Winter 1704593518.jpg

ପୁଣି ଶୀତ ଲହରୀ: କିରେଇରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ

State

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ଶୀତ ଲହରୀ ଅନୁଭୂତ ହୋଇଛି। ପୁଣି ପାରଦ ଖସିଛି। ତାପମାତ୍ରା କମିଛି। ସମଗ୍ର ରାଜ୍ୟରେ ରାତିର ତାପମାତ୍ରା ସର୍ବନିମ୍ନ ହ୍ରାସ ପାଇଛି। ସୁନ୍ଦରଗଡ କିରେଇରେ ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୯.୧, ସୁନ୍ଦରଗଡ଼ରେ ୯.୨ ଓ ରାଉରକେଲାରେ ୯.୯ ପାରା ପହଞ୍ଚିଛି। ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ଖସି ଯାଇଛି। ଆସନ୍ତା ୨୪ ଘଣ୍ଟା ଯାଏଁ ରାତିରେ ତାପମାତ୍ରାରେ ସେମିତି କିଛି ପରିବର୍ତନ ହେବା ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ୩ ଦିନ ପରେ ତାପମାତ୍ରାରେ କିଛି ପରିବର୍ତ୍ତନ ହୋଇପାରେ। ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଆସନ୍ତାକାଲି ଓ ସୋମବାର ଦିନ ବିଭିନ୍ନ ସ୍ଥାନରେ ସଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି। ପାଣିପାଗ ବିଭାଗ ୧୧ ତାରିଖରେ ୧୩ଟି ଜିଲ୍ଲା ଓ ୧୨ ତାରିଖରେ ୯ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ୧୧ ତାରିଖରେ ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ମୟୂରଭଂଜ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି। ସେହିଭଳି ୧୨ରେ ଢେଙ୍କାନାଳ, କଟକ, ବୌଦ୍ଧ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଂଜ ଓ କେନ୍ଦ୍ରାପଡାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।