Img 20240423 Wa0245

ଆମ ସଂସ୍କୃତି ଓ ଆମ ଖେଳନା ଉପରେ ଚାରିଦିନିଆ କର୍ମଶାଳା ଅନୁଷ୍ଠିତ

State

ବାରିପଦା: ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୩ ଟି କ୍ଲଷ୍ଟରର ଶିକ୍ଷକ / ଶିକ୍ଷୟତ୍ରୀ ଙ୍କୁ ନେଇ ଆମ ସଂସ୍କୃତି ଓ ଆମ ଖେଳନା ଉପରେ ୪ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କର୍ମଶାଳାରେ ପୂର୍ଣ୍ଣଚନ୍ଦ୍ର ପୁର, ଏମ କେ ସି ଓ ନହରପଦା କ୍ଲଷ୍ଟରର ମୋଟ ୪୫ ଜଣ ଶିକ୍ଷକ / ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ I ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର କୁନିକୁନି ପିଲାଙ୍କୁ ପାଠ ପ୍ରତି ଆକର୍ଷିତ କରିବା ସହ ନିଜ ସଂସ୍କୃତି ସହ ଅବଗତ କରିବା ପାଇଁ କାଠ, ମାଟି, ବୋବାଇ ଘାସ ଓ ପ୍ଲାଇ ରେ ବିଭିନ୍ନ ପ୍ରକାରର ଖେଳନା ପ୍ରସ୍ତୁତ କରିବାର ଉପାୟ ଜାଣିବା କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା I ସାଧନ କର୍ମୀ ଭାବେ ଦୁଇ କଳା ଶିକ୍ଷକ ସରୋଜ କୁମାର ମହାନ୍ତ ଓ ମହେଶ୍ୱର ମାର୍ଣ୍ଡି ଯୋଗ ଦେଇ ଖେଳନା ପ୍ରସ୍ତୁତି ପାଇଁ ସହଯୋଗ କରିଥିଲେ I ବ୍ଲକ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାର ଉଦଘାଟନ କରିଥିଲେ I ଚାରିଦିନ ଭିତରେ ସହାୟକ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ, ଡଃ ସ୍ନେହଲତା ବେହେରା ଓ ତପସ୍ୱିନୀ ଦାଶ ଏବଂ ସମଗ୍ର ଶିକ୍ଷା, ମୟୁରଭଞ୍ଜର ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି କର୍ମଶାଳା ପରିଦର୍ଶନ କରିଥିଲେ I ତିନୋଟି କ୍ଲଷ୍ଟରର ସି ଆର ସି ସି ଧନଞ୍ଜୟ ସାହୁ, ରାଜକିଶୋର ସେଠୀ ଓ କନକଲତା ମାଝୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I