Mohan 750x430

ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରାଜ୍ୟର ୧ନଂ ହେବ: ମୁଖ୍ୟମନ୍ତ୍ରୀ

State

କେନ୍ଦୁଝରଗଡ଼: ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝର ଓ ବଡବିଲ ଶାଖା ମିଳିତ ସହଯୋଗରେ ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ୭୪ତମ ବାର୍ଷିକ ଅଧିବେଶନ ଧରଣୀଧର ଭେଷଜ ମହାବିଦ୍ୟାଳୟ ଅଡିଟୋରିୟମଠାରେ ରବିବାର ଉଦ୍‌‌ଯାପିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ଡାକ୍ତର ଶ୍ୟାମ ସୁନ୍ଦର ଖଣ୍ଡେଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସମାବେଶ ଜିଲାରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଦିଗରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି। କେନ୍ଦୁଝରରେ ଯଦିଓ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଗତ ୨ବର୍ଷରୁ ଊର୍ଦ୍ଧ୍ବ ସମୟଧରି କାର୍ଯ୍ୟକ୍ଷମ ହୋଇଛି, ତଥାପି ଭିତ୍ତିଭୂମି ସାଙ୍ଗକୁ ମାନବସମ୍ବଳ ଅଭାବ କାରଣରୁ ଜିଲାର ରୋଗୀଙ୍କୁ କଥାକଥାକେ କଟକ ବଡ଼ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଖୁବଶୀଘ୍ର ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ ସହ ଭିତ୍ତିଭୂମି ସୁଦୃଢ କରାଯାଇ ଏହାକୁ ରାଜ୍ୟର ୧ନଂ ଚିକିତ୍ସାଳୟରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଶେଷକରି ଖଣି ଓ ଶିଳ୍ପବହୁଳ ଏହି ଜିଲାର ସଡ଼କ ପଥ ଦେଇ ଅନିୟନ୍ତ୍ରିତ ଭାରୀଯାନ ଚଳାଚଳ ଯୋଗୁଁଁ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନି ହେଉଥିବାରୁ ଏହି ମେଡିକାଲ କଲେଜରେ କିଭଳି ତୁରନ୍ତ ଏକ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ସହ ଜଟିଳ ରୋଗ ନିରୁପଣ ପାଇଁ ଏମଆରଆଇ ଭଳି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା ମାର୍ଚ୍ଚ ୧୫ସୁଦ୍ଧା ଧରଣୀଧର ଭେଷଜ ଚିକିତ୍ସାଳୟରେ ସମସ୍ତ ବିଭାଗର ଓପିଡି କାର୍ଯ୍ୟକ୍ଷମ ହେବାସହ କିଭଳି ତୁରନ୍ତ ଆଇପିଡି କାର୍ଯ୍ୟକ୍ଷମ କରାଯାଇ ରୋଗୀଙ୍କୁ ୨୪ଘଣ୍ଟିଆ ନିରନ୍ତର ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିବ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ ଚିକିତ୍ସାଳୟର ଅଧିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ୍‌‌ କରିଛନ୍ତି। ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ଜନସାଧାରଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଦେଶର ପ୍ରାୟ ୨୯ହଜାର ଅନୁବନ୍ଧିତ ଚିକିତ୍ସାଳୟରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଉପକୃତ ହେବେ। ଏହା ସହିତ ୭୦ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ମଧ୍ୟ ବିନା ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ପାଇ ପାରିବେ। ପ୍ରାୟ ୨୩ ଲକ୍ଷରୁ ଅଧିକ ବୟୋଜ୍ୟେଷ୍ଠ ବ୍ୟକ୍ତି ଉପକୃତ ହେବେ। ରାଜ୍ୟରେ ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି ଲକ୍ଷ୍ୟରେ ପ୍ରତି ପଞ୍ଚାୟତରେ ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। କ୍ୟାନସର ଭଳି ଭୟଙ୍କର ରୋଗର ଚିକିତ୍ସା ପାଇଁ କେମୋ ଥେରାପି, ଅଙ୍କୋ ସର୍ଜରୀ, ରେଡିଓ ଥେରାପି ଓ ପାଲିଏଟିଭ୍‌‌ କେୟାର ଯୋଗାଇ ଦେବା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ୧୦୪୬କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ୧୧ଟି କ୍ୟାନସର ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତବର୍ଷ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ରରେ ୨୧ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଯାହା ଗତ ଆର୍ଥିକବର୍ଷ ତୁଳନାରେ ୩୨ପ୍ରତିଶତ ଅଧିକ। ଏହା ରାଜ୍ୟ ବଜେଟର ସମୁଦାୟ ପରିମାଣର ୮ପ୍ରତିଶତ। ଜାତୀୟ ସ୍ୱାସ୍ଥ୍ୟନୀତିରେ ମଧ୍ୟ ଅତିକମ୍‌‌ରେ ୮ପ୍ରତିଶତ ଖର୍ଚ୍ଚ ପାଇଁ ଅନୁମୋଦନ କରାଯାଇଛି।

ଆଗାମୀ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବଜେଟ ଖୁବଶୀଘ୍ର ଉପସ୍ଥାପନ କରାଯାଇ ଏଥର ଆମେ ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ର ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଣ୍ଣୟ କରିଛୁ। ୨୦୩୬ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଏକ ପ୍ରମୁଖ ଗ୍ରୋଥ ଇଞ୍ଜିନ ପାଇଁ ଲକ୍ଷ୍ୟ ରଖାଯାଇଛି। ନିକଟରେ ଆମେ ସଫଳତାର ସହିତ ପ୍ରବାସୀ ଭାରତୀୟ ଦିବସ ଓ ‘ଉତ୍କର୍ଷ ଓଡ଼ିଶା-ମେକ୍‌‌ ଇନ ଓଡ଼ିଶା କନକ୍ଲେଭ ୨୦୨୫’ ଆୟୋଜନ କରିଛୁ। ଓଡ଼ିଶା ଏବେ ଏକ ଉଜ୍ୱଳ ତାରକା ଭାବେ ବିଶ୍ୱ ନଜରକୁ ଆସିପାରିଛି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଆମେ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ୧୭ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପାଇଛୁ। ଏଥିରେ ୧୩ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ, ଫାର୍ମା ଓ ବାୟୋ ଟେକ୍ନୋଲୋଜି କ୍ଷେତ୍ରରେ ୪୩୦୦କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି ବୋଲି କହିଥିଲେ। ରାଜ୍ୟରେ ଆମ ନୂଆ ସରକାର ମିଶନ ମୋଡରେ ଖାଲିଥିବା ପଦବୀ ଗୁଡିକ ପୁରଣ କରୁଛନ୍ତି। ଗତ ୮ମାସ ମଧ୍ୟରେ ଆମେ ୨୬ ହଜାର ୩୦୦ ସରକାରୀ ପଦବୀ ପୁରଣ କରିସାରିଛୁ। ଡାକ୍ତରମାନଙ୍କ ପଦବୀ ମଧ୍ୟ ନିଶ୍ଚିତ ପୁରଣ ହେବ ଏଥିରେ ସନ୍ଦେହ ନାହିଁ। ଓଡ଼ିଶାରେ ଅଧିକରୁ ଅଧିକ ମେଡିକାଲ୍‌‌ କଲେଜ୍‌‌ ଖୋଲାଯାଉଛି। କେନ୍ଦୁଝରରେ ସ୍ୱାସ୍ଥ୍ୟ ସେବାକୁ ଦକ୍ଷ ଓ ଜାତୀୟସ୍ତରର କରିବା ପାଇଁ ଆମର ଉଦ୍ୟମ ଜାରି ରହିବ। ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖା ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଡାକ୍ତରଙ୍କ ମଧ୍ୟରେ ଜ୍ଞାନ ଏବଂ ଦକ୍ଷତାବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ବୋଲି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଇଏମଏ ଚାରାରୋପଣ ଓ ମଧୁମେହ ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଆଇଏମଏର ସ୍ମରଣୀକା ଓ ସ୍ୱାସ୍ଥ୍ୟ ସୁରଭିକୁ ଉନ୍ମୋଚନ କରିଛନ୍ତି।

ଏହି ଦୁଇଦିନିଆ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨ ହଜାରରୁ ଊର୍ଦ୍ଧ୍ବ ଡାକ୍ତର ଯୋଗ ଦେଇ ଚଳିତବର୍ଷ ଶୀର୍ଷକ ‘ଆପଣଙ୍କ ସ୍ୱାସ୍ଥ୍ୟ-ଆମର ଦାୟିତ୍ୱ’ ଉପରେ ନିଜ ନିଜର ବୈଜ୍ଞାନିକ ସନ୍ଦର୍ଭକୁ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଉପସ୍ଥାପନ କରିଥିଲେ।