Onn 3

ପର୍ଯ୍ୟଟକଙ୍କ ମନମୋହୁଛି ହଦଗଡ଼, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ରାଜ୍ୟର ୨ୟ ବୃହତ୍ତମ ନଦୀବନ୍ଧ

State

ସାଳନ୍ଦୀ ନଦୀବନ୍ଧ ଓ ଗଡ଼ଚଣ୍ଡୀରେ ପର୍ଯ୍ୟଟକଙ୍କ ଭିଡ

ଆଗରପଡ଼ା :ପିକନିକ୍ ଋତୁ ଆସିଯାଇଥିବାରୁ ହଦଗଡ ନଦୀ ବନ୍ଧ ଅଞ୍ଚଳ ଏବେ ବେଶ ଚଞ୍ଚଳ ହୋଇଉଠିଛି । ଡିସେମ୍ବର ଠାରୁ ଫେବୃଆରୀ ଯାଏ ୩ ମାସ ଧରି ଏହି ଅଞ୍ଚଳରେ ହଜାର ହଜାର ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ପ୍ରାକୃତିକ ସବୁଜ ବନାନୀ ଭରା ଏହି ଅଞ୍ଚଳର ମନୋରମ ଦୃଶ୍ୟ ଦୂରଦୂରାନ୍ତ ପର୍ଯ୍ୟଟକ ମାନଙ୍କୁ ଏଠାକୁ ଆସିବା ପାଇଁ ଆକର୍ଷିକ କରିଥାଏ । ବଉଳା ପାହାଡ ମଝିରେ ଓଡିଶାର ୨ୟ ବୃହତ୍ତମ ନଦୀବନ୍ଧ ଏଠାରେ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ । ପାହାଡ, ଜଙ୍ଗଲ ଘେରା ସ୍ଥାନରେ ପିକନିକ୍ କରିବାର ସ୍ୱତନ୍ତ୍ର ମଜ୍ଜା ରହିଛି ବୋଲି ପର୍ଯ୍ୟଟକ ମାନେ ମତପୋଷଣ କରିଥାନ୍ତି । ସାଳନ୍ଦୀ ନଦୀର କୁଳୁକୁଳୁ ନାଦ ମନରେ ଅସରନ୍ତି ଆନନ୍ଦ ସୃଷ୍ଟି କରିଥାଏ । ଯିଏ ଯେତେ ଦୁଃଖରେ ଥିଲେ ମଧ୍ୟ ଏହି ସ୍ଥାନ ପରିଦର୍ଶନ କରିବା ପରେ ଦୁଃଖ ଲାଘବ ହୋଇଥାଏ । ପ୍ରଶସ୍ତ ଖୋଲା ସ୍ଥାନ, କାଠଜାଳେଣି, ପାଣିର ସୁବିଧା ଦୃଷ୍ଟିରୁ ରୋଷେଇ କରିବାର କୌଣସି ଅସୁବିଧା ହୋଇନଥାଏ । ହସ୍ତୀ ମାନେ ଦଳଦଳ ହୋଇ ଯାତାୟତ କରିବା ଦୃଶ୍ୟ ପର୍ଯ୍ୟଟକଙ୍କ ପାଇଁ ବେଶ ଉପଭୋଗ୍ୟ ହୋଇଥାଏ । ଏଠାରେ ମଧ୍ୟ ବୋଟିଂ କରିବାର ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକ ମାନେ ଏହାକୁ ବେଶ ଉପଭୋଗ କରିଥାନ୍ତି । ଜଳ ଭଣ୍ଡାର ଉପରମୁଣ୍ଡ ଆଡକୁ ପ୍ରାୟ ୫ କିମି ରାସ୍ତା ଗଲେ ମଲ୍ଲୀପଶି, ପିତାପଶି, ପତାନାଇ ଆଦି ଗ୍ରାମ ପଡେ । ଏହି ଗ୍ରାମକୁ ପର୍ଯ୍ୟଟକ ମାନେ ବୋଟିଂ ଆଳରେ ବୁଲିବା ପାଇଁ ଯାଇଥାନ୍ତି । ଏହି ଗ୍ରାମ ଗୁଡିକ ଦୀପପୁ୍‌ଞ୍ଜ ପରି ଦୃଶ୍ୟ ମାନ ହୋଇଥାଏ । ସୂର୍ଯ୍ୟାସ୍ତ ପୂର୍ବରୁ ପ୍ରାକୃତିକ ମନୋରମ ଦୃଶ୍ୟ ଦେଖିବାକୁ ଏଠାରେ ମିଳିଥାଏ ।

ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ହଜାର ହଜାର ହେକ୍ଟର ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ଉତ୍କଳ କେଶରୀ ଡଃ.ହରେକୃଷ୍ଣ ମହତାବଙ୍କ ପ୍ରଚେଷ୍ଟାରେ ଏହି ହଦଗଡ ଡ୍ୟାମ୍ ପ୍ରତିଷ୍ଠା ହୋଇପାରିଥିଲା । ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ବେଳେ ଏହି ପର୍ଯ୍ୟଟନସ୍ଥଳୀ ପ୍ରତି ବୈମାତୃକ ମନୋଭାବକୁ ପୋଷଣ କରୁଥିବା ଦେଇ ସାଧାରଣଲୋକେ ଅଭିଯୋଗ ହେଉଛି । ଯଦି ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ରାତ୍ରୀଯାପନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ସୃଷ୍ଟି ହୋଇପାରନ୍ତା ତାହେଲେ ବହୁ ପର୍ଯ୍ୟଟକ ଏହି ସ୍ଥାନ ପ୍ରତି ଅଧିକ ଆକୃଷ୍ଟ ହୋଇପାରନ୍ତେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତପୋଷଣ କରିଛନ୍ତି । ସେହିପରି କେଉଁ ଆବାହନ କାଳରୁ ହାଟଡ଼ିହି ବ୍ଲକ ଜମ୍ଭିରା ପଞ୍ଚାୟତ ଅଧିନ ତିନୋଟି ପାହାଡ଼ର ମଝିରେ ପୂଜା ପାଉଛନ୍ତି ମା’ଗଡ଼ଚଣ୍ଡୀ । ଉକ୍ତ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ୧୯୭୮ ମସିହାରେ ଏହି ଅଞ୍ଚଳର ବରିଷ୍ଠ ବ୍ୟକ୍ତିଓ କିଛି ଉସ୍‌ôାହି ଯୁବକଙ୍କୁ ନେଇ “ଗଡ଼ଚଣ୍ଡି ଯୁବ ପରିଷଦ”ଗଠନ କରା ଯାଇ ପୀଠର ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପ୍ରତିପାଦନ କରାଯାଉଅଛି । କିଛି ବଦାନ୍ୟ ବ୍ୟକ୍ତ, ପରିଷଦର କର୍ମକର୍ତ୍ତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରଚେଷ୍ଠାରେ ଉକ୍ତ ପୀଠକୁ ରାସ୍ତା ଓ ପାନ୍ଥଶାଳା ଆଦି ନିର୍ମାଣ କରାଯାଇଛି । ଡ଼ିସେମ୍ବର ମଧ୍ୟଭାଗରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମା’ ଙ୍କ ପୀଠରେ ପର୍ଯ୍ୟଟକଙ୍କର ଭିଡ଼ ଲାଗିରହିଥାଏ । ପ୍ରକୃତିର ସୃଷ୍ଟି ଓ ପ୍ରାକୃତିକ ପରିବେଶକୁ ନେଇ ଗଢିଉଠିଥିବା ମା’ ଙ୍କ ଏହି ପୀଠରେ ନୂତନ ବର୍ଷକୁ ସରସ ସୁନ୍ଦର କରିବା ଆଶାରେ ବହୁ ପର୍ଯ୍ୟଟକ ବଣ ଭୋଜିକରିବା ପାଇଁ ଏଠାରେ ଏକତ୍ରିତ ହୋଇଥାନ୍ତି । ପୂର୍ବତନ ସେଚ ଓ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଏହି ଅଂଚଳକୁ ବିଦ୍ୟୁତ୍ ସଂଯୋଗ କରାଯାଇ ପାରିଥିଲା ଏବଂ ୦୧.୦୧.୧୯୯୮ ମସିହାରେ ଏହା ଏକ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଲାଭ କରିଥିଲା । ଏଣୁ ସରକାର ଏହି ପୀଠ ପାଇଁ କିଛି ଉନ୍ନତି ମୂଳକ ପଦକ୍ଷେପ ନେଲେ ଏହା ଏକ ସୁନ୍ଦର ପର୍ଯ୍ୟଟନସ୍ଥଳିରେ ପରିଣତ ହୋଇପାରନ୍ତା ବୋଲି ବୁଦ୍ଧିଜୀବି ମାନେ ଦାବି କରନ୍ତି ।