0.77713900 1672642088 Summer 750x430

ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ

State

ଭୁବନେଶ୍ଵର: ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ । ସମ୍ପୁର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ୧୫ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧.୦୦ ଓ ଅପରାହ୍ନ ୩.୩୦ ମଧ୍ୟରେ ସୃଷ୍ଟ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତରୁ ରକ୍ଷା କରିବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ବିହିତ ପଦକ୍ଷେପ ନେବା ପାଇଁ ସମସ୍ତ ରାଜସ୍ଵ କମିଶନର, ସମସ୍ତ ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଓଡିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡିଶାରେ ଥିବା ଭାରତ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କ ଅଧିନରେ କାର୍ଯ୍ୟକରୁଥିବା ସମସ୍ତ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ନିମନ୍ତେ ପ୍ରତୂହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ କାର୍ଯ୍ୟରେ ନଲଗେଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଯଦି କିଛି ଜରୁରୀ କାର୍ଯ୍ୟ ଥାଏ ତେବେ ନିଯୁକ୍ତିଦାତା ମାନେ ଶ୍ରମିକ ମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସମସ୍ତ ସତର୍କମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସିଡିଏମଓ, ଏସଡିଏମଓ, ପିଏଚସି, ସିଏଚସି ଚିକିତ୍ସାଳୟ ଗୁଡିକର ଚିକିତ୍ସାଧିକାରୀମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପ ଜନିତ ପରିସ୍ଥିତିରେ ସମ୍ଭାବ୍ୟ ମୁକାବିଲା ସହ ରୋଗୀମାନଙ୍କର ତତ୍ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।