Onn 3

ବର୍ଷାଧିକ କାଳ ପରେବି ସରୁନି ପ୍ର‌କଳ୍ପ ନିର୍ମାଣ, ଜନକଲ୍ୟାଣରେ ଲାଗିପାରୁନି କଲ୍ୟାଣ ମଣ୍ଡପ

State

ଆଗରପଡ଼ା: ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନାର ସଫଳ ରୂପାୟନ ହୋଇପାରୁ ନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧିନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଉକ୍ତ ପଂଚାୟତର ତୋଟାସାହି ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ପ୍ରକଳ୍ପ ନିର୍ମାଣକୁ ୩ ବର୍ଷ ପୁରିଯାଇଥିଲେ ସୁଦ୍ଧା ପ୍ରକଳ୍ପଟି ଗ୍ରେଡ଼ମବିମରେ ଅଟକିଛି । ତୋଟାସାହି ଉକ୍ତ ଅଂଚଳର ଏକ ପବିତ୍ର ସ୍ଥାନ ହୋଇଥିବା ବେଳେ ଜିଲ୍ଲାରେ ସାବିତ୍ରୀ ଆଡ଼ି ନାମରେ ପରିଚିତ ଥିବା ବେଳେ ଏଠାରେ ଜଲ୍ୟାଣ ମଣ୍ଡପ ନିର୍ମାଣର ଗୁରୁତ୍ୱ ଥିବା ବେଳେ ଏହା ଅଧପନ୍ତରିଆ ଅବସ୍ଥାରେ ରହିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଣ କରୁଛି ।

ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ କାଦବରାଙ୍ଗ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ପ୍ରକଳ୍ପକୁ ୬ ବର୍ଷ ପୁରିଯିବା ସହ ୨ଜଣ ସରପଂଚଙ୍କ କାର୍ଯ୍ୟକାଳ ସରିସାରିଥିଲେ ସୁଦ୍ଧା ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇପାରିନାହିଁ । ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ପୁରୁଷଣ୍ଢ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ପ୍ରକଳ୍ପକୁ ୫ବର୍ଷ ପୁରିଯାଇଥିଲେ ସୁଦ୍ଧା ପ୍ରକଳ୍ପଟି ଅଧାପନ୍ତରିଆ ଅବସ୍ଥାରେ ରହିଛି । ସ୍ଥାପିତ ଫଳକରେ କାର୍ଯ୍ୟାରମ୍ଭର ସୂଚନା ମଧ୍ୟ ଆଜି ସୁଦ୍ଧା ସ୍ଥାଣିତ ହୋଇପାରି ନଥିବା ବେଳେ କାମ ନ ସରୁଣୁ ବାରମ୍ବାର କାନ୍ଥ ଫାଟୁଛି ଯାହା ସାଧାରଣରେ ଉକ୍ତ ପ୍ରକଳ୍ପର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଭିନ୍ନ ପଂଚାୟତରେ ନିର୍ମିତ ଅଧପନ୍ତରିଆ କଲ୍ୟାଣ ମଣ୍ଡପ କେବେ ଜନକଲ୍ୟାଣରେ ଲାଗିବ ସେଥିନେଇ ପଂଚାୟତବାସୀ ଚିନ୍ତା ପ୍ରକଟ କରିଛନ୍ତି । ଉକ୍ତ ପ୍ରକଳ୍ପର ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ କିପରି ହେବ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ପଂଚାୟତବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।