Onn 3

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାଗଜ କଲମରେ ସୀମିତ ସରକାରୀ ନିୟମ, ୮ବର୍ଷ ପରେବି କାର୍ଯ୍ୟକାରୀ ହେଉନି ନିର୍ଦ୍ଦେଶ

State

ଆଗରପଡ଼ା:ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ତେବେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହି ସବୁ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହେଉଛି । ଆବଶ୍ୟକ ଅନୁଯାୟୀ କର୍ମଚାରୀ ନିଯୁକ୍ତି ଦିଆଯାଉନଥିବାରୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନିୟମ କେବଳ କାଗଜ କଲମରେ ସୀମିତ ହୋଇ ରହି ଯାଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସୂଚନା ଅନୁଯାୟୀ;ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୫ ମସିହାରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିିକିତ୍ସା ଅଧିକାରୀଙ୍କୁ ଆୟୁଷ ଡ଼ାକ୍ତରମାନଙ୍କ ନିମନ୍ତେ କିଛି ନିୟମ ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏବଂ ନିୟମାନୁୁସାରେ ଯଦି କେହି ଉକ୍ତ ନିୟମକୁ ଉଲ୍ଲଂଘନ କରନ୍ତି ତେବେ ବିନାସୂଚନାରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯିବାର ସୂଚନା ମଧ୍ୟ ଦିଆଯାଇଥିଲା । ଇତି ମଧ୍ୟରେ ଉକ୍ତ ନିୟମକୁ ୮ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏହା କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତା ଅଧିନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)କୁ ଦେଖିଲେ ଜଣାପଡ଼ିଛି । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠି ବିଶେଷଜ୍ଞ ଡ଼ାକ୍ତରଙ୍କ ସମେତ ୮ରୁ ୧୦ଜଣ ଡ଼ାକ୍ତର ରହିବା ଦରକାର ସେଠାରେ ଜଣିଏ ମାତ୍ର ଡ଼ାକ୍ତର ରୋଗୀ ସେବା କରୁଥିବା ଜଣାପଡ଼ିଛି ।

ଡ଼ାକ୍ତର ସମସ୍ୟାକୁ ନେଇ ‘ଓଏନଏନ’ରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ବିଭାଗ ବିଶେଷଜ୍ଞଙ୍କ ସମେତ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ନିଯୁକ୍ତି ପାଇଥିଲେ ଓ ଉଭୟ ବର୍ତ୍ତମାନ ଏଠାରେ କାର୍ଯ୍ୟରତ । କିନ୍ତୁ ଏମବିବିଏସ ଡ଼ାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ଏଠାରେ ୨ଜଣ କାର୍ଯ୍ୟରତ ଅଛନ୍ତି । ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱ ଅର୍ପଣ କରାଯାଇଥିବାରୁ ଅନ୍ୟ ଜଣଙ୍କ ସମେତ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟ ରୋଗୀ ସେବା କରୁଛନ୍ତି । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ଯଦ୍ୱାରା ସୂଚନା ଅନୁଯାୟୀ; ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ହିବିଭାଗରେ ପ୍ରତିଦିନ ୪୦୦ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ଆସୁଛନ୍ତି । ଏହିପରି ସ୍ଥଳେ ଡ଼ାକ୍ତର ସମସ୍ୟା ଯୋଗୁଁ ଆୟୁଷ ଡ଼ାକ୍ତର ରୋଗୀ ସେବା କରୁଛନ୍ତି । ସରକାରୀ ନିୟମାନୁସାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ନିଯୁକ୍ତି ପାଇଥିବା ଆୟୁଷ ଡ଼ାକ୍ତର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ହୋଇ ଆୟୁର୍ବେଦିକ ମେଡ଼ିସିନକୁ ଅଗ୍ରାଧିକାର ଦେବା କଥା । କିନ୍ତୁ କିଛି ଆୟୁଷ ଡ଼ାକ୍ତର ଆୟୁର୍ବେଦିକ ମେଡ଼ିସିନ ଲେଖିବା ପରିବର୍ତ୍ତେ ଏଲୋପାଥିକ ମେଡ଼ିସିନ ଲେଖୁଥିବାର ଅଭିଯୋଗ ହେଉଛି । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ସମସ୍ୟା ଲାଗି ରହିଥିବାରୁ ଆୟୁଷ ଡ଼ାକ୍ତର ରୋଗୀ ସେବା କରୁଛନ୍ତି ଓ ବହୁ କ୍ଷେତ୍ରରେ ରୋଗୀଙ୍କ ଅନୁରୋଧ ଅନୁଯାୟୀ ଆୟୁର୍ବେଦିକ ମେଡ଼ିସିନ ଲେଖିବା ପରିବର୍ତ୍ତେ ଏଲୋପାଥିକ ମେଡ଼ିସିନ ଲେଖିବାକୁ ବାଧ୍ୟ ହେଉଛନ୍ତି । ତେଣୁ ସରକାରଙ୍କ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବିଭାଗୀୟ ଅଧିକାରୀ ରୋଗୀଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ଆବଣ୍ୟକୀୟ ଡ଼ାକ୍ତର ନିଯୁକ୍ତି ପାଇଁ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାରୁ ଆବଶ୍ୟକୀୟ ଡ଼ାକ୍ତର ନିଯୁକ୍ତି ନକଲେ ଏହା ମୂଲ୍ୟହୀନ ହୋଇପଡ଼ିବା ସାର ହେବା ସହ ସରକାରଙ୍କ ନିୟମ ମଧ୍ୟ ପାଳନରେ ବାଧା ଉପୁଜିବ । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।