Onn 3

ଖବର ପ୍ରକାଶ ପରେ ନିର୍ମାଣ ହେଲା ସଂଯୋଗୀକରଣ ରାସ୍ତା

State

ଆଗରପଡ଼ା: ଗତ ଜୁଲାଇ ମାସ ୨୮ ତାରିଖରେ “ ସଂଯୋଗୀକରଣ ରାସ୍ତା ହେଉନଥିବାରୁ ଖତ ଖାଇବ ୫୨ ଲକ୍ଷର ପ୍ରକଳ୍ପ”ଶୀର୍ଷକ ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ କେନ୍ଦ୍ର ଠାରୁ ମୁଖ୍ୟ ରାସ୍ତାକୁ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇଥିବା ଜଣା ପଡ଼ିଛି । ସରକାର ସ୍ୱାସ୍ଥ୍ୟ ସେବାକୁ ଉନ୍ନତ ମାନର କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୁପାୟନ ହୋଇ ପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତରେ । ଏହି ପଂଚାୟତରେ ୨୦୧୯ ମାର୍ଚ୍ଚ ମାସରେ ୫୨ ଲକ୍ଷ ୫୭ ହଜାର ଅଟକଳ ମୂଲ୍ୟରେ ଏକ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ନିମନ୍ତେ ନୂତନ ଗୃହର ଶୁଭ ଶିଳାନ୍ୟାସ କରାଯାଇଥିଲା । ଶିଳାନ୍ୟାସକୁ ଇତି ମଧ୍ୟରେ ୪ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ରାସ୍ତା ଠାରୁ କେନ୍ଦ୍ରକୁ କୌଣସି ସଂଯୋଗ ରାସ୍ତା ନିର୍ମାଣ ହେଉନଥିବାରୁ ଏହା କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ଖତ ଖାଇବ । ଯାହାକି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ବିଭାଗର ଅପାରଗତାକୁ ପଦାରେ ପକାଇଦେଇଛି ।

ନିର୍ମାଣଧିନ କେନ୍ଦ୍ରଠାରୁ ପାଖାପାଖି ୫ଶହ ମିଟର ଦୂରରେ ଅଡ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ)ଟିଏ ଥିବା ସ୍ଥଳେ ଏହାର ଭିତ୍ତି ଭୂମିରେ ଉନ୍ନତି ଆଣିବା ପରିବର୍ତ୍ତେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିବା ଏବଂ ୪ବର୍ଷ ପରେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ ନ କରାଇବା ପଛରେ ବିଭାଗର କି ସ୍ୱାର୍ଥ ଜଡ଼ିତ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏସମ୍ପର୍କରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ଶୁଭେନ୍ଦୁ ପୁହାଣଙ୍କୁ ଯୋଗାଯୋଗ କରିବାରୁ କେନ୍ଦ୍ରର ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର କେନ୍ଦ୍ର ଠାରୁ ମୁଖ୍ୟ ରାସ୍ତାକୁ କୌଣସି ସଂଯୋଗ ରାସ୍ତା ନିର୍ମାଣ କରିନଥିବାରୁ ନିର୍ମାଣଧିନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରୁନଥିବା କହିଥିଲେ । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ର ମୁଖ୍ୟ ରାସ୍ତା ଠାରୁ ମାତ୍ର ୫୦ ମିଟର ଦୂରରେ ଅବସ୍ଥିିତ ହୋଇଥିବାବେଳେ ଏହାର ସଂଯୋଗ ବ୍ୟବସ୍ଥା କରାନଯିବା ସରକାରଙ୍କ ଯୋଜନାକୁ ପଥଭ୍ରଷ୍ଟ କରୁଥିବାରୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବିି ହେଉଥିବାର ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା ।