Onn 3

ଶ୍ରୀଜିଉଙ୍କ ଅଧରପଣା ନୀତି ସଂପନ୍ନ

Religion and Cult State

ପୁରୀ: ଶ୍ରୀଜିଉଙ୍କୁ ଲାଗି ହେଲା ଅଧର ପଣା । ତିନି ରଥ ଉପରେ ଭଙ୍ଗାଗଲା ଅଧର ହାଣ୍ଡି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପଣାକୁ ଶ୍ରୀବିଗ୍ରହଙ୍କ ଅଧର ପର୍ଯ୍ୟନ୍ତ ନିର୍ମିତ ତିନିଟି ଲେଖାଏଁ ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥିଲା । ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକମାନେ ବାଘମୁଖା ପିନ୍ଧି ପଣା ପାଇଁ ପାଣି ଯୋଗାଇଥିଲେ । ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ମାନେ ପଞ୍ଚ ଉପଚାରରେ ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିଥିଲେ ।

ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା, ଛାଚି, କ୍ଷୀର,ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ଦୁର୍ଲଭ ପଣା ପ୍ରସ୍ତୁତ କରାଯାଇଥିଲା । ପାର୍ଶ୍ୱ ଦେବଦେବୀ, ଚଣ୍ଡୀ, ଚାମୁଣ୍ଡାଙ୍କୁ ଶାନ୍ତ କରିବା ପାଇଁ ଅଧରପଣା ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଥିଲା । ଆସନ୍ତାକାଲି ମହାପ୍ରଭୁଙ୍କ ହେବ ନୀଳାଦ୍ରି ବିଜେ । ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଭୋଗ ଖୁଆଇବେ । ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି ।