Onn 3

ପ୍ରତିଶ୍ରୁତିରେ ବନ୍ଧା ଆଗରପଡ଼ା-ବରପଦା ସ୍ଥାୟୀ ରାସ୍ତା ନିର୍ମାଣ, ୮ବର୍ଷ ପରେବି ମରାମତିରେ ସୀମିତ ରାସ୍ତା

State

ଆଗରପଡ଼ା:ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧନସ୍ଥ ଆଗରପଡ଼ା-ବରପଦା ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ନିର୍ମାଣ ସମୟରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଉକ୍ତ ରାସ୍ତା ନିର୍ମାଣ ଏକ ପ୍ରହସନରେ ପରିଣତ ହେବା ସହ ୮ବର୍ଷ ପରେବି କେବଳ ମରାମତିରେ ସୀମିତ ରହିଛି ଉକ୍ତ ରାସ୍ତା । ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ବର୍ଷ ୨୦୨୧ ଜୁନ ମାସରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି ,ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି ବୋଲି କହିଥିଲେ । କିନ୍ତୁ ରାସ୍ତା ଅବସ୍ଥା ଶୋଚନୀୟ ହେବାରୁ ବିଭିନ୍ନ ଗଣମାଧ୍ୟମରେ ଏଥିନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ୨୦୨୨ମାର୍ଚ୍ଚ ମାସରେ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ବିଭାଗ ପକ୍ଷରୁ କରାଯାଇଥିଲା । କିନ୍ତୁ ମରାମତିକୁ ବର୍ଷେ ନପୁରୁଣୁ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ଦବି ଯିବା ସହ ବହୁ ଜାଗା ଫାଟି କେରା କେରା ହୋଇ ମରଣଯନ୍ତା ପାଲଟିଯାଇଥିଲା ।

ଅପରପକ୍ଷରେ କାଦବରାଙ୍ଗ ବଜାର ଠାରୁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପାଖାପାଖି ୪୫୦ମିଟର କଂକ୍ରିଟ ନିର୍ମିତ ରାସ୍ତା ମଧ୍ୟ ମଝିରୁ ଦୁଇଫାଳ ହୋଇଯାଇଥିଲା । ଯଦ୍ୱରା ସାଇକେଲ କିମ୍ବା ମୋଟରସାଇକେଲ ଆରୋହୀ ରାସ୍ତାରେ ଯିବାକୁ ନିରାପଦ ମଣୁ ନଥିଲେ । ଟିକେ ଅସାବଧାନତାରେ ଗାଡ଼ିଚକା ଫାଟିଥିବା ରାସ୍ତାରେ ପସି ଦୃର୍ଘଟଣା ଘଟିବ ଏଥିରେ ସନ୍ଦେହ ନଥିଲା । ପରେ ରାସ୍ତା ସ୍ଥାୟୀ ମରାମତି ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଏହି ରାସ୍ତାକୁ ୭ ମିଟର ଓସାର କରିବା ସହ ନୂଆ ରାସ୍ତା ନିର୍ମାଣ ପାଇଁ ୪୪ କୋଟି ଟଙ୍କାର ଯୋଜନା ଅଟକଳ ମଂଜୁର ପାଇଁ ଦିଆଯାଇଛି । ଏହି ଅଟକଳ ମଧ୍ୟରେ ଛୋଟ ପୋଲ ଓ ଜମି ଅଧିଗ୍ରହଣ କରାଯିବ । ଅଟକଳ ମଂଜୁର ହେବାପରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହେବାର ସୂଚନା ମଧ୍ୟ ସେ ଦେଇଥିଲେ । କିନ୍ତୁ ଅଧିକାରୀଙ୍କ ପ୍ରତିଶ୍ରୁତିରେ ଆଗରପଡ଼ା-ବରପଦା ରାସ୍ତା ବନ୍ଧା ପଡ଼ିଥିବା ବେଳେ ବାରମ୍ବାର ଅଭିଯୋଗ ଓ ଧାରଣା ଦେବାର ଚେତାବନୀ ଦେବା ପରେ ବିଭାଗ ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ ହେବା ପରିବର୍ତ୍ତେ ଏହାର ମରାମତି କରାଯାଇଥିଲା । ବର୍ତ୍ତମାନ କାଦବରାଙ୍ଗ ବଜାର ଠାରୁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପାଖାପାଖି ୪୫୦ମିଟର କଂକ୍ରିଟ ନିର୍ମିତ ବିପଦ ସଙ୍କୁଳ ଅବସ୍ଥାରେ ଥିବା ରାସ୍ତାର ମରାମତି କରାଯାଇଛି । ତେଣୁ ସ୍ଥାୟୀ ରାସ୍ତା ନିର୍ମାଣକୁ କାଗଜକଲମରେ ସୀମିତ ନରଖି ଏହାର ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି ।