Photo For The News Of Block Education

ବ୍ଲକରେ ମାଳମାଳ ନକଲି ଶିକ୍ଷକ! ଅଧିକାରୀଙ୍କ ଯାଂଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ

State

ଆଗରପଡ଼ା :ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ପ୍ରମାଣପତ୍ରର ଯାଂଚ କରାଯାଇଥିଲେ ମଧ୍ୟ ଏବେବି ମାଳମାଳ ନକଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଅଭିଯୋଗ ହେଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଭାଗୀୟ ପଦାଧିକାରଙ୍କ ସହ ବୈଠକ ପରେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣପତ୍ର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ ପରେ ନିୟମିତ ଶିକ୍ଷକ,କନିଷ୍ଠ ଶିକ୍ଷକ,କନିଷ୍ଠ ଶିକ୍ଷକ(ଚୁକ୍ତିଭିତ୍ତିକ)ଙ୍କ ମାଟ୍ରିକ,ଯୁକ୍ତ୨,ଯୁକ୍ତ୩,ସିଟି,ବିଇଡ଼ି,ଜାତିଗତ ପ୍ରମାଣପତ୍ର,ଭିନ୍ନକ୍ଷମ ପ୍ରମାଣପତ୍ର,ଓଟିଇଟି,ଓଏସ୍‌ଏସ୍‌ଟିଇଟି,ମାଇଗ୍ରେସନ ପ୍ରମାଣପତ୍ର ଆଦି ଯାଂଚ କରାଯାଇଥିଲା । ତେବେ ଯାଂଚ ପରେ ମଧ୍ୟ ମାଳ ମାଳ ନକଲି ଶିକ୍ଷକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଆଦେଶ ଅନୁସାରେ ଯାଂଚ ପରେ ନକଲି ପ୍ରମାଣପତ୍ରଧାରୀ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଧରାନପଡ଼ିଲେ ସେଥିପାଇଁ ଯାଂଚ କରୁଥିବା ଅଧିକାରୀ ଓ କର୍ମଚାରୀ ଦାୟୀ ରହିବେ । ଜନ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ଆଧାରରେ ବନ୍ତ ବ୍ଲକରେ ସରକାରୀ ଯାଂଚ ପରେ ଜଣାପଡ଼ିନଥିଲେ ମଧ୍ୟ ଜାଲ ସିଟି ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ଶିକ୍ଷକ ସାମ୍ନାକୁ ଆସିଥିଲେ ଓ ଅଭିଯୋଗ ପରେ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏବେ ବାକି ରହିଛି ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ଏହିପରି ବହୁ ଶିକ୍ଷକ ଆଜିବି ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକତା କରିଚାଲିଛନ୍ତି । ସୂଚନା ଅଧିକାର ଆଇନ ବଳରେ ଜାଲିଆତି ପଦାକୁ ଆସୁଥିବା ବେଳେ ବିଭାଗୀୟ ଯାଂଚ ଅଧିକାରୀ ନକଲି ଶିକ୍ଷକଙ୍କୁ କାହିଁକି ଓ କିପରି ଧରି ପାରୁନାହାନ୍ତି ଏହା ତାଙ୍କ ଯାଂଚ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ନିୟମିତ ଶିକ୍ଷକ,କନିଷ୍ଠ ଶିକ୍ଷକ,କନିଷ୍ଠ ଶିକ୍ଷକ(ଚୁକ୍ତିଭିତ୍ତିକ)ଙ୍କ ପ୍ରମାଣପତ୍ର ପୁନଃ ଯାଂଚ କରି ନକଲି ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଯାଂଚ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୯ଟି ଜିଲ୍ଲା ଯାଂଚ ତଥ୍ୟ ପଠାଇଥିବା ବେଳେ ୧୧ଟି ଜିଲ୍ଲା ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ହୋଇବସିଛନ୍ତି ।

ତନ୍ନମଧ୍ୟରୁ ଭଦ୍ରକ ଜିଲ୍ଲା ଅନ୍ୟତମ । ସୂଚନା ଅଧିକାର ଆଇନରେ ବ୍ଲକ ଶିକ୍ଷାଧିକାରୀଙ୍‌ୁ ବିଭିନ୍ନ ସ୍କୁଲର ଶିକ୍ଷକଙ୍କ ପ୍ରମାଣପତ୍ର ମାଗିଲେ ସେମାନେ ଏଥିରେ ସୂଚନା ଅଧିକାର ଆଇନର ଅପବ୍ୟବହାର କରିବା ସହ ଜାଲ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି । ଅଭିଯୋଗ ପରେ କିଛି ଅଧିକାରୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାରିବର୍ତ୍ତେ ସେମାନଙ୍କୁ ପଦୋନ୍ନତ୍ତି ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ବିଗତ ଦିନରେ ଏହିପରି ଦୃଷ୍ଟାନ୍ତ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ଦେଖିବାକୁ ମିଳିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ କୌଣସି ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଲେ ବ୍ଲକ ଶିକ୍ଷାଧିକାରୀ ଥାନାରେ ଏତାଲା ଦେବା ପରେ ଚାକିରୀରୁ ବରଖାସ୍ତ କରିବା କଥା । କିନ୍ତୁ ଏଥିରେ ମଧ୍ୟ ବ୍ୟତିକ୍ରମ ଘଟୁଛି । ଅଧିକାରୀ ନକଲି ପ୍ରମାଣପତ୍ର ଧାରୀଙ୍କୁ ଚାକିରୀରୁ ବରଖାସ୍ତ କରି ଚୁପ ହୋଇ ବସିପଡୁଥିବା ଜଣାପଡୁଛି । ଉକ୍ତ ବ୍ଲକରେ ବାହାର ବିଶ୍ୱବିଦ୍ୟାଳୟର ବିଉଡ଼ି ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ଶିକ୍ଷକଙ୍କ ପ୍ରମାଣପତ୍ରର ଯାଂଚ ଉତ୍ତର ସେମାନେ କରିଥିବା ବିଶ୍ୱବିଦ୍ୟାଳୟରୁ ଆସିବାରେ କାହିକିଁ ବିଳମ୍ବ ହେଉଛି ଓ ଯଦି ଯାଂଚ ପାଇଁ ପଠା ଯାଇନି କ’ଣ ପାଇଁ ପଠାଯାଇନି ତାହା ମଧ୍ୟ ଯାଂଚ ଅଧିକାରୀଙ୍କ ଯାଂଚ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏଥିନେଇ ଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ବହୁ ନକଲି ଶିକ୍ଷକ ପଦାକୁ ଆସିବେ ବୋଲି ଅଭିଯୋଗ ହେଉଛି । ତେଣୁ ସମସ୍ତ ପ୍ରାଥମିକ ଶିକ୍ଷକ ଓ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କ ପ୍ରମାଣପତ୍ର ପୁନ଼ଃ ଯାଂଚ କରିବା ସହ ଠିକ୍ ଭାବେ ପ୍ରମାଣପତ୍ର ଯାଂଚ କରିନଥିବା ଏବଂ ଜାଣିଶୁଣି ନକଲି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଘଣ୍ଟଘୋଡ଼ାଇଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେବାକୁ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।