Photo For The News Of Crcc

ସର୍ବଶିକ୍ଷା ଅଭିଯାନ ଦିଗହରା, ମୂଳଲକ୍ଷ୍ୟ ଠାରୁ ଦୂରରେ କେନ୍ଦ୍ର ସାଧନ ସଂଯୋଜକ

State

ଆଗରପଡ଼ା :ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ୨୦୦୧ ମସିହାରେ ସର୍ବଶିକ୍ଷା ଅଭିଯାନ ପ୍ରଚଳନ ହୋଇଥିଲା । ଏଥିପୂର୍ବରୁ ଅପରେସନ ବ୍ଲାକବୋର୍ଡ଼ ଅଭିଯାନ ପ୍ରଚଳନ ହୋଇଥିଲା । ଏହି ସର୍ବଶିକ୍ଷା ଅଭିଯାନରେ ସରକାରୀ ସ୍ତରରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ଏହାର ସଠିକ୍ ସୁଫଳ ମିଳି ପାରୁ ନଥିବାରୁ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ବନ୍ତ ବ୍ଲକ ଅର୍ନ୍ତଗତ ତୋଫାବିବୀ, ନରାଜପୁର, ଗୋପିନାଥପୁର, ଆଡ଼ିଆ,କାଦବରାଙ୍ଗ, ଅଣିଜୋ, ବାଲୋ, ଚାଁଇପୁର, ଛୟାଳସିଂ,ଏରେଣ୍ଡେଇ,ଗଣିଜାଙ୍ଗ,ତାରାପୁର,ଓଡ଼ଙ୍ଗ,ସେଣ୍ଡତିରା,କେନ୍ଦୁଆପଦା,ଟିଲୋ,ରାମଚନ୍ଦ୍ରପୁର,ନିଳୋକ ଆଦି ସ୍ଥାନରେ କେନ୍ଦ୍ର ସାଧନ ସଂଯୋଜକମାନେ କାର୍ଯ୍ୟ କରୁଛନ୍ତି । ଜଣେ କିମ୍ବା ୨ଜଣଙ୍କୁ ଛାଡ଼ି ଦେଲେ ଅନ୍ୟ ସିଆରସିସିମାନେ କାର୍ଯ୍ୟ ଠିକ୍ ଭାବେ କରୁ ନାହାଁନ୍ତି ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରୁଛନ୍ତି । ଯେପରିକି ବହୁ କ୍ଲଷ୍ଟର ସିଆରସିସି ବିଭିନ୍ନ ଆଳ ଦେଖାଇ ପେରେଣ୍ଟସ୍ ସ୍କୁଲକୁ ମାସାଧିକ କାଳ ଯାଉନଥିବାର ସୂଚନା ମିଳିଛି । ଅଭିଜ୍ଞତା କମ୍‌ଥିବା ଶିକ୍ଷକଙ୍କୁ ଏହି ଦାୟିତ୍ୱ ଦିଆଯାଉଥିବାରୁ କାର୍ଯ୍ୟାବଳୀ ସଂପର୍କରେ ସେମାନେ ଜାଣି ପାରୁ ନାହାଁନ୍ତି । ଯଦ୍ୱାରା କାର୍ଯ୍ୟ ଠିକ୍ ଭାବେ କରିପାରୁ ନାଁହାନ୍ତି । କେଉଁ ଆଧାରରେ ସିଆରସିସି ମାନଙ୍କୁ ନିଯୁକ୍ତି ମିଳୁଛି ଓ ସେମାନେ କାମ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ମାସକୁ୧୦ଟି ସ୍କୁଲ ତନଖି କରିବା,ଯେଉଁ ଦିନ ଯେଉଁ ସ୍କୁଲରେ ମଡ଼େଲ ପାଠ ପଢାଇବେ ସେଠାରେ ପୁରା ରହିବେ,ଯେଉଁ ସ୍କୁଲରେ କମ୍ ସଂଖ୍ୟକ ଶିକ୍ଷକ ଅଛନ୍ତି ସେଠାରେ ଅଧିକ ସମୟ ଦେବା,ସ୍କୁଲ କ୍ୟାସବୁକ୍ ସମେତ ଅନ୍ୟାନ୍ୟ କାଗଜପତ୍ର ନିଜେ କରାଇ ନେବା,ମଧ୍ୟାହ୍ନ ଭୋଜନ ତନଖି ସହ ଏହାର କାଗଜପତ୍ର ପ୍ରସ୍ତୁତି ରେ ଶିକ୍ଷକ ମାନଙ୍କୁ ସାହାଯ୍ୟ କରିବା,ପ୍ରତିମାସର ସମୀକ୍ଷା ବୈଠକରେ ପ୍ରତିସ୍କୁଲର ଉନ୍ନତି ମୂଳକ କାର୍ଯ୍ୟ ସଂପର୍କରେ ବ୍ଲକ୍ ଶିକ୍ଷାଧିକାରୀ ଙ୍କୁ ଅବଗତ କରାଇବା,ସ୍କୁଲ ଗୁଡ଼ିକୁ ସୁପରିଚାଳନା କରିବା ଆଦି କାର୍ଯ୍ୟ ସିଆରସିସିମାନେ କରିବା କଥା । ମାତ୍ର ଏହି କାର୍ଯ୍ୟ ଅନେକ ସିଆରସିସିମାନେ କରୁ ନଥିବାର ବୁଦ୍ଧିଜୀବୀମାନେ ଅଭିଯୋଗ କରିବା ସହିତ ଏହି ଅଭିଯାନ ଦିଗହରା ହୋଇ ପଡ଼ୁଛି ବୋଲି କହିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଉକ୍ତ ସମସ୍ୟାକୁ ନେଇ ବ୍ଲକ ଶିକ୍ଷାଧିକାରିଣୀ ମଂଜୁଳାବାଳା ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଏଥିପ୍ରତି ଧ୍ୟାନ ଦେବେ ଓ କାର୍ଯ୍ୟରେ ଅବହେଳା କରୁଥିବା ସିଆସିସିଙ୍କ ବୁରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ । ଅପରପକ୍ଷରେ କିଛି ସିଆରସିସିଙ୍କୁ ଯୋଗଯୋଗ କରିବାରୁ ଆମେ ସରକାରୀ ନିୟମାନୁସାରେ କାର୍ଯ୍ୟ କରୁଥିବାର ପ୍ରକାଶ କରିଥିଲେ ।