Onn 3

ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

State

puri

କଟକ: ଓଡ଼ିଶା ହାଇକୋର୍ଟରେ ଶୁକ୍ରବାର ଅପରାହ୍‌ଣରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ, ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ। ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଆଗାମୀ ୨ ମାସ ମଧ୍ୟରେ କମିଟି ଗଠନ କରାଯିବ। କମିଟି ଗଠନ ବେଳେ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିପାରିବେ। ଆବେଦନକାରୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଏନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ସ୍ଥିତି ଭଲ ନାହିଁ। ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ରତ୍ନ ଭଣ୍ଡାର ଭିତର ଯାଞ୍ଚ କରାଯିବା ସହିତ ସଂରକ୍ଷଣ ଓ ମରାମତି ପାଇଁ ପଦକ୍ଷେପ ନିଆଯିବା ଉଚିତ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ରିପୋର୍ଟ ଏଭଳି କିଛି ତଥ୍ୟ ରଖୁଛି ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସ୍ଥିତି ସଂପର୍କିତ ମାମଲାର ଶୁଣାଣି ସମୟରେ ଦର୍ଶାଇଥିଲେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ। ରତ୍ନଭଣ୍ଡାର ମରାମତି ଓ ଏହା ଭିତରେ ଥିବା ସୁନା, ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ପ୍ରସଙ୍ଗ ସଂପର୍କିତ ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଦ୍ବାରା ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଶ୍ରୀ ଆଚାର୍ଯ୍ୟ ଏଭଳି ଯୁକ୍ତି ରଖିଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜୁଲାଇ ୫ରେ ଏହି ଜନସ୍ବାର୍ଥ ଆବେଦନର ହାଇକୋର୍ଟ ଶୁଣାଣି କରି ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ପ୍ରଶାସନ, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ ଓ ଭୁବନେଶ୍ବର ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କୁ ନୋଟିସ୍ ଜାରି କରିଥିଲେ। ମାମଲାରେ ମୁଖ୍ୟ ସଚିବ, ଆଇନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ, ଏଏସ୍‌ଆଇ ଡିଜି, ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ, ପୁରୀ ରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ସିବିଆଇକୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ ସ୍ପନ୍ଦନ ତ୍ରିପାଠୀ, ସୁମନ ପ୍ରିୟଦର୍ଶିନୀ ହୋତା, ପ୍ରୀତମ ପ୍ରଧାନ, ପ୍ରୀତିପ୍ରଜ୍ଞା ଦାସ ସହାୟତା କରୁଥିଲେ।