Phoro For The News Of Community Centre

ନିର୍ମାଣକୁ ୫ବର୍ଷ ପୁରିଲା, ଗୋଷ୍ଠୀକେନ୍ଦ୍ର ଗୃହ ନିର୍ମାଣ ଅଧପନ୍ତରିଆ

State

ଆଗରପଡ଼ା :ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ପାରାବଂଧ ଠାରେ ୨୦୧୯-୨୦ ଆର୍ଥକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଆନୁକୁଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଏସଏଫସି ଯୋଜନାରେ ଟଙ୍କା ଏକ ଲକ୍ଷ ଚଉସ୍ତରୀ ହଜାର ଚଉଷଠି ଅଟକଳ ମୂଲ୍ୟରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ଆରମ୍ଭ କରାଯାଇଥିଲା । ଉକ୍ତ କେନ୍ଦ୍ର ନିର୍ମାଣକୁ ଇତି ମଧ୍ୟରେ ୫ବର୍ଷ ପୂରିଯିବା ପରେ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ପାରିପାଶ୍ୱିର୍କ ପରିସ୍ଥିତିକୁ ଆକଳନକୁ ନେଲେ ଏହାର ପୂର୍ଣ୍ଣତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଉକ୍ତ ସ୍ଥାନ ଏକ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ସରକାରଙ୍କ ଯୋଜନାର ସଫଳ ରୁପାୟନ ହୋଇପାରୁନଥିବା ଉକ୍ତ ଗୋଷ୍ଠୀ କେନ୍ଦ୍ରକୁ ଦେଖିଲେ ପ୍ରତିଫଳିତ ହେଉଛି । କାର୍ଯ୍ୟାଦେଶ ଆଣିବା ପରେ ଅର୍ଥ ବ୍ୟୟ କରି କୌଣସି ଯୋଜନାକୁ ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଦେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଉକ୍ତ ସମସ୍ୟାକୁ ନେଇ ତତ୍କାଳୀନ ସରପଂଚ କିଶୋର କିଙ୍କର ପଢିଆରୀଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଯୋଜନା ପାଇଁ ଅର୍ଥ ମହଜୁଦ ଥିବା ସତ୍ୱେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଅଣଦେଖାରୁ ଏହିପରି ସମସ୍ୟା ଉପୁଜିଥିବା ଆମ ପ୍ରତିନିଧିଙ୍କୁ କହିଥିବା ବେଳେ ବର୍ତ୍ତମାନର ସରପଂଚ ଲକ୍ଷ୍ମୀପ୍ରିୟା ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାେଯୋଗ କରିବାରୁ ସେ ଏହା ଉପରେ ଦୃଷ୍ଟି ଦେବାର ସୂଚନା ଦେଇଥିଲେ । ବିଭାଗୀୟ ଅଧିକାରୀ ସରକାରୀ ଯୋଜନାକୁ ପ୍ରହସନରେ ପରିଣତ ନକରି ଉକ୍ତ ଗୋଷ୍ଠୀ କେନ୍ଦ୍ର ନିର୍ମାଣରେ ଅଗ୍ରଗତି ଆଣିବା ପାଇଁ ଚେଷ୍ଟିତ ହେବାକୁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।