Photo Of Office

ଜାଲ୍ ପ୍ରମାଣପତ୍ରରେ ଚାକିରି ପ୍ରସଙ୍ଗ, କାର୍ଯ୍ୟାନୁଷ୍ଠାନ ପାଇଁ ବିଇଓଙ୍କୁ ନିର୍ଦ୍ଦେଶ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶିକ୍ଷାବିଭାଗ ଅର୍ନ୍ତଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ସିଂପୁରରେ ଜନୈକ ଶିକ୍ଷକ ଜାଲ୍ ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ଜଣାପଡ଼ିବା ପରେ ଉକ୍ତ ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାମ୍ବାଦିକ ତଥା ସୂଚନା ଅଧିକାର କର୍ମୀ ବିନୋଦ ଧଳ ସାମନ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଚିଠି ନଂ ୪୦୬୪/୨୮.୦୫.୨୦୨୪ରେ ବ୍ଲକ ଶିକ୍ଷାଧିକାରୀ ଚାନ୍ଦବାଲିଙ୍କୁ ଚିଠି ପାଇବାର ୧୫ ଦିନ ମଧ୍ୟରେ ଉକ୍ତ ଅଭିଯୋଗ ଉପରେ ତଦନ୍ତ କରି ସଂପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉକି;ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶିକ୍ଷାବିଭାଗ ଅର୍ନ୍ତଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ସିଂପୁରରେ ଦିନବନ୍ଧୁ ସେଠୀ ନାମକ ଜନୈକ ଶିକ୍ଷକ ଜାଲ୍ ପ୍ରମାଣପତ୍ରରେ ସହକାରୀ ଶିକ୍ଷକ ଭାବେ ଶିକ୍ଷକତା କରୁଥିବାର ସାମ୍ବାଦିକ ତଥା ସୂଚନା ଅଧିକାର କର୍ମୀ ବିନୋଦ ଧଳ ସାମନ୍ତ ଜାଣିବାକୁ ପାଇଥିଲେ । ଶ୍ରୀ ସେଠୀ ୨୦୦୩ ମସିହାରେ ତାଙ୍କର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ଦେଇ ଏହି ପଦବୀରେ ନିଯୁକ୍ତି ପାଇଥିଲେ ।

ଜନସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନା ଅନୁଯାୟୀ ; ସେ ଚାକିରୀ ସମୟରେ ଦେଇଥିବା ବିଇଡ଼ି(ଉତ୍କଳ ବିଶ୍ୱବିଦ୍ୟାଳୟର)ପ୍ରମାଣ ପତ୍ରଟି ଭୁଲ ବୋଲି ସୂଚନା ମିଳିଛି । ସେହି ପ୍ରମାଣ ପତ୍ରରେ ସେ ପାସ୍ ହୋଇଥିବା ଉଲ୍ଲେଖ ଥିବା ବେଳେ ମିଳିଥିବା ବିଭାଗୀୟ ଜନ ସୂଚନା ଅଧିକାରୀଙ୍କ ସୂଚନା ଅନୁଯାୟୀ ସେ ଫେଲ୍ ହୋଇଥିବାର ଜଣାପଡ଼ିଥିଲା । ଏଠାରେ ପ୍ରକାଶ ଥାଉକି;ଉତ୍କଳ ବିଶ୍ୱବିଦ୍ୟାଳୟରୁ୧୯୯୬ ମସିହାରେ ରୋଲ ନଂ. ଏବଂ ପ୍ରମାଣପତ୍ର ନଂ ଅନୁଯାୟୀ ସଂପୃକ୍ତ ଶିକ୍ଷକ ଫେଲ ବୋଲି ବିଶ୍ୱବିଦ୍ୟାଳୟ ଚିଠିରେ ଉଲ୍ଲେଖ ଥିବାର ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଏହି ସୂଚନାକୁ ଶ୍ରୀ ଧଳ ସାମସ୍ତ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ଜିଲ୍ଲା ଶିକ୍ଷାଧିକାରୀ ଅକୃର ବାରିକ ଉକ୍ତ ଅଭିଯୋଗର ତଦନ୍ତ କରି ଚିଠି ପାଇବାର ୧୫ ଦିନ ମଧ୍ୟରେ ସଂପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।