Photo For The News Of Charan Bhumi

ସମୟଚକ୍ରରେ ହଜିଗଲାଣି ଗୋଚର ଜମି, ଚାଷ ଜମି ପାଲଟୁଛି ଚାରଣଭୂମି

State

ଆଗରପଡ଼ା :ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଅଧିକାଂଶ ଲୋକ ଗ୍ରାମାଚଂଳରେ ବସବାସ କରନ୍ତି । ସେମାନେ ଚାଷ କୁ ନିଜର ଜୀବନ ଆଉ ଜୀବିକା ରୁପେ ଗ୍ରହଣ କରିବା ସହ ବିଭିନ୍ନ ପ୍ରାଣୀଙ୍କ ଉପରେ ମଧ୍ୟ ନିର୍ଭର କରନ୍ତି । ଯେତେବେଳେ ଦୈବ ଦୁର୍ବିପାକରୁ ଶସ୍ୟ ହାନୀ ଘଟେ ସେତେବେଳେ ପ୍ରାଣୀହିଁ ବଂଚିବାର ଏକମାତ୍ର ରାହା ଯୋଗାଇଥାଏ । ପ୍ରାଣୀ ମାନଙ୍କର ଅଭିବୃଦ୍ଧି ,ବିଭିନ୍ନ ରୋଗର ନିରାକରଣ ଓ ନିୟନ୍ତ୍ରଣ କ୍ଷେତ୍ରରେ ପ୍ରାଣୀ ଚିକିତ୍ସଙ୍କର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ହେଲେ ଦିନକୁ ଦିନ ଚାରଣଭୂମିର ବିଲୋପ ,ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ କର୍ମଚାରୀଙ୍କ ଅଭାବ ଯୋଗୁଁ ପ୍ରାଣୀ ସଂପଦ ସମସ୍ୟା ମଧ୍ୟ ଦେଇ ଗତି କରୁଛିି । ବନ୍ତ ବ୍ଳକର ବନ୍ତ ଓ ଆଗରପଡ଼ାରେ ଦୁଇ ଗୋଟି ପଶୁଚିକିତ୍ସା କେନ୍ଦ୍ର ରହିଛି । ଏହାର ଅଧିନରେ ୧୧ଗୋଟି ପ୍ରାଣୀଧନ ଉପକେନ୍ଦ୍ର ମାନ ରହିଛି । କେତେକ କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ନଥିବା ବେଳେ ଆଟେଡ଼ାଣ୍ଟ ପଦବି ଦୀର୍ଘ ବର୍ଷ ଧରି ଫାଙ୍କା ପଡ଼ିଛି । ଏହି ବ୍ଲକ ଅଧିନରେ ଥିବା କେନ୍ଦ୍ର ଗୁଡ଼ିକରେ ଗୃହାଭାବ ସାଙ୍ଗକୁ କର୍ମଚାରୀଙ୍କ ଅଭାବ ଯୋଗୁଁ ପ୍ରାଣୀ ମାନଙ୍କର ଉପଯୁକ୍ତ ଚିକିତ୍ସାରେ ସାଜିଛି ପ୍ରତିବନ୍ଧକ । ବିଶେଷ କରି ଗ୍ରାମାଚଂଳରେ ବସବାସ କରୁଥିବା ଚାଷୀ ମାନେ ସେମାନଙ୍କର ଆୟର ଅଭିବୃଦ୍ଧି କରିବାପାଇଁ ଗାଈ,ଛେଳି ,ମେଣ୍ଢା,କୁକୁଡ଼ା ,ବତକ ଆଦିକୁ ପାଳନ କରି ନିଜେ କିପରି ଆତ୍ମ ନିର୍ଭରଶୀଳ ହେବେ ଏହାକୁ ନେଇ ସରକାର ପ୍ରେତ୍ସାହନ ସୃଷ୍ଟି କରିଛନ୍ତି । ହେଲେ ବିଭିନ୍ନ ମୌଜା ରେ ଥିବା ବହୁ ଏକର ପରିମିତ ଗୋଚର ପଡ଼ିଆ କୁ କିଛି ସ୍ୱାର୍ଥନ୍ୱେଷୀ ବ୍ୟକ୍ତି ଦୀର୍ଘ ବର୍ଷ ଧରି ନିଜର ଅଧିନରେ ରଖି ତାହାକୁ ନିଜର ଗୃହ ,ବାଡ଼ି ଓ ଧାନ କ୍ଷେତ ରୂପେ ବ୍ୟବହାର କରିବା ରୁ ତାହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ରାସ୍ତା ପାଖ ରେ ଥିବା ସରକାରୀ ଜମି ଜବରଦଖଲଙ୍କ ଅଧିନରେ ରହିଛି ।

ଫଳରେ ଦିନକୁ ଦିନ ଚାରଣ ଭୂମି ର ହ୍ରାସ ସହ ଉପଯୁକ୍ତ ଚିକିତ୍ସା ଭାବ କୁ ନେଇ ଚାଷୀ ମାନେ ପାଳନ କରିଥିବା ପ୍ରାଣୀ ମାନଙ୍କର ସଂଖ୍ୟା କୁ ବହୁ ମାତ୍ରାରେ ହ୍ରାସ କରିବାକୁ ବାଧ୍ୟ ହେଉଥିବାର ପ୍ରକାଶ କରୁଛନ୍ତି । ଚାରଣ ଭୂମିର ଅଭାବ ଯୋଗୁଁ ରାଜରାସ୍ତା ଗୋରୁ ଗାଈଙ୍କ ପାଇଁ ଚାରଣ ଭୂମି ପାଲଟିଥିବାର ଦେଖାଯାଇଛି । ଫଳରେ ବହୁ ସମୟରେ ଏହାର ଅବାଧରେ ଚଳାଚଳ ଯୋଗୁଁ ଦୁର୍ଘଟଣା ମାନ ଘଟିବାରେ ଲାଗିଛି । କିଛିବର୍ଷ ପୂର୍ବେ ବନ୍ତ ତହସିଲ ପକ୍ଷରୁ ସରକାରୀ ଜମିକୁ ଚିହ୍ନଟ କରାଯାଇ ଜବରଦଖଲ କାରୀଙ୍କ ଠାରୁ ଉଚ୍ଛେଦ କରାଯାଇ ତାହାକୁ ଘେରା ବନ୍ଦିରେ ରଖାଯାଇଥିଲା । ହେଲେ ଏହି ଅଭିଯାନ ଦୀର୍ଘ ବର୍ଷ ହେବ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଯାହାକୁ ସରକାରଙ୍କ ଅଧିନକୁ ଅଣାଯାଇଥିଲା ତାହା ଏବେ ଜବରଦଖଲ କାରୀଙ୍କ ଅଧିନକୁ ଚାଲି ଯାଉଥିବାର ଅଭିଯୋଗ ହେଉଛି । ଜବରଦଖଲ କାରୀ ଙ୍କ ଯୋଗୁଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଂଚଳର ଉନ୍ନତି ପାଇଁ ଆସୁଥିବା ବିଭିନ୍ନ ଯୋଜନା ଯଥା ଖେଳପଡ଼ିଆ, ସରକାରୀ ଗୃହ,ଯାତାୟତ ରାସ୍ତା ନିର୍ମାଣ ରେ ପ୍ରତିବନ୍ଧକ ସାଜୁଛି । ଅନ୍ୟପକ୍ଷରେ ସରକାରୀ ଜମିର ଜବର ଦଖଲକୁ ନେଇ ବିଭିନ୍ନ ସମୟ ରେ ନାନା ମାମଲା ମାନ ସୃଷ୍ଟି ହେବାରେ ଲାଗିଛି । ପ୍ରାଣୀ ସଂପଦର ଅଭିବୃଦ୍ଧି ପାଇଁ ବର୍ଷବର୍ଷ ଧରି ଶୁନ୍ୟ ପଡ଼ିଥିବା ବିଭିନ୍ନ ପଦବୀ ର ପୁରଣ ସହ ଦିନକୁ ଦିନ ବିଲୁପ୍ତ ହେବାକୁ ବସୁଥିବା ସରକାରୀ ଜମି କୁ ଜବରଦଖଲ କାରୀଙ୍କ କବଳରୁ ଉଦ୍ଧାର କରାଯାଇପାରିଲେ ପ୍ରାଣୀ ସଂପଦର ଅଭିବୃଦ୍ଧି ହେବାସହ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ସୁଚାରୁରୁପେ ସମ୍ପାଦିତ ହୋଇପାରିବ ବୋଲି ବଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।