Mohan Majhi

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Politics State

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ ଚରଣ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା ଥିଲେ ବି, ସମସ୍ତଙ୍କୁ ପଛରେ ପକାଇ ମୋହନ ମାଝୀ ବାଜି ମାରିଛନ୍ତି।

ଆସନ୍ତାକଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ୨୪ ବର୍ଷ ଧରି ନବୀନ ପଟନାୟକ ଥିଲେ ମୁଖ୍ୟମନ୍ତ୍ରୀ । ଏବେ ନୂଆ ଚେହେରା ଓ ନୂଆ ନାଁ । କିଛି ସମୟ ପୂର୍ବରୁ ରାଜନାଥ ସିଂହ ଘୋଷଣା କରିଛନ୍ତି ମୋହନ ମାଝୀଙ୍କ ନାଁ । ଛଅ ଥର ନିର୍ବାଚନ ଲଢି ଚାରି ଥର ବିଧାୟକ ହୋଇଛନ୍ତି ସେ । ଏପରିକି ମୋହନ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ସହ ବିଧାନସଭାର ଷ୍ଟାଣ୍ଡିଂ କମିଟି, ପବ୍ଳିକ ଏକାଉଣ୍ଟସ୍ କମିଟିର ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇ ଆସିଛନ୍ତି । ଓଡ଼ିଶାର ଜଣେ ଟାଣୁଆ ଆଦିବାସୀ ନେତା ଭାବରେ ସାରା ରାଜ୍ୟରେ ଜଣେ ସୁପରିଚିତ ନାମ, ମୋହନ ମାଝୀ ।

ଅତି ସାଧାରଣ ପରିବାରରେ ଜନ୍ମ । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ରାଇକଳା ଗାଁର ଗରିବ ପରିବାରରେ ୧୯୭୨ ମସିହା ଜାନୁଆରୀ ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋହନ । ବାପା ଗୁନା ରାମ ମାଝି ଗାଁ ସ୍କୁଲରେ ପିଅନ ଭାବରେ କାମ କରୁଥିଲେ । ମୋହନ ଛୋଟ ଥିବା ବେଳେ ତାଙ୍କ ମା ଆର ପାରିକୁ ଚାଲି ଯାଇଥିଲେ I ତାଙ୍କର ଜଣେ ଭାଇ ଓ ଭଉଣୀଙ୍କ ମଧ୍ୟରୁ ସାନ ଭାଇଙ୍କର ମଧ୍ୟ କିଛି ମାସ ତଳେ ମୃତ୍ୟୁ ହୋଇ ଯାଇଛି । ମୋହନଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେ ବହୁତ ଅଭାବ ଅନଟନ ମଧ୍ୟରେ ଦୁଃଖ କଷ୍ଟରେ ବଡ ହୋଇଛନ୍ତି । ପ୍ରଥମେ ଗାଁ ସ୍କୁଲ ଓ ପରେ ୧୯୮୭ ମସିହାରେ ଝୁମ୍ପୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମେଟ୍ରିକ ପାସ କରିଥିଲେ ।୧୯୯୦ରେ ଆନନ୍ଦପୁର କଲେଜରେ ଯୁକ୍ତ ଦୁଇ, ୧୯୯୩ରେ ଚମ୍ପୁଆ ଚନ୍ଦ୍ରଶେଖର କଲେଜରୁ ଯୁକ୍ତ ତିନି ପାସ କଲା ପରେ ୨୦୧୧ରେ ଢେଙ୍କାନାଳ ଲ କଲେଜ୍ ରୁ ଲ ପାସ କରିଥିଲେ ।ମୋହନ ମାଝୀ ୨୦୦୪ ମସିହାରେ ମୟୁରଭଞ୍ଜ ଜିଲା କାଦୁଆଣି ଗାଁରେ ପ୍ରିୟଙ୍କା ମାରାଣ୍ଡିଙ୍କୁ ବିବାହ କରିଥିଲେ ।ତାଙ୍କର ଦୁଇପୁଅ ଥିବା ବଡ ପୁଅ ପ୍ରେମାନନ୍ଦ ଏବଂ ସାନ ପୁଅ କ୍ରିଷ୍ଣାନନ୍ଦ ମାଝୀ । ମୋହନଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଆୟୁର୍ବେଦ ଡାକ୍ତର ଭାବେ ପୂର୍ବରୁ କାର୍ଯ୍ୟରତ ଥିଲେ । ପରବର୍ତ୍ତୀ ସମୟ ଚାକିରୀ ଛାଡି ଗୃହିଣୀ ଭାବେ କାର୍ଯ୍ୟ କରୁଛନ୍ତି ।

ମୋହନ ମାଝୀ ନିଜ ରାଜନୈତିକ ଜୀବନ ୧୯୯୨ ମସିହାରେ କେନ୍ଦୁଝର ସଦର ବ୍ଲକ ରାଇକଳା ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ଆରମ୍ଭ ହାଇଥିଲା । ତେବେ ନିର୍ବାଚନ ଲଢ଼ି ପରଜିତ ହୋଇଥିଲେ । ଏହାପରେ ସେ ଝୁମ୍ପୁରା ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରରେ ଶିକ୍ଷକତା କରିଥିଲେ । ପରବର୍ତୀ ସମୟରେ ସେ ୧୯୯୭ ମସିହାରେ ରାଇକଳା ପଂଚାୟତର ସରପଂଚ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଏହାପରେ ସେ ବିଜେପିରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ଭାବେ ବିଜେପି-ବିଜେଡି ମେଣ୍ଟରୁ ୨୦୦୦ ରେ ନିର୍ବାଚନ ଲଢ଼ିଥିଲେ । ସେଥର ମୋହନ ବିଜୟୀ ହୋଇ ବିଧାନସଭାକୁ ପ୍ରଥମଥର ଆସିଥିଲେ । ପୁଣି ୨୦୦୪ ମସିହାରେ ବିଜେପିରୁ ବିଧାୟକ ନିର୍ବାଚିତ ହୋଇଥିଲେ । ସେଥର ମେଣ୍ଟ ସରକାରରେ ମୋହନ ଉପମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ । ୨୦୦୯ ଓ ୨୦୧୪ରେ ବିଧାୟକ ଭାବେ ଲଢ଼ି ହାରି ଯାଇଥିଲେ । ତେବେ ୨୦୧୯ରେ ପଞ୍ଚମ ଥର ଲଢ଼ି ବିଜୟୀ ହୋଇଥିଲେ ଏବଂ ପୁଣି ୨୦୨୪ରେ ନିଜ ବିଜୟବାନା ଉଡ଼ାଇଥିଲେ କେନ୍ଦୁଝର ସଦର ଆସନରୁ । ଏବେ ମୋହନ ମାଝୀ ଓଡ଼ିଶାରୁ ନୂଆ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ବିଜେପି ଦଳର ଆସ୍ଥା ଜିତିଥିବା ବେଳେ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତିବାକୁ ଉଦ୍ୟମ କରିବେ । ସେପଟେ ତାଙ୍‌କର ଦୁଇ ସହଯୋଗୀ ଭାବେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ପାଟଣାଗଡ଼ ବିଧାୟକ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ାଙ୍କୁ ମନୋନୀତ କରାଯାଇଛି । କନକ ବର୍ଦ୍ଧନ କେ.ଭି ନାମରେ ସବୁଠି ପରିଚିତ । ସେହିପରି ଜଣେ ଫାୟାର ବ୍ରାଣ୍ଡ ନେତ୍ରୀ ଭାବେ ପ୍ରଭାତୀଙ୍କର ଖ୍ୟାତି ରହିଛି ।