Photo For The News Of Road

ଖବର ପ୍ରକାଶ ପରେ ଆରମ୍ଭ ହେଲା ରାସ୍ତା ନିର୍ମାଣ କାର୍ଯ୍ୟ

State

ଆଗରପଡ଼ା :ଗତ ମାର୍ଚ୍ଚ ମାସରେ “ଖବର ପ୍ରକାଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ;ଅସରାଏ ବର୍ଷାରେ ଗମନାଗମନ ଠପ୍‌” ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଇତି ମଧ୍ୟରେ ବିଭାଗ ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଗୋହିରା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଅସରାଏ ବର୍ଷାରେ ଗମନାଗମନ ପୂରା ଠପ୍ ହୋଇପଡ଼ୁଥିଲା । ସାମାନ୍ୟ ବର୍ଷା ହେଲେ ସ୍ଥାୟୀ ରାସ୍ତା ନଥିବା ହେତୁ ଉକ୍ତ ଗ୍ରାମକୁ ଗମନାଗମନ କରିବା ଅସମ୍ଭବ ହୋଇପଡ଼ୁଥିଲା । କାଦୁଅ ପଚପଚ ରାସ୍ତା ଗମନାଗମନରେ ବିପଦ ସୃଷ୍ଟି କରୁଥିଲା । ଉକ୍ତ ଗାଁର ଲୋକସଂଖ୍ୟା ପାଖାପାଖି ୭୫୦ ମାତ୍ର ଏହି ଗାଁକୁ ଭଲ ରାସ୍ତାଟିଏ ନଥିଲା । ସରମରା ଗାଁରୁ ଠାରୁ ଲମ୍ବିଥିବା ମାଟି ରାସ୍ତାରେ ପ୍ରାୟ ୮୦୦ମି ଗଲାପରେ ଏହି ଗାଁ ପଡ଼େ । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କୁହାଯାଉଥିଲା । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବ ହେଉନଥିଲା ।

ଚାଷଜମି ମଧ୍ୟରେ ୨/୩ ଫୁଟର ଲମ୍ବ ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ ଥିଲା । ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟାତ ସଦାସର୍ବଦା କରୁଥିବା ହେତୁ । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା ସହିତ ସମାନ ଥିଲେ ସୁଦ୍ଧା ଏହା ଉପରେ ଗାଁ ଲୋକମାନେ ଯାଆଆସ କରୁଥିଲେ । ଏହି ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ସ୍କୁଲ ତଥା କଲେଜକୁ ଏହି ରାସ୍ତାଦେଇ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ଷା ଋତୁ ରେ ଏହି ଗାଁ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥାଏ । ଗମନାଗମନ ସମସ୍ୟା ଯୋଗୁଁ ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ଉକ୍ତ ଗାଁ ଭିତରକୁ ପ୍ରବେଶ କରିବା ଅସମ୍ଭବ ହୋଇପଡ଼ୁଥିଲା । ଏହି ସବୁ ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉତି ମଧ୍ୟରେ ବିଭାଗ ତରଫରୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି ।