ଆଗରପଡ଼ା :ମନୁଷ୍ୟ ଏପରି ଏକ ପ୍ରାଣୀ ଯିଏକି ଧରାପୃଷ୍ଠକୁ ସ୍ପର୍ଶ କରି ଲୀନ ହେବା ଭିତରେ କୌଣସି ନା କୌଣସି ମୁହୂର୍ତରେ ଦେବାଦେବୀଙ୍କ ଆଶ୍ରିତ ହୋଇଥାଏ । ସେହି ଦେବାଦେବୀ ମନୁଷ୍ୟର ଭକ୍ତି ରୂପକ ଅର୍ଘ୍ୟରେ ଆଶ୍ରୀର୍ବାଦ ରୂପକ ଆଲୋକ ପ୍ରଦାନ କରି, ବିଭିନ୍ନ ଅଂଚଳରେ ବିଭିନ୍ନ ରୂପରେ ଆର୍ବିିଭୂତ ହୋଇ, ମନୁଷ୍ୟର ଚଲାପଥକୁ ସୂଚାରୁ ରୂପେ ପରିଚାଳନା କରିଥାଆନ୍ତି । ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ାର ପୁରୁଷଣ୍ଢ ଗ୍ରାମରେ ମହିମାମୟୀ ମା’ ଚଣ୍ଡୀ ଙ୍କର ଅଲୌକିକ ବାର୍ତା ସଂପର୍କରେ ଆରପଡ଼ାରୁ ମୋନାଲିସା ମହାନ୍ତିଙ୍କ ସ୍ୱତନ୍ତ୍ର ଆଲେଖ୍ୟ । ଆଜକୁ ଚାରିଶହରୁ ଉର୍ଦ୍ଧ୍ୱ ବର୍ଷ ପୂର୍ବେ ତିନି ବନ୍ଧୁ ଯଥା:- ସଟୁଆ, ପାଣୁଆ ଓ ଚନ୍ଦୁଆ କୌଣସି କାରଣ ବସତଃ କାଂଚି ଯାତ୍ରା କରିଥାନ୍ତି ଓ ସେଠାରୁ ଫେରିବା ସମୟରେ ତାଙ୍କ ସାଥିରେ ମା’ ଚଣ୍ଡୀଙ୍କ ଆଗମନ ହୋଇଥାଏ । ମା’ ଚଣ୍ଡୀ ତାଙ୍କୁ ନିର୍ଦ୍ଦେଶ ଦିଅନ୍ତି ଯେ ତୁମେ ଆଗେଆଗେ ଚାଲ ମୁଁ ତୁମ ପଛେପଛେ ଚାଲୁଛି । ତୁମେ ଯେଉଁଠାରେ ପଛକୁ ବୁଲି ଚାହିଁବ ମୁଁ ସେହିଠାରେ ପଥର ପାଲଟିଯିବି । ମା’ଙ୍କ ନିର୍ଦ୍ଦେଶ ମାନି କାଂଚିରୁ ତିନି ବନ୍ଧୁ ତାଙ୍କ ଗନ୍ତବ୍ୟ ପଥରେ ଆଗମନ ହୁଅନ୍ତି ଏବଂ ଏପରି ଏକ ପରିସ୍ଥିତି ସୃଷ୍ଟି ହୁଏ ଯେଉଁଠାରେ ମା’ ଚଣ୍ଡୀଙ୍କ ନୂପୁର ଶଦ୍ଦ ଶୁଣି ନପାରି ତିନି ବନ୍ଧୁ ପଛକୁ ଚାହିଁ ମାତାଙ୍କ ଉପସ୍ଥିତିକୁ ଅନୁଭବ କରିବା ସ୍ଥଳେ ମାତା ପଥର ପାଲଟି ଯାଇ ଏହି ଆଗରପଡ଼ାର ପୁରୁଷଣ୍ଢ ଗ୍ରାମରେ ଅବସ୍ଥାପତି ହୁଅନ୍ତି । ପରମୁହୁର୍ତ ରେ ସେହି ତିନି ବନ୍ଧୁ ରାଜାଙ୍କ ଆଶ୍ରୀର୍ବାଦର ପାତ୍ର ହୋଇ ତିନୋଟି ଗ୍ରାମ ଦାନ ସ୍ୱରୂପ ପ୍ରାପ୍ତ କରନ୍ତି । ସେହି ତିନୋଟି ଗ୍ରାମ ଯଥା:- କୁଆଁସମଢ଼ିଆ, ଟିକିରା ଓ ଶ୍ରୀରାମପୁର । ସେହି ସମୟରେ କୌଣସି ଜାତି ପ୍ରଥାର ପରମ୍ପରା ନଥିବାରୁ ତାଙ୍କୁ ମହାନ୍ତି ଉପାଧିରେ ଭୂଷିତ କରିଥାନ୍ତି ରାଜା ଓ ପରମୂହୁର୍ତରେ ତାଙ୍କ ବଂଶଜ ମାନେ କରଣ ଜାତିରେ ପରିପାଳିତ ହୋଇଥାନ୍ତି । ଆଜି ପର୍ଯ୍ୟନ୍ତ ଏହି ସବୁ ଗ୍ରାମରେ କୌଣସି ଶୁଭ କର୍ମ ହେଲେ ଏକ ଭୁଜ୍ୟ ସେମାନଙ୍କ ନାମରେ ଦେବାର ପରମ୍ପରା ରହିଆସିଛି । ମା’ଙ୍କ ଅବସ୍ଥାପିତ ସ୍ଥାନରେ ତିନୋଟି ଗଢ଼ିଆ ଥିବାର ପରିଲକ୍ଷିତ ହୋଇଛି । ସେହି ତିନୋଟି ଗଢ଼ିଆର ନାମ ଯଥା:- ସଟୁଆ ଗଢ଼ିଆ, ପାଣୁଆ ଗଢ଼ିଆ ଓ ଚଣ୍ଡୀ ଗଢ଼ିଆ ନାମରେ ନାମିତ ହୋଇଛି । ମା’ ପ୍ରଥମେ ଏକ ଅଶ୍ୱସ୍ଥ ବୃକ୍ଷ ମୂଳରେ ଅବସ୍ଥାପିତ ହୋଇ ପୂଜା ପାଇଥାନ୍ତି । ସେହି ସମୟରେ ତେଲି ବଂଶଜ ମା’ ଙ୍କ ସମ୍ମୁଖରେ ଘର ତୋଳିଥାଏ । ଏକ ସମୟରେ ଖଳାକୁ ମା’ ଙ୍କ ସମ୍ମୁଖ କରି ଧାନ ଉଡ଼ାଉ ଥିବା ସମୟରେ ମାଙ୍କ ମୁଖରେ ଧାନ ଗୁଣ୍ଡି ପଡ଼େ ।
ମା’ ପରମୂହୁର୍ତରେ ତାଙ୍କ ପୂଜକକୁ ସ୍ୱପ୍ନାଦେଶ ଦିଅନ୍ତି ଓ ସେହି ତେଲି ବଂଶଜଙ୍କ ଖଳାକ ୁ ଅନ୍ୟ ଦିଗକୁ କରିବାକୁ ନିର୍ଦ୍ଦେଶ ଦିଅନ୍ତି । କିନ୍ତୁ ସେହି ବଂଶଜ ଜଣଙ୍କ ମା’ଙ୍କୁ ଯଦି ସତରେ ତୁମେ ଅଛ ତୁମେ ତୁମ ମୁଁହ ବୁଲାଇଦିଅ ବୋଲି କହିଥାଏ । ପରବର୍ତୀ ସମୟରେ ମା’ ଚଣ୍ଡୀ ଦକ୍ଷିଣ ମୁଖାରୁ ପଶ୍ଚିମ ମୂଖା ହୋଇଥାନ୍ତି କିନ୍ତୁ ସେହି ବଂଶଜଟି ସଂପୂର୍ଣ୍ଣ ଲୋପ ପାଇଯାଇଥାଏ । ପ୍ରଥମେ ମା’ଙ୍କୁ ନଡ଼ା ଛପରର ମାଟି ଘରେ ସ୍ଥାପନ କରି ପୂଜା କରାଯାଉଥାଏ ଓ ତାଙ୍କ ପାଖରେ ଦୁଇଟି ସର୍ପଥିବାର ଦେଖାଯାଇଥାଏ କିନ୍ତୁ ପରେ ପ୍ରାଣବନ୍ଧୁ ପୁହାଣଙ୍କ ଉଦ୍ୟମରେ ଏକ ମନ୍ଦିର ତୋଳା ହୋଇ ମା’ ଙ୍କୁ ସେଠାରେ ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରାଯାଉଅଛି ଓ ସର୍ପଦୁଇଟି ଅଦୃଶ ହେବାର ଦେଖାଯାଇଅଛି । ମା’ ଙ୍କ ମହିମା ଅନେକ । ପୀଠ ସଂପର୍କରେ ବହୁ ପୁରାତନ ଜନ ସୃତି ରହିଥିଲେ ମଧ୍ୟ ତନ୍ମଧ୍ୟରୁ ଲୋକାକୃତ ଜନସୃତିରୁ ଜଣାଯାଏ ଯେ ଏକଦା ପୁରୁଷଣ୍ଢ ଗ୍ରାମର ଧୋବା ସାହିର ଜୈନିକ ଝିଅ ଥରେ ତାଙ୍କ ସାଙ୍ଗ ସାଥିଙ୍କ ଗହଣରେ ଭ୍ରମଣ କରି ଘରକୁ ଫେରିଆସିବା ସମୟରେ କୌଣସି ଏକ ମୂହୁର୍ତରେ ମା’ ଚଣ୍ଡୀ ତାଙ୍କ ଦେହରେ ଆସି ତାଙ୍କ ଘରେ ରହିଯାଇଥାନ୍ତି । କିଛି ଦିନ ପରେ ଝିଅଟିର ବାପାଙ୍କର ମୃତ୍ୟୁ ବରଣ ଘଟେ । ତାଙ୍କ ମୃତ୍ୟୁର ୧୧ଦିନ ଦିନ ଗୃହରେ ଆମିଷ ଭକ୍ଷଣ କରିବାରୁ ମାତାଙ୍କ କୋପ ଦୃଷ୍ଟିରୁ ଝିଅଟିର ଅଙ୍ଗ ଅଚଳ ହୋଇଯାଇଥାଏ । ସେହିପରି ପୁୁରୁଷଣ୍ଢ ଗ୍ରାମର ବୈଦ୍ୟନାଥ ପୁହାଣ ନାମକ ବ୍ୟକ୍ତି ୧୨ବର୍ଷ ବୈବାହିକ ଜୀବନ ଅତିବାହିତ କରିସାରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ସନ୍ତତି ପ୍ରାପ୍ତ ନହେଉଥିବା ସ୍ଥଳେ ସେ ମା’ଙ୍କ ଅପାର କରୁଣାରୁ ତାଙ୍କର ଏକ ପୂତ୍ର ସନ୍ତାନ ପ୍ରାପ୍ତ ହୁଏ । ଜନସ୍ରୁତି କହେ ଯେ ମା’ ଙ୍କ ଅଲୌକିକ ଶକ୍ତି ବଳରେ ସାରା ଓଡ଼ିଶାକୁ ଦୂର୍ଭିକ୍ଷର କଳାବାଦଲ ଘେରି ରହିଥିବାବେଳେ ଏହି ଅଂଚଳରେ ଜଳାଜପ କରି ଚଣ୍ଡୀପୂଜା ମାଧ୍ୟମରେ ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରାଯାଇଥାଏ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘ ସପ୍ତମୀରେ ମା’ଚଣ୍ଡୀଙ୍କ ଠାରେ ଭକ୍ତଙ୍କର ପ୍ରବଳ ଭିଡ଼ ହୋଇଥ୍ôଲା । ମା’ଙ୍କ ପବିତ୍ର ପୀଠରେ “ମା’ ଦକ୍ଷିଣଚଣ୍ଡୀ ଯୁବ ଉନ୍ନୟନ ପରିଷଦ” ପକ୍ଷରୁ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ପାଖଆଖରୁ ବହୁ ଭକ୍ତ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଥିଲେ ଓ ଅଂଚଳଟି ଚଳଚଂଚଳ ହୋଇଉଠିଥିଲା ।