ଆଗରପଡ଼ା :ଭଦ୍ରକ ଜିଲ୍ଳା ବନ୍ତ ବ୍ଲକ ଚାରିଗାଁ ଚାରିଗାଁ ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ନିଶିକାନ୍ତ ସାହୁ । ଶିତତାପ ନିୟନ୍ତ୍ରିତ ବ୍ରୟେଲର ଫାର୍ମ ସହ ମତ୍ସ୍ୟ ଓ ପନିପରିବା ଚାଷ କରି ସେଥିରୁ ଭଲ ରୋଜଗାର କରିବା ସହ ଅନ୍ୟ ଯୁବ ଗୋଷ୍ଠୀଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି । ନିକଟରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ମତ୍ସ୍ୟ ଓ ପଶୁ ସଂପଦ ମେଳାରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସଚିବ ସୁରେଶ କୁମାର ବଶିଷ୍ଠ ତାଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ଚାରିଗାଁ ଗ୍ରାମର ଶିକ୍ଷକ ଉମାକାନ୍ତ ସାହୁଙ୍କ ପୁତ୍ର ନିଶିକାନ୍ତ । ବାଣିଜ୍ୟ ପାଠ୍ୟକ୍ରମରେ ସ୍ନାତକ ଡ଼ିଗ୍ରୀ ହାସଲ ପରେ ସରକାରୀ ଚାକିରି ଅନ୍ୱେଷଣରେ ବାହାରି ନିରାଶ ହେବାପରେ ନିଜଗୋଡ଼ରେ ନିଜେ ଠିଆ ହେବାକୁ ପ୍ରୟାସ ଆରମ୍ଭ କରିଥିଲେ । ଦିନେ ଆଗରପଡ଼ାରେ ପଶୁସଂପଦ ବିଭାଗ ପକ୍ଷରୁ ଶିକ୍ଷିତ ଯୁବକମାନଙ୍କୁ କର୍ମ ସଂସ୍ଥାନ ପାଇଁ ଏକ ବୈଠକ ସହ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଥିଲା । ଉକ୍ତ ବୈଠକରେ ନିଶିକାନ୍ତ ଯୋଗଦେଇ ସ୍ୱାବଲମ୍ବୀ ହେବାର ପ୍ରେରଣା ପାଇଥିଲେ ।
ପରେ ନିଜର ଗ୍ରାମରେ ଥିବା ନିଜସ୍ୱ ବୃତ୍ତି ଉପରେ ୨୦୨୩ ମସିହାରେ ଏକ ଶୀତ ତାପ ନୀୟନ୍ତ୍ରିତ ବ୍ରୟେଲର କୁକୁଡ଼ା ଫାର୍ମ କରିତଥିଲେ । ସେଥିରେ ତିନି ସିପ୍ଟରେ କୁକୁଡ଼ା ପାଳନରେ ସମସ୍ତ ଖର୍ଚ୍ଚ ଯାଇ ଏବେ ସେଥିରୁ ଦେଢ଼ଲକ୍ଷ ଟଙ୍କା ଲାଭ ହେଉଥିବାର ପ୍ରକାଶ କରିଛନ୍ତି ନିଶିକାନ୍ତ । ଏଥି ସହ ମଧ୍ୟ ଫାର୍ମ ପାଖରେ ପୋଖରୀ ଖୋଳି ସେଥିରେ ମାଛଚାଷ ସହ ତାହାର ଆଡ଼ିରେ ବିଭିନ୍ନ କିଶମର ପନି ପରିବା ଚାଷ କରୁଛନ୍ତି । ଏହି ଚାଷରେ ସେ ଆତ୍ମସନ୍ତୋଷ ପାଇବା ସହ ସେଥିରୁ ଭଲ ଅର୍ଥ ରୋଜବାର କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାରକୁ ସୁଚାରୁରୁପେ ଚଳାଇ ପାରୁଛନ୍ତି । ଏହି ବ୍ଲକରେ ବହୁ କୁକୁଡ଼ା ଫାର୍ମ ଥିଲେ ମଧ୍ୟ ନିଶିକାନ୍ତଙ୍କ ଫାର୍ମ ଭିନ୍ନ । ବର୍ତମାନ ଗ୍ରୀଷ୍ମ ରୁତୁ ଚାଲୁ ଥିବାରୁ କୁକୁଡ଼ା ପାଳନ ପାଇଁ କିଛି ଅସୁବିଧା ହେଉନାହିଁ । ଏହାକୁ ସୁଚାରୁରୁପେ ସଂପାଦନ ପାଇଁ ତାଙ୍କ ପରିବାରର ସଦସ୍ୟମାନେ ସହଯୋଗ କରନ୍ତି । ବର୍ତମାନ ବିଭିନ୍ନ ଫସଲରେ ବହୁ ପରିମାଣରେ ବିଶାକ୍ତ କୀଟନାଶକ,ପ୍ରୟୋଗ କରି ଅଧିକ ଆମଦାନୀ କରାଯାଉଥିବା ବେଳେ ସେ ଆବଶ୍ୟକୀୟ ପରିମାଣରେ କଂପୋଷ୍ଟ ଖତ ,ସାର ପ୍ରୟୋଗ କରି ଚାଷ କରୁଥିବା ପ୍ରକାଶ କରନ୍ତି । ତାଙ୍କର ଏହି ଫାର୍ମ ପାଇଁ ସେ ବନ୍ତ ବ୍ଲକର ଅଗ୍ରଣୀ ତଥା ଏକ ନମ୍ବର ଉଦ୍ୟମୀ ଚାଷୀ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ସଫଳତା ପାଇଁ ସେ ବିଭାଗୀୟ ଅଧିକାରୀଙ୍କ ସହ ପ୍ରାଣୀଧନ ନିରୀକ୍ଷକ ପ୍ରୀୟବ୍ରତ ରାଉତଙ୍କୁ ଶ୍ରେୟ ଦେଇଛନ୍ତି । ବର୍ତ୍ତମାନ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ବେଳେ ସ୍ୱାବଲମ୍ବୀ ନିଶିକାନ୍ତ ଉଚ୍ଚ ଶିକ୍ଷିତାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।