Onn 3

ସାମ୍ବାବ୍ୟ ବର୍ଷାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ, ଜମିରେ ଖୋଲା ଆକାଶ ତଳେ ପଡ଼ିଛି ପାଚିଲା ଧାନ

State

ଆଗରପଡ଼ା:ପାଣିପାଗ ବିଭାଗ ତରଫରୁ ବାତ୍ୟା ମିଗଜୋମ ପ୍ରଭାବରେ ବର୍ଷାପବନ ହେବାର ପ୍ରାକ ସୂଚନା ଦିଆଯାଇଥିଲା । ତଦନୁସାରେ ସୋମବାର ସକାଳୁ ପାଗ କୋହୋଲା ରହିବା ସହ ସଂଧ୍ୟାରେ ବର୍ଷା ଆରମ୍ଭ ହୋଇଥିଲା । ଝିପିଝିପି ବର୍ଷା ହେବା ଫଳରେ ଚାଷୀ ମୁଣ୍ଡ଼ରେ ଚଡ଼କ ପଡ଼ିଛି । ବର୍ଷକର ପରିଶ୍ରମ ସବୁ ବର୍ଷା ଯୋଗୁଁ ଧୋଇ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । କେଉଁ ବର୍ଷ ବୁଲବୁଲ ଜନିତ ମହାବାତ୍ୟା ତ ଆଉ କେଉଁ ବର୍ଷ ଅମ୍ଫନ ଓ ଆଉ ପୁଣି କେଉଁ ବର୍ଷ ୟାସ ପରି ପ୍ରାକୃତିକ ବିପର୍ଯ୍ୟସ୍ତ ରୁ ଚାଷୀ ମୂକୁଳି ପାରି ନଥିବା ବେଳେ ଏବେ ବାତ୍ୟା ମିଗଜୋମ ପ୍ରଭାବରେ ବର୍ଷାପବନ ହେବା ସମ୍ଭାବନା ସୃଷ୍ଟି ହେବା ଦ୍ୱାରା ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ଥିବା ଚାଷୀମାନେ ଋଣ ଯନ୍ତାରେ ପଡ଼ି ଛଟପଟ ହେବା ସାର ହୋଇଛି । ଏଠାକାର ଅଂଚଳରେ ପ୍ରାୟ ୮୦ ପ୍ରତିଶତ ଲୋକ କେବଳ ଧାନଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ଚାଷକୁ ଛାଡ଼ିଦେଲେ ଆୟ କରିବାର ଅନ୍ୟ କିଛି ପନ୍ଥା ନାହିଁ ।

ବହୁ ଲୋକ ବ୍ୟାଙ୍କ ଋଣ କିମ୍ବା ଗାଉଁଲି ଧାର କରଜ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଏଥର ମଧ୍ୟ ଠିକ୍ ସେପରି ଉପାୟରେ ଧାନ ଚାଷ କରିଥିଲେ । ଅନେକ ଭାଗ ଚାଷୀ ମଧ୍ୟ ରହିଛନ୍ତି । କିଛି ସ୍ଥାନରେ ଧାନ କଟାଯାଇ ବିଲରେ ପଡ଼ିଛି । ବର୍ଷା ଯୋଗୁଁ ସେଠାରେ ତାହା ଗଜା ହୋଇ ନଷ୍ଟ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଉ କିଛି ଲୋକ ପାଗକୁ ଦେଖି ତରବରିଆ ଭାବେ ଖଳାରେ ଆଣି ଧାନକୁ ରଖିଥିଲେ ସୁଦ୍ଧା ଏଠାରେ ମଧ୍ୟ ସମ ପରିସ୍ଥିତି ସୃଷ୍ଟି ହୋଇଛି । ଖୋଲା ଆକାଶ ତଳେ ଧାନ ଗୁଡ଼ିକ ପଡ଼ି ରହିଥିବା ବେଳେ ଏହି ବର୍ଷା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣ କରିଦେଇଛି । ପୂର୍ବ ବର୍ଷ ପରି ପ୍ରକୃତି ପୁଣି ଦାଉ ସାଜିବନିତ ଏହି ଚିନ୍ତାରେ ଚାଷୀର ନିଦ ହଜିଯାଇଥିବା ପରିଲକ୍ଷିତ ହୋଇଛି ।