Onn 3

ମୟୂରଭଂଜରେ ୧୭ରୁ ୨୧ ହେବ ନୂଆ-ଓ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା

State

ବାରିପଦା:  ଯୁବଶକ୍ତିର ବିକାଶ ପାଇଁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମରେ ଆଉ ଏକ ଧାରା ଯୋଡି ହେବାକୁ ଯାଉଛି | ମୟୂରଭଂଜ ଜିଲ୍ଲାରେ ଆଗାମୀ ୧୭ ତାରିଖ ରୁ ୨୧ ତାରିଖ ଯାଏଁ ଆରମ୍ଭ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା | ଏହି ସଂକ୍ରାନ୍ତରେ ଗୁରୁବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ , ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତିଙ୍କ ସଂଚାଳନାରେ ଅନୁଷ୍ଠିତ ହୋଇ ଯାଇଛି | ସଭାକୁ ଆରମ୍ଭ କରି, ଶ୍ରୀ ସ୍ୱାଇଁ କହିଥିଲେ ଯେ ଏଥିରେ ୪ଟି ସବ୍ଡିଭିଜନ ରୁ ଉତ୍କୃଷ୍ଟ ଖେଳାଳି ମାନେ ବଛା ଯାଇ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ଏବଂ ୨୧ ତାରିଖ ଦିନ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରାଯିବ |ଏହା ପରେ ଶ୍ରୀ ମହାନ୍ତି ବୈଠକ ପରିଚାଳନା କରିବାକୁ ଯାଇ କାର୍ଯ୍ୟକ୍ରମର ସମସ୍ତ ବିବରଣୀ ବିସ୍ତୃତ ଭାବରେ ଉପସ୍ଥିତ ସମସ୍ତ ଅଧିକାରୀ ତଥା ବରିଷ୍ଠ କ୍ରୀଡ଼ାବିତ ମାନଙ୍କୁ ବୁଝାଇଥିଲେ |

ସୂଚନା ଅନୁସାରେ, ଏହି ୫ ଦିନ ବ୍ୟାପି ହେବାକୁ ଥିବା କ୍ରୀଡା ପ୍ରତିଯୋଗିତାରେ, ଉଭୟ ମହିଳା ଓ ପୁରୁଷ ଫୁଟବଲ, କ୍ରିକେଟ, ଖୋଖୋ, ଭଲ୍ଲିବଲ, କବାଡି ଏବଂ ହକି ଭଳି କ୍ରୀଡା ସାମିଲ ହେବା ସହିତ ଜିଲ୍ଲାର ଅନେକ ପ୍ରତିଭାବାନ କ୍ରୀଡ଼ାବିତ ମାନଙ୍କୁ ପୁରସ୍କୃତ କରାଯିବାର ଆୟୋଜନ ମଧ୍ୟ କରାଯାଉଛି | ପ୍ରକାଶ ଥାଉକି ରାଇରଙ୍ଗପୁର ସ୍ଥିତ ମହୁଲଡିହା ଏବଂ କଚେରୀ ପଡିଆ ଠାରେ ଫୁଟବଲ ପ୍ରତିଯୋଗିତା ହେବାକୁ ଥିବା ବେଳେ ଚାନ୍ଦୁଆ ଠାରେ ହକି, ବିଶ୍ୱବିଦ୍ୟାଳୟ ପଡିଆ ଠାରେ କବାଡି, ଏମ.କେ.ସି. ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ, ଖୋ ଖୋ, ଏବଂ ବାରିପଦା ଷ୍ଟାଡିଅମ ଠାରେ ଭଲ୍ଲି ବଲ ଓ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେବ. ଏହି ସମସ୍ତ ଆୟୋଜନ ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ପ୍ରକୃଷ୍ଟ ଦାୟିତ୍ୱ ଦେବା ସହିତ ଏହି ଅୟୋଜନକୁ ସଫଳ କରାଇବା ପାଇଁ ନିଜର ଶୁଭକାମନା ମଧ୍ୟ ଦେଇଥିଲେ. ଉକ୍ତ ବୈଠକରେ, ସମସ୍ତ ଆଇ.ଟି.ଡ଼ି.ଏ, ପ୍ରକଳ୍ପ ପ୍ରଶାସକ, ଜ଼ିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ, ଶ୍ରୀ ଦେବାଶିଷ ମହାପାତ୍ର, ଅତିରିକ୍ତ ଏସ.ପି, ଶ୍ରୀ ଉମାଶଙ୍କର ମହାରଣା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ରୂପଭାନୁ ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିସ୍ବରାଜ ବେହେରା, ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ଭବେନ୍ଦ୍ରନାଥ ଦେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖ ଉପସ୍ଥିତ ଥିଲେ ବୋଲି ପ୍ରକାଶ |