Onn 3

ଦର୍ଶକଙ୍କୁ ଭାବବିହ୍ୱଳ କଲା ନାଟକ ଦାରୁଦିଅଁ

Religion and Cult State

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଭୁବନେଶ୍ୱରର ଅର୍ପଣ ନାଟ୍ୟସଂସ୍ଥା ନିବେଦିତ ନାଟକ ଦାରୁଦିଅଁ ମଞ୍ଚସ୍ଥ ହୋଇଯାଇଛି I ଯୁଗ ପରିବର୍ତ୍ତନ ସହ ଭଗବାନଙ୍କର ସ୍ୱରୂପ ଓ ନାମ ବଦଳିଛି I ଭିନ୍ନ ଅବତାର ସେ ଧାରଣ କରିଛନ୍ତି I ଲୀଳା, ଲୀଳାକ୍ଷେତ୍ର ବି ବଦଳିଛି I କିନ୍ତୁ ସେ ସେହି ଆଦି ଓ ଅନାଦି I ବିଶ୍ୱାବସୁ ଶବରର ଭକ୍ତି ଭାବରେ ପ୍ରସନ୍ନ ହୋଇ ତା ପାଖରେ କିଛି ସମୟ ନୀଳମାଧଵ ରୂପେ ଅବସ୍ଥାନ ପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରାଣ ଫଟା ଆକୁଳ କ୍ରନ୍ଦନ ଓ ଭକ୍ତି ପରାକାଷ୍ଠାରେ ବିମୋହିତ ହୋଇ ବାଙ୍କୀ ମୁହାଣରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଦାରୁଦିଅଁ ରୂପରେ I

ଏହି ବିଷୟବସ୍ତୁକୁ ନେଇ ମଞ୍ଚସ୍ଥ ନାଟକକୁ ରଚନା କରିଥିଲେ ପଞ୍ଚାନନ ଦାସ ଓ ନିର୍ଦ୍ଦେଶନା ଦେଇଥିଲେ ଗୋବିନ୍ଦ ଜେନା I ସୁବାଷ ପଣ୍ଡା, ରାଜେନ୍ଦ୍ର ସ୍ୱାଇଁ, ବିଶ୍ୱରଂଜନ ମହାପାତ୍ର, ସହସ୍ରାକ୍ଷ ରଥ, ସାଇଅର୍ପଣ ଲିଟିଲ ଓ ଶ୍ୱେତପଦ୍ମା ପଣ୍ଡା ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତରେ ସୁଶାନ୍ତ କୁମାର ଶତପଥୀ , ରୂପସଜ୍ଜାରେ ନରେନ୍ଦ୍ର ସେନାପତି, ଆଲୋକ ସଂଯୋଜନା ରେ ସଞ୍ଜୟ ପ୍ରଧାନ, ମଞ୍ଚସଜ୍ଜା ରେ ନରସିଂହ ବାରିକ ଓ ମଞ୍ଚ ପରିଚାଳନାରେ ସମୀର ବେହେରା ସହାୟତା ପ୍ରଦାନ କରିଥିଲେ I ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଓ ଉପ ନଗରପାଳ ସୀମା ଦାସ ନାଟକଟିକୁ ଉଦଘାଟନ କରିଥିଲେ I