Onn 3

ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ ଚାନ୍ଦିନୀକୁ ସମ୍ବର୍ଦ୍ଧିତ କଲେ କୁଳିଅଣା ବ୍ଲକ ଶିକ୍ଷକ ସଙ୍ଘ

State

ବାରିପଦା : ବାରିପଦା ନିକଟସ୍ଥ କୁଳିଅଣା ବ୍ଲକର ରଘୁନାଥଗଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷୟତ୍ରୀ ଓ ପିତାମାତାଙ୍କ ଗହଣରେ କୁଳିଅଣା ବ୍ଲକ ଶିକ୍ଷକ ସଙ୍ଘ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଚାନ୍ଦିନୀ ଖାତୁନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି I କୁଳିଅଣା ବ୍ଲକ ଶିକ୍ଷକ ସଂଘର ସଭାପତି ଦିଲ୍ଲୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ବିମଳ କୁମାର ଆଚାର୍ଯ୍ୟ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ମାତ୍ର ନଅ ବର୍ଷର କୁନି ଝିଅର କୃତିତ୍ୱ ସମସ୍ତଙ୍କୁ ଚକିତ କରିବା ସହ ନିଜ ବିଦ୍ୟାଳୟ, କୁଳିଅଣା ବ୍ଲକ, ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଅଭିନନ୍ଦନ ଜଣାଇଥିଲେ I ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ପ୍ରକାଶ କରିଥିଲେ ଯେ ଉପଯୁକ୍ତ ପ୍ରଶିକ୍ଷଣ ପାଇଲେ ଚାନ୍ଦିନୀ ନିଶ୍ଚିତ ଭାବେ ଦିନେ ଦେଶ ପାଇଁ ପ୍ରତିନିଧିତ୍ବ କରିପାରିବେ I

ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଅମୀୟ କୁମାର ସାହୁ, ଉପ ସଭାପତି ପ୍ରହଲ୍ଲାଦ ଗିରି, ସମନ୍ୱୟ ସମିତିର ସଭାପତି ପ୍ରଦୀପ ବାରିକ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଦୀପକ ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ଦାସ ପ୍ରମୁଖ ଉପସ୍ଥିତ ରହି କୁନି ପ୍ରତିଭା ଚାନ୍ଦିନୀ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ସମସ୍ତଙ୍କ ଉପସ୍ଥିତିରେ ଚାନ୍ଦିନୀକୁ ପୁଷ୍ପଗୁଛ ଓ ସନ୍ତରଣ ପୋଷାକ ଦେଇ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାରତୀ ତ୍ରିପାଠୀ ତାଙ୍କ ବିଦ୍ୟାଳୟରେ କୁନି ପ୍ରତିଭାଟିକୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I