Onn 3

ଭଞ୍ଜଗୌରବ ଉପାଧିରେ ଭୂଷିତ ହେବେ ଶତାୟୁ ଫଟୋଗ୍ରାଫର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ

State

ଶିଶୁ ଉଦ୍ୟାନର ଐତିହାସିକ ବ୍ୟାଣ୍ଡଷ୍ଟାଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ କରାଯିବ ସମ୍ମାନିତ

ବାରିପଦା : ଆସନ୍ତା ରବିବାର ଡିସେମ୍ବର ୧୭ରେ ମୟୂରଭଞ୍ଜର ପ୍ରାତଃ ସ୍ମରଣୀୟ ମହାରାଜା ରାଜର୍ଷି ପୂଣ୍ୟଶ୍ଳୋକ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୫୩ତମ ଜୟନ୍ତୀ ଉତ୍ସବ ଅବସରରେ ଭଞ୍ଜଗୌରବ ଉପାଧିରେ ବିଶିଷ୍ଟ ଫଟୋଗ୍ରାଫର ତଥା ଶତାୟୁ ପୁରୁଷ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କୁ ସମ୍ମାନିତ କରାଯିବ । ବାରିପଦା ପୌରପରିଷଦ, ଆମେ ମୟୂରଭଞ୍ଜିଆ ଏବଂ ସଂସ୍କାର ଶିଶୁ ମହୋତ୍ସବ କମିଟି ‘ମୟୂରୀ’ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଶିଶୁଉଦ୍ୟାନର ଐତିହାସିକ ବ୍ୟାଣ୍ଡଷ୍ଟାଣ୍ଡ ଠାରେ ଆୟୋଜିତ ଏକ ଭବ୍ୟସମାରୋହରେ ଶ୍ରୀଯୁକ୍ତ ବିନ୍ଧାଣୀଙ୍କୁ ଭଞ୍ଜଗୌରବ ଉପାଧିରେ ବିଭୂଷିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଦିନ ୧୦ଘଟିକା ସମୟରେ ହେବାକୁ ଥିବା ଏହି ସମାରୋହରେ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରୀଯୁକ୍ତ ବିନ୍ଧାଣୀଙ୍କ ସୁଦୀର୍ଘ ନିରାମୟ ଜୀବନ କାମନା କରିବାକୁ ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ସଂସ୍କାର ଶିଶୁ ମହୋତ୍ସବ କମିଟି ‘ମୟୂରୀ’ଉପାଧ୍ୟକ୍ଷ ଆର୍କିଟେକ୍ଟ ମନୋଜ କୁଅଁର , ଉପଦେଷ୍ଟା ଡଃ ବନଜା ମହାନ୍ତି, ସାମ୍ବାଦିକ ମନୋରଞ୍ଜନ ଦାସ, ବିଶିଷ୍ଟ ଶିକ୍ଷାବିତ୍ ସ୍ୱରୁପ ପଟ୍ଟନାୟକ, ବରିଷ୍ଠ ଆଇନ୍‌ଜୀବୀ କ୍ଷେତ୍ରମୋହନ ପଣ୍ଡା, ବିଶିଷ୍ଟ ସମାଜସେବୀ ଆଦିତ୍ୟ ପଟ୍ଟନାୟକ, ବିଶିଷ୍ଟ ପରିବେଶବିତ୍ ବିବେକାନନ୍ଦ ପଟ୍ଟନାୟକ, ଯୁଗ୍ମ ସଂପାଦକ ସଂଗ୍ରାମ କେଶରୀ ଭଞ୍ଜଦେଓ,ରେଣୁବାଳା ରଥ, ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ପ୍ରମୁଖ ନିବେଦନ କରିଛନ୍ତି । ସାରା ରାଜ୍ୟରେ ପୁଲିସ ଫଟୋଗ୍ରାଫର ସହିତ ପ୍ରେସ ଫଟୋଗ୍ରାଫର ଭାବେ ଜଣାଶୁଣା ଶ୍ରୀ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ଏକାଧାରରେ ଜଣେ ସୁସାହିତ୍ୟିକ, ଲିପିସଂସ୍କାରକ, ରଥମିସ୍ତ୍ରୀ, ବାସ୍ତୁବିଦ୍‌, ଏବଂ ଅଭିନେତା । ଏହା ବ୍ୟତୀତ ରାକା ନାମକ ଏକ ସମ୍ବାଦପତ୍ରର ସଂପାଦନା ଭଳି ଗୁରୁଦାୟିତ୍ୱ ନିର୍ବାହ କରି ଶ୍ରୀ ବିନ୍ଧାଣୀ ଏକ ବହୁମୁଖୀ ପ୍ରତିଭାର ପରିଚୟ ସୃଷ୍ଟି କରିପାରିଛନ୍ତି ।

୧୯୨୪ ମସିହା ଅଗଷ୍ଟ ୨୪ ତାରିଖରେ ତାଙ୍କର ଜନ୍ମ । ଗଡଜାତ ସମୟରେ ମହାରାଜା ଯଦୁନାଥ ଭଞ୍ଜଙ୍କ ରାଜତ୍ୱ କାଳରେ ତାଙ୍କ ପୂର୍ବପୁରୁଷ ପୁରୀରୁ ଆସି ବାରିପଦାରେ ରଥମିସ୍ତ୍ରୀ ଭାବେ କାମ କରିଆସୁଥିବାବେଳେ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ପାଠ ପଢା ଅପେକ୍ଷା ଫଟୋଗ୍ରାଫିରେ ଅଧିକ ମନୋନିବେଶ କରିଥିଲେ । ମୟୂରଭଞ୍ଜ ଇଷ୍ଟେଟ ଫଟୋଗ୍ରାଫର ଜନମୋହନ ମହାପାତ୍ରଙ୍କ ଠାରୁ ସେ ଫଟୋ ଉଠାଇବା ଟେକ୍‌ନିକ୍ (କଳାକୌଶଳ) ଶିଖିଥିଲେ । ସେ କହନ୍ତି ସେତେବେଳେ କେମିକାଲ ଫଟୋଗ୍ରାଫି ଥିଲା । ଏବେ ଡିଜିଟାଲର ଯୁଗ । ମାତ୍ର ଫରକ ଏଇୟା ଯେ, ଦୀର୍ଘ ୬୦-୭୦ ବର୍ଷ ତଳେ ଡାର୍କରୁମରେ ପ୍ରଶେସ କରି ଉଠାଯାଇଥିବା କଳା-ଧଳା ଫଟୋ ଏବେ ବି ଜୀବନ୍ତ ଭଳି କଥା କହୁଛି । ସେତେବେଳେ ଫିଲ୍ମ ଓ କାଚ ପ୍ଲେଟରେ ଫଟୋ ଉଠା ଯାଇ ଡାର୍କ ରୁମରେ ପ୍ରସେସିଂ କରି ନେଗେଟିଭ ପରେ ଏନଲାର୍ଜ କରି ପୋଜିଟିଭ କରାଯାଉଥିଲା । ୧୯୪୨ ମସିହାରେ ବାରିପଦା ଦେଉଳସାହୀରେ ସେ ବିନ୍ଧାଣୀ ଆଲୋକ ଚିତ୍ର ନାମରେ ଫଟୋଗ୍ରାଫି ବ୍ୟବସାୟ ଆରମ୍ଭ କରିଥିଲେ । ସେ କହନ୍ତି ଫଟୋଗ୍ରାଫିରେ ଥ୍ରୀ ଡାଇମେନସନ୍ ଇଫେକ୍ଟ ସମ୍ପର୍କରେ ଜାଣିବା ବହୁ ଜରୁରୀ । କାରଣ ତାହା ହିଁ ଫଟୋକୁ ଜୀବନ୍ତ କରେ । ବ୍ଲାକ ଆଣ୍ଟ ହ୍ୱାଇଟ୍ ଯୁଗରେ ୱିନ୍‌ସନ୍ ନିୱଟନ୍ କଲର୍ ବ୍ୟବହାର କରି କଲର୍ ଫଟୋ ପ୍ରସ୍ତୁତ କରବାରେ ସେ ଥିଲେ ସିଦ୍ଧହସ୍ତ । ମହତାବଙ୍କ ଠାରୁ ଆରମ୍ଭ କରି ବିଜୁ ବାବୁ , ରାଜେନ୍ଦ୍ର ନାରାୟଣ ସିଂ ଦେଓ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜବାହାର ଲାଲ ନେହେରୁ, ବିନୋବା ଜୀ, ବାଜପେୟୀ ଏମିତି ଅନେକ ବଡବଡ ନେତାଙ୍କର ସେ ଫଟୋ ଉଠାଇ ଥିବା କହନ୍ତି । ଏକ ଚଳଚିତ୍ରରେ ସେ ଷ୍ଟିଲ ଫଟୋଗ୍ରାଫର ଭାବେ କାମ କରିଥିବାବେଳେ ପ୍ରଥମ ଫଟୋ ଜର୍ଣ୍ଣାଲିଷ୍ଟ ଭାବେ ସେ ଓଡିଶାରେ ଜଣାଶୁଣା ।

ସମାଜ, ମାତୃଭୂମି, ଧରିତ୍ରୀ, କଳିଙ୍ଗ ଖବର କାଗଜରେ ତାଙ୍କର ଫଟୋ ପ୍ରକାଶ ପାଉଥିଲ । ତାଙ୍କର କ୍ୟାମେରାରୁ ଉତ୍ତୋଳନ ହୋଇଥିବା ‘ଛାଇ ଆଳୁଅର ରାସ’ ଥିମ୍ ଯୁକ୍ତ ଏକ ଫଟୋ ପଣ୍ଡିଚେରୀରେ ଅନୁଷ୍ଠିତ ଆନ୍ତର୍ଜାତିକ ଫଟୋ ସମ୍ମିଳନୀରେ ସ୍ଥାନ ପାଇ ସର୍ବୋତକୃଷ୍ଟ ଫୋଟ ଭାବେ ମାନ୍ୟତା ପାଇଥିଲା । ପରବର୍ତ୍ତୀ ସମୟରେ ସେହି ଫଟୋ ମନୋଜ ଦାସଙ୍କ ଦିଗନ୍ତ ପତ୍ରିକାର ପ୍ରଚ୍ଛଦପଟ୍ଟରେ ତାହା ସ୍ଥାନିତ ହୋଇଥିଲା । ତାଙ୍କର ବଡପୁଅ ବିଧୁଶ୍ରୀ ବିନ୍ଧାଣୀ ମନମୋହନ ମହାପାତ୍ରଙ୍କ ନିରବଝଡ କଥାଚିତ୍ରରେ ଥିଲେ କ୍ୟାମେରାମ୍ୟାନ । ତାଙ୍କର ଅଦ୍ଭୁତ ଫଟୋଗ୍ରାଫି ପାଇଁ ସେ ଜାତୀୟ ପୁରସ୍କାର ହାସଲ କରିଥିବା ବେଳେ ସେ ଏବେ ଜାପାନରେ ଅବସ୍ଥାନ କରୁଛନ୍ତି । ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ସମୟରେ ସମ୍ମାନିତ ହୋଇଛନ୍ତି । ତାଙ୍କ ଦ୍ୱାରା ଉତ୍ତୋଳିତ ନବରାସର ଫଟୋ ନୟାଗଡ ଉଦୟପୁର ସ୍ଥିତ ଦାସିଆ ଅଜାଙ୍କ ପାଠାଗାର ଓ ମ୍ୟୁଜିଅମରେ ସ୍ଥାନୀତ । ସେ କହନ୍ତି ଏକ ସମୟରେ ସେ ସୂର୍ଯ୍ୟାଲୋକରେ ଫିଲ୍ମ ଡେଭଲପ କରି ଫଟୋ ଧୋଇଛନ୍ତି । ଏବେ ଯୁଗ ବଦଳିଛି । ତାହା ଆଜି ଅନେକକଙ୍କୁ ଗପ ଭଳି ମନେହେବ ମାତ୍ର ତାହା ସତ୍ୟ । ତାଙ୍କ ମତରେ ଏକ ମୁହୂର୍ତ୍ତକୁ କ୍ୟାମେରା ଲେନ୍ସରେ ଜୀବନ୍ତ ଭାବେ ଗଢିତୋଳିବା ହିଁ ଫଟୋଗ୍ରାଫି ବୋଲି କହନ୍ତି ସେ ।