Img 20240305 Wa0258

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଜରୁରୀକାଳୀନ ବୈଠକ

State

ସମସ୍ତ ଅଧିକାରୀ ମାନଙ୍କୁ ସମସ୍ତ ଅପାତକାଳୀନ ପରିସ୍ଥିତିରେ ଯଥାରୀତି ସେବା ପ୍ରଦାନ କରିବା ପାଇଁ ନିର୍ଦ୍ଧେଶ ଦେଲେ ଜିଲ୍ଲାପାଳ

ବାରିପଦା: ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେ ଙ୍କ ଅଧକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ବି.ଡ଼ି.ଓ, ତହସିଲଦାରଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଜରୁରୀକାଳୀନ ଅଧିକାରୀ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗଦାନ କରିଥିଲେ। ଗ୍ରୀଷ୍ମପ୍ରବାହ ଯୋଗୁ ମନୁଷ୍ୟ ଶରୀରରେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବା ସହିତ ଗୃହପାଳିତ ପଶୁ ଏବଂ ଚାଷବାସ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ I ଅଂଶୁଘାତରେ ଜୀବନ ହାନି ମଧ୍ୟ ହୋଇଥାଏ ତେଣୁ ଏହାର ସଠିକ ମୁକାବିଲା ଏବଂ ଅଂଶୁଘାତରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ଆଜିର ବୈଠକରେ ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ଜିଲ୍ଲାପାଳ ଶ୍ରୀ ସିନ୍ଧେ, ବୁଝାଇଥିଲେ I ବୈଠକରେ ଉପସ୍ଥିତ ବିଡ଼ିଓ, ତହସିଲଦାର, ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀମାନଙ୍କୁ ଏସମ୍ପର୍କରେ ସମଗ୍ର ଜିଲ୍ଲାରେ ଯଥେଷ୍ଠ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଥିଲା I ସେହିପରି ଗ୍ରୀଷ୍ମପ୍ରବାହ ମୁକାବିଲା ସମ୍ପର୍କରେ ସୂଚନା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ କରାଯାଇଥିବା ସତର୍କ ମୋବାଇଲ ଆପ ସମ୍ବନ୍ଧରେ କିଭଳି ଅଧିକରୁ ଅଧିକ ଲୋକ ସଚେତ ହୋଇପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା I ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏହା ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ I

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ଏବଂ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶ୍ରୀ ଶ୍ରଦ୍ଧା ସୁମନ ଗ୍ରୀଷ୍ମ ପ୍ରବାହ ମୁକାବିଲା ଯୋଜନା ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାର ସ୍ଵାହାକାରୀ ଅଗ୍ନିଶମ ଅଧିକାରୀଙ୍କୁ ନିଆଁ ଲାଗିଲେ ତ୍ୱରିତ କିଭଳି ଲୋକ ମାନଙ୍କ ପାଖକୁ ପହଂଚି ହେବ ଏବଂ ସେମାନଙ୍କୁ ଯଥା ଉଚିତ ସାହାଯ୍ୟ କରିହେବ ସେ ବିଷୟରେ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍କୁଲଠାରେ ଉପଯୁକ୍ତ ପାନୀୟ ଜଳ, ଓଆରଏସ ଦ୍ରବଣ, ବି.ଡ଼ି.ଓ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିଜ ନିଜ ଅଂଚଳରେ ପାନୀୟ ଜଳ ସେବା କେନ୍ଦ୍ର ଇତ୍ୟାଦି ସ୍ଥାପନ ଏବଂ ସମସ୍ତ ନଳକୂପ ଗୁଡିକୁ କାର୍ଯ୍ୟକ୍ଷମ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଶ୍ରମିକ ମାନଙ୍କ କାର୍ଯ୍ୟ ସମୟ ସୀମା ଦିନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏବଂ ପରିବହନ ଅଧିକାରୀଙ୍କୁ ସେହି ସମୟରେ ଯାନବାହାନ ଯାତାୟାତ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ସ୍ୱାସ୍ଥ୍ୟ ବିଭାଗକୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଏହି ଗ୍ରୀଷ୍ମ ପ୍ରବାହ ପାଇଁ ସମସ୍ତ ସ୍ୱାସ୍ଥ୍ୟଗତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଅ ଯାଇଥିଲା।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ପରିବହନ ଅଧିକାରୀ ଶ୍ରୀ ବିସ୍ବରାଜ ବେହେରା, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କରେ ଚର୍ଚ୍ଚା କରିଥିଲେ I