Barb

ବାରବାଟୀର ହେବ ନବୀକରଣ : ୩ ବର୍ଷ ମଧ୍ୟରେ ସରିବ କାମ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

State

କଟକ/ଭୁବନେଶ୍ବର : ବଦଳିବ ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡିୟମ ରୂପ। ବିଶ୍ବସ୍ତରୀୟ କ୍ରିକେଟ ଫିଲ୍ଡର ମାନ୍ୟତା ପାଇବ ବାରବାଟୀ। ଆଜି ବାରବାଟୀ ଷ୍ଟାଡିୟମ ନବୀକରଣର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଯୋଗ ଦେଇ ବାରବାଟୀ ଷ୍ଟାଡିୟମ ନବୀକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଓସିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୩୦ଜିଲ୍ଲାର ମୋଟ ୪୧ଟି କ୍ରିକେଟ ଏକାଡେମୀ ମଧ୍ୟ ଉଦ୍‌‌ଘାଟିତ ହୋଇଛି।

ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଖର୍ଚ୍ଚ ହେବ ୬ ଶହ କୋଟି ଟଙ୍କା । ଏକାଥରେ ୬୦ ହଜାର ଦର୍ଶକ ବସି ଖେଳ ଦେଖିବା ଭଳି ବ୍ୟବସ୍ଥା କରାଯିବ । ରୂପାନ୍ତରିତ ଷ୍ଟାଡିୟମରେ ରହିବ ବିରାଟ ସ୍ପୋର୍ଟସ କମ୍ପ୍ଲେକ୍ସ । ଏକ ଅତ୍ୟାଧୁନିକ ଜିମ୍ ସେଣ୍ଟର ମଧ୍ୟ ନିର୍ମାଣ କରାଯିବ। ଏଥିସହ ଷ୍ଟାଡିୟମ ପରିସରରେ ରହିବ ମଲ୍, ତାରକା ହୋଟେଲ ଓ ଅଫିସ୍ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବ । ୩ ବର୍ଷ ମଧ୍ୟରେ ନବୀକରଣର ଷ୍ଟାଡିୟମର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ମଙ୍ଗଳବାର ସନ୍ଧ୍ୟାରେ ଷ୍ଟାଡିୟମ ପରିସରରେ ପୁନଃନିର୍ମାଣର ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର ଭିନୀଲକ୍ରୀଷ୍ଣା, ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ଅରୁଣ ସିଂହ ଧୂମାଲ, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ଓଡ଼ିଶା ହାଇକୋର୍ଟର ଆଡଭୋକେଟ ଜେନେରାଲ ଅଶୋକ ପରିଜା, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏତଦବ୍ୟତୀତ ପୂର୍ବତନ ଅନ୍ତର୍ଜାତୀୟ ତାରକା କ୍ରିକେଟର ଇର୍ଫାନ ପଠାନ୍‌‌, ପ୍ରଜ୍ଞାନ ଓଝାଙ୍କ ସମେତ ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଞ୍ଜୟ ରାଉଳ, ସ୍ୱାଗତିକା ରଥ, ରସନାରା ପରୱିନ, ମାଧୁରୀ ମେହେଟା ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ସାମିଲ ହୋଇଛନ୍ତି। ଏହି ଅବସରରେ ରାଜ୍ୟ ତିନି ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା, ଶ୍ରଦ୍ଧାନନ୍ଦ ଦାସ ଏବଂ ଅଧୀପ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।