Download

ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

State

ଭୁବନେଶ୍ୱର: ଅଂଶୁଘାତ ନେଲାଣି ୪ ଜୀବନ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ଘଟିଛି । ଢେଙ୍କାନାଳ, ବାଲେଶ୍ବରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ, ମୟୂରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆହୁରି ୧୪ ଜଣ ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତଦନ୍ତ ଚାଲିଛି । ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତିଟି ଲୋକ ବଢୁଥିବା ତାପମାତ୍ରାକୁ ନେଇ ସଜାଗ ରହିବା ଜରୁରୀ । ତାପମାତ୍ରାକୁ ନେଇ ଲୋକଙ୍କ ମନରେ ଅଂଶୁଘାତର ଭୟ ମଧ୍ୟ ରହିଛି ।

ଅନ୍ୟପଟେ ଗଣମାଧ୍ୟମର ରିପୋର୍ଟ ମୁତାବକ, ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ପାର କରିଛି । ସୋମବାର ପାଣିପାଗ ଏନେଇ ରେଡ୍ ଆଲର୍ଟ ଜାରି କରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ନ୍ୟାସନାଲ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ ମାର୍ଚ୍ଚ ପହିଲାରୁ ଏପର୍ଯ୍ୟନ୍ତ ଦେଶରେ ୧୬ ହଜାରରୁ ଅଧିକ ଲୋକ ଅଂଶୁଘାତରେ ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ଅତ୍ୟଧିକ ତାପମାତ୍ରା କାରଣରୁ ଶରୀର ଉତ୍ତାପକୁ ନିୟନ୍ତ୍ରଣ କରିପାରେନାହିଁ । ଏହି ସମୟରେ ଲୋକଙ୍କୁ ଅଂଶୁଘାତ ବା ହିଟ୍ ଷ୍ଟ୍ରୋକ୍ ହୁଏ । ହିଟ୍ ଷ୍ଟ୍ରୋକ୍ ହେବାର ୧୦ ରୁ ୧୫ ମିନିଟ୍ ମଧ୍ୟରେ ଜଣେ ବ୍ୟକ୍ତିର ଶରୀର ସାଧାରଣ ତାପାମତ୍ରାକୁ ଆସିବା ଆବଶ୍ୟକ, ନହେଲେ ମୃତ୍ୟୁବରଣ ହେବାର ସମ୍ଭାବନା ଥାଏ ।