ଆଗରପଡ଼ା :ଯୁଗର ସୃଷ୍ଟିରୁ ସମ୍ପ୍ରଦାୟ ର ସୃଷ୍ଟି । ସମ୍ପ୍ରଦାୟର ସୃଷ୍ଟିରୁ ବୃତ୍ତିର ସୃଷ୍ଟି । ସେହି ବୃତ୍ତି କୁ ପାଥେୟ କରି ମନୁଷ୍ୟ ତାର ଜୀବନର ଚଲାପଥରେ ଅଗ୍ରସର ହୋଇଥାଏ କିନ୍ତୁ ଆଧୁନିକ ଯୁଗରେ ଆଧୁନିକ ପରମ୍ପରାକୁ ଆପଣେଇବା ଇଛାରେ ଓ ନିଜର ଜୀବନ ଶୈଳୀର ପରିବର୍ତ୍ତନ ମଧ୍ୟରେ ମନୁଷ୍ୟ କ୍ରମଶଃ ଭୁଲିବାକୁ ବାଧ୍ୟ ହେଉଛି ନିଜର କୌଳିକ ବୃତ୍ତିକୁ କାରଣ ପରିବର୍ତ୍ତନ ଶୀଳ ଦୁନିଆରେ ସେବି ଚାହେଁ ତାର ବଞ୍ଚିବା ଶୈଳୀର ପରିବର୍ତ୍ତନ । ଏହି ପରିବର୍ତ୍ତନର ଆଶାରେ ହଜିବାକୁ ବସିଲାଣି ଭିନ୍ନ ଏକ ପରମ୍ପରା ଯୋଗୀ । ଆଉ ଶୁଭୁନି ଗାଁ ଦାଣ୍ଡରେ ଟୀକା ଗୋବିନ୍ଦ ଚନ୍ଦ୍ରର ଗୀତ “ଭଜୁ କୀନା ରାମ ନାମରେ କୁମର,ଭଜୁ କୀନା ରାମ…ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମରେ କୁମର, ବାନ୍ଧି ନେବ କାଳ ଯମ” ଏକତାରା ଓ କେନ୍ଦେରା ଦ୍ୱାରା ଯୋଗୀ ମାଧ୍ୟମରେ!ା ନାଥ ସମ୍ପ୍ରଦାୟର କୌଳିକ ବୃତ୍ତି ଯୋଗୀ ବୃତ୍ତି । ଏହି ବୃତ୍ତି କୁ ପାଥେୟ କରି ସେ ତା ଜିବୀକା ନିର୍ବାହ କରୁଥିଲା । ଦିନ ଥିଲା ଟୀକା ଗୋବିନ୍ଦ ଚନ୍ଦ୍ରର “ଭଜୁ କୀନା ରାମ ନାମରେ କୁମର,ଭଜୁ କୀନା ରାମ…ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମରେ କୁମର, ବାନ୍ଧି ନେବ କାଳ ଯମ” ଗୀତ କୁ ଗାଇ ଗାଇ ଗାଁ ଦାଣ୍ଡରେ ଚାଲି ଯାଉଥିବା ଯୋଗୀ ର କରୁଣ ସଂଗୀତ ର ଡ଼ାକକୁ ଶୁଣି ସବୁ କାମ ଛାଡ଼ି ଥାଳରେ ଭିକ୍ଷା ଧରି ବଢାଇ ଦିଅନ୍ତି ଯୋଗୀର ତୁମ୍ଭି ରେ ଦାନ ତ ଆଉ କେହି କେହି ଦିଅନ୍ତିି ପଇସା । କିନ୍ତୁ ସମୟ ଚକ୍ରରେ ଯୋଗୀ ଆଉ ପସନ୍ଦ କରୁ ନାହାଁନ୍ତି ଭିକ୍ଷା ବୃତ୍ତି କୁ ତତ୍ ସହିତ ଏକତାରା ଓ କେନ୍ଦେରା ନିର୍ମାଣ ମଧ୍ୟ ହେଉନାହିଁ । ଅନ୍ୟ ରାଜ୍ୟ ପରି ଏହି ଦୁଇ ବାଦ୍ୟ ଜନ୍ତ୍ରର ମହତ୍ୱ କୁ ଆମ ରାଜ୍ୟର ସରକାର ବା ବେସରକାରୀ ସଂସ୍ଥା କୌଣସି ମୂଲ୍ୟ ନ ଦେବା ହେତୁ ଏହା କ୍ରମଶଃ ବିଲୁପ୍ତ ହେବାକୁ ବସିଲାଣି ଓ ଏହା ମଧ୍ୟରେ ଭିନ୍ନ ଏକ ସମ୍ପ୍ରଦାୟ ଯୋଗୀ ମଧ୍ୟ ଭୁଲିବାକୁ ବସିଲାଣି ନିଜ କୌଳିକ ବୃତ୍ତିକୁ । ବନ୍ତ ବ୍ଲକ ଆଗରପଡ଼ା ଥାନା ଅନ୍ତର୍ଗତ ବଡ଼ମହିଷଗୋଠ ପଞ୍ଚାୟତର କିଛି ନାଥ ସଂପ୍ରଦାୟର ପରିବାରକୁ ଯୋଗାଯୋଗ କରିବାରୁ ଜଣାଯାଏ ଯେ :ଏହି ପଞ୍ଚାୟତରେ ପାଖାପାଖି ୬୦ ପରିବାର ଏହି ସମ୍ପ୍ରଦାୟର ତନ୍ନମଧ୍ୟରୁ ୪୦ ପରିବାର ଆଜିବି ନିଜ କୌଳିକ ବୃତ୍ତିକୁ ପାଥେୟ କରି ଜିବୀକା ନିର୍ବାହ କରୁଛନ୍ତି ।
ଗୟାଧର ନାଥ (୭୦)ଙ୍କ କହିବା ଅନୁଯାୟୀ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ନିଜ କୌଳିକ ବୃତ୍ତିରୁ ନିବୃତ୍ତ ରହି ଅନ୍ୟପନ୍ଥା ଅବଲମ୍ବନ କରି ପରିବାର ପ୍ରତି ପୋଷଣ କରୁଥିବା ବେଳେ ଗୟାଧର କିନ୍ତୁ ଆଜିବି ସେହି ବୃତ୍ତି ମାଧ୍ୟମରେ ନିଜ ଚାହିଦା ପରିପୁରଣ କରୁଛନ୍ତି । ସେହିପରି ନାରାୟଣ ନାଥ (୬୭)ଙ୍କ କହିବା ଅନୁଯାଇ ସେ ୯ବର୍ଷ ଠାରୁ ଆଜି ପର୍ୟ୍ୟନ୍ତ ବର୍ଷକ ବାର ମାସ ଭିକ୍ଷା ବୃତ୍ତି କରି ନିଜ ପରିବାର ପ୍ରତିପୋଷଣ କରି ଆସୁଛନ୍ତି ଏଥି ପାଇଁ ସେ ନିଜ ଗ୍ରାମଛାଡ଼ି ବହୁ ସମୟରେ ସୁଦୁର ସୁକିନ୍ଦା, ଅନୁଗୁଳ, ତାଳଚେର, ଜଟଣୀ,ଖୋର୍ଦ୍ଦା,ନୟାଗଡ଼ ଓ ଡ଼େଲାଙ୍ଗ ଆଦି ସହର ର ବିଭିନ୍ନ ଗ୍ରାମକୁ ଯାଇ ଭିକ୍ଷା ବୃତ୍ତି କରି ସେଥିରୁ ଯାହା ରୋଜଗାର କରନ୍ତି ସେଥି ରେ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ବୃତ୍ତିରୁ କରୁଥିବା ଆୟ ମାଧ୍ୟମରେ ଆଧୁନିକ ସମାଜରେ ପରିବାର ପ୍ରତି ପୋଷଣ କରିବାରେ ବହୁ କଷ୍ଟ ଅନୁଭବ କରୁଥିବାର ସେ କହନ୍ତି । ଟୀକା ଗୋବିନ୍ଦଚନ୍ଦ୍ର ଠାରୁ ଆରମ୍ଭ କରି ରାମଲିଳା,କୌଶଲ୍ୟା ଶୋକ,ମଥୁରା ଗମନ ଏବଂ କୃଷ୍ଣ ଜନ୍ମ ଆଦି ଗୀତ ତାଙ୍କର ମୁଖସ୍ତ । ବେଳେ ବେଳେ କାହାଘରେ ଯୋଗୀ ଯାଞ୍ଚଣା ଥିଲେ ପିଲାଙ୍କୁ ଯୋଗୀ ବେଶ କରାଇ ବେସ୍ କିଛି ଅଧିକ ରୋଜଗାର କରିଥାନ୍ତି ସେ । ତାଙ୍କ ସ୍ୱପ୍ନ ତାଙ୍କ ପିଲା ମାନେ ଅଧୁନିକ ସଭ୍ୟତାରେ ପ୍ରତିଷ୍ଟିତ ହେବା । ସେଥିପାଇଁ ସେ ସରକାରୀ ପ୍ରୋତ୍ସାହନ କୁ ଅନେଇ ବସିଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ କୌଣସି ସୁଫଳ ମିଳିପାରି ନାହିଁ । ସେହିପରି କାଳିଆ ନାଥଙ୍କ କହିବା ଅନୁଯାୟୀ ସେ ନିଜ କୌଳିକ ବୃତ୍ତିରୁ ନିଜକୁ ନିବୃତ୍ତ ରଖି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ମଧ୍ୟ ସେଥିରୁ କରୁଥିବା ରୋଜଗାରରେ ଆଧୁନିକ ସମାଜରେ ନିଜକୁ ପ୍ରତିଷ୍ଟିତ କରିବାରେ ବହୁକଷ୍ଟ ଅନୁଭବ କରୁଛନ୍ତି । ସେହି ପରି ଏହି ସମ୍ପ୍ରଦାୟର ଆଉକିଛି ପରିବାରକୁ ଯୋଗାଯୋଗ କଲେ ସେମାନେ କହନ୍ତି ଯେ ନୁଆପିଢିରେ ଆଉ ଯୋଗୀ ବୃତ୍ତି କୁ ଆପଣେଇବାକୁ କେହି ରାଜି ନୁହନ୍ତି । ସେମାନେ ଉଚ୍ଚ ଶିକ୍ଷିତ ହେବା ସହ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଜକୁ ନିୟୋଜିତ କରିବାରେ ଲାଗିଛନ୍ତି । କିଏ ଚାକିରି କରୁଛିତ କିଏ ବ୍ୟବସାୟ କରୁଛି ଓ ଆଉ କେହି ଚାଷ ବାଷ ରେ ମନ ନିବେଶ କରୁଛି । ତେଣୁ ସେମାନେ ଭାବପ୍ରବଣତାର ସହ ପ୍ରକାଶ କରନ୍ତି ଯେ ଆଗାମୀ କିଛି ବର୍ଷରେ ଗାଁରେ କେହି ବି ଯୋଗୀ ହେବାକୁ ବାହାରିବେ ନାହିଁ ତେଣୁ ଏପରି ଏକ ନିଆରା ସମ୍ପ୍ରଦାୟକୁ ବିଲୁପ୍ତ ହେବାରୁ ବଞ୍ଚାଇ ରଖିବା ପାଇଁ ସରକାରୀ ବା ବେସରକାରୀ ସ୍ତରରେ ଚେଷ୍ଟିତ ହେବା ନିତ୍ୟାନ୍ତ ଆବଶ୍ୟକ । ଅନ୍ୟ ରାଜ୍ୟ ପରି ଯେପରିକି ପଶ୍ଚିମବଙ୍ଗ, ସେଠାରେ ଯୋଗୀର ସମାନ୍ତରାଳ ପରମ୍ପରା ବାଉଲ୍ ସଂଗୀତ କୁ ସରକାରୀ ସିକୃତି ମିଳିବା ସହ ତାହା ଜନମାନସରେ ମଧ୍ୟ ଆଦୃତ ହୋଇସାରିଛି । ଯାହା ଫଳରେ ବାଉଲ୍ ସମ୍ପ୍ରଦାୟ ଭିକ୍ଷାବୃତ୍ତିରୁ ନିବୃତ୍ତ ରହି ଏବେ ନିଜକୁ ସଂଗୀତର ତାଳେ ତାଳେ ନିୟୋଜିତ କରି ପ୍ରତିଷ୍ଠିତ ହୋଇ ପାରିଲେଣି । ସଂଗୀତ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ସରକାରୀ ପ୍ରୋତ୍ସାହନ ପାଇପାରୁ ଥିବାରୁ ଅଧୁନିକ ଯୁଗରେ ନିଜ ଜୀବନ ଶୈଳିରେ ମଧ୍ୟ ପରିବର୍ତ୍ତନ ଆଣିପାରିଛନ୍ତି । ଏଣୁ ଯଦି ଆମ ରାଜ୍ୟରେ ଯୋଗୀ ସମ୍ପ୍ରଦାୟକୁ ସମାନ ପ୍ରୋତ୍ସାହନ ମିଳିପାରନ୍ତା ତେବେ ବୁଡ଼ିଯାଉଥିବା କୌଳିକ ବୃତ୍ତିକୁ ସେମାନେ ଉଜ୍ଜିବିତ ରଖିବା ସହ ନିଜକୁ ପ୍ରତିଷ୍ଟିତ କରି ଏକତାରା ଓ କେନ୍ଦେରା ପରି ଦୁଇ ବାଦ୍ୟ ଯନ୍ତ୍ର କୁ ନବ ଜନ୍ମ ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରନ୍ତେ ବୋଲି ବୁଦ୍ଧିଜିବୀ ମାନେ ମତ ପ୍ରକାଶ କରିଛନ୍ତି ।