବ୍ଲକର ଆଗରପଡା ଦେଇ ବହି ଯାଇଥିବା ବେଳେ ଏହାର ଶାଖା ପ୍ରଶାଖା ନଦୀ ଗୁଡ଼ିକ ଭଦ୍ରକ,ବାଲେଶ୍ୱର,କେନ୍ଦୁଝର ଜିଲ୍ଲାକୁ ପ୍ରବାହିତ ହୋଇଛି । ଏହି ନଦୀ କୂଳରେ ଶତାଧିକ ବେଆଇନ ଇଟାଭାଟି ଚାଲିଛି । ନଦୀ ପଠାରୁ ମାଟି ଖନନ କରାଯାଇ ଏଥିରେ ବ୍ୟବହୃତ ହେଉଛି । ଯଦ୍ୱାରା ନଦୀ କୂଳ ସବୁ ଖାଇ ଯାଇଛି । ବର୍ଷାଋତୁ ଆସିଲେ ବର୍ଷା ପ୍ରଭାବରେ ନଦୀ ପାଣି କ୍ରମଶଃ ଫୁଲି ଗ୍ରାମାଭିମୁଖି ହେଉଥିବାରୁ ନଦୀ କୂଳିଆ ଗ୍ରାମବାସୀମାନେ ବିପଦ ଆଶଙ୍କାରେ ରହିଛନ୍ତି । ଏହି ନଦୀର ଜଳକୁ କୃଷି କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ସେହି ସମୟରେ ପାଶ୍ୱର୍ବର୍ତ୍ତି କେନ୍ଦୁଝର ଜିଲ୍ଲା ହଦଗଡ ଠାରେ ଏକ ଡ୍ୟାମ ପ୍ରତିଷ୍ଠା କରିଥିଲେ । ଏଥିରେ ଜଳନିୟନ୍ତ୍ରିତ ହେବା ସହ ଏହି ଜଳକୁ ବିଭିନ୍ନ କେନାଲ ମାଧ୍ୟମରେ ଛଡାଯିବା ଫଳରେ ୩ଗୋଟି ଜିଲ୍ଲା କୃଷିଅର୍ଥନୀତି ଉପରେ ବେଶ ପ୍ରଭାବ ପକାଉଥିବା ବେଳେ ଏବେ ସାଳନ୍ଦୀ ନଦୀ କୁଳ ଖାଇ ଗ୍ରାମାଭିମୁଖୀ ହେବାଯୋଗୁଁ ନଦୀ କୂଳିଆ ଗ୍ରାମକୁ ବିପଦ ସୃଷ୍ଟି କରୁଛି । ପ୍ରତିବର୍ଷ ବର୍ଷାଦିନରେ ସାଳନ୍ଦି ନଦୀରେ ଏହିପରି ମନୁଷ୍ୟ କୃତ ବନ୍ୟା ଆସି ନଦୀ ଜଳ ଲୋକଙ୍କର କ୍ଷୟକ୍ଷତି ପହଞ୍ଚାଉଛି ।

ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାମନ୍ତ୍ରୀତ୍ୱ କାଳରେ ୨୦୦୨-୦୩ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜୁନଚରଣ ସେଠୀଙ୍କ ଉଦ୍ୟମ କ୍ରମେ ସାଳନ୍ଦି ସଂସ୍କାର ଯୋଜନାରେ ୧୦୨କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇ ୨୦୦୫-୦୬ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯାଇଥିଲା । ଏହାର ଲକ୍ଷ୍ୟଥିଲା ସାଳନ୍ଦୀ ସଂସ୍କାର ଯୋଜନାରେ ପୋତି ହୋଇଯାଇଥିବା ନଦୀ ଗର୍ଭ ପୁନଃଦ୍ଧାର ଓ ସାଳନ୍ଦି ସଂଯୋଗୀକରଣ କରି ସାଳନ୍ଦି ନଦୀକୁ ସୁରକ୍ଷିତ ରଖିବା । ମାତ୍ର ଉକ୍ତ ଯୋଜନା ଅନୁଦାନ ରାଶିି ଉପଯୁକ୍ତ ବିନିଯୋଗ ନହେବାରୁ କ୍ରମଶଃ ନଦୀର ଗତିପଥ ବଦଳିି ଜନବସତି ଆଡକୁ ମାଡି ଆସୁଛି । ଏ ଅଞ୍ଚଳରେ ନଦୀକୂଳରେ ଅବସ୍ଥିତ ପାଟକନା, ମହାନ୍ତିପଡା, ରାଉତରାପୁର, ହଳଦୀପହଣି, କାଣ୍ଡବା, ଗୋପିନାଥପୁର, କୁଆଁଶମଢିଆ, ହରିପୁର, ଘଣ୍ଟଗଢିଆ, ନରାଜପୁର, ବଡମହିଷଗୋଠ, ଟିକିରା, ଚାରିଗାଁ , ଶ୍ରୀରାମପୁର,ଯଶବନ୍ତପୁର, ରାଜନଗର ମଙ୍ଗଳପୁର, ଅଣିଜୋ,ନରିପୁର, ବିରିଡିହି ଆଦି ଗ୍ରାମବାସୀ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।