Img 20240612 Wa0161

ଗୋପବନ୍ଧୁ ଭବନରେ ପ୍ରତିମୂର୍ତ୍ତି ସ୍ଥାପନ ସହ ଖୋଲିବ ପାଠାଗାର ଏବଂ ସଂଗ୍ରହାଳୟ

State
  • ଓଡ଼ିଆ ଜାଗରଣ ମଞ୍ଚର ଦାବିପରେ ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ
  • ବେଆଇନ ଜବର ଦଖଲ ହଟାଇବାକୁ ପୌର ଅଧିକାରୀଙ୍କୁ ନିର୍ଦ୍ଦେଶ

ବାରିପଦା: ବାରିପଦାର ଐତିହାସିକ ଗୋପବନ୍ଧୁ ଭବନ ଚିର ଅବହେଳିତ ହୋଇ ପଡି ରହିଥିଲା | ଏହି ଗୋପବନ୍ଧୁ ଭବନର ପୁନରୁଦ୍ଧାର ସହ ଏହାକୁ ଏକ ଐତିହାସିକ ସ୍ଥଳିର ମାନ୍ୟତା ଦେବାକୁ ବାରମ୍ବାର ମୟୂରଭଂଜ ବାସୀ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବୀ ହୋଇ ଆସୁଥିବା ବେଳେ ଗତ ତା 14/7/22 ରିଖରେ ବାରିପଦାର ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଦିଆ ଯାଇଥିବା ଦରଖାସ୍ତ ମୂଳେ ରାଜ୍ୟପାଳ ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ଏବଂ ମୟୁରଭଞ୍ଜ ଜିଲ୍ଲା ପାଳଙ୍କୁ ଏହାର ପୁନଃରୁଦ୍ଧାର ପାଇଁ ଚିଠିନଂ 5464 ତା 28/7/22 ରିଖରେ ନିର୍ଦ୍ଦେଶ ଦେଇଥିଲେ | ସେହିପରି ରାଜ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ତା 10 |10 |22 ରିଖ ଚିଠି ନଂ 8135ମୂଳେ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ | ଏବଂ ରାଜ୍ୟ ସରକାର ଏହାର ପୁନଃରୁଦ୍ଧାର ପାଇଁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ | ତେବେ ବର୍ତ୍ତମାନ ଏହି ପୁନଃରୁଦ୍ଧାର କାମ ପ୍ରାୟତଃ ଶେଷ ହୋଇଛି | ତେବେ ଏହାର ଚାରିପାଖରେ କିଛି ଲୋକ ବେଆଇନ ଜବର ଦଖଲ କରି ରହିଥିବାରୁ ତାହା ଉଛେଦ କରାଯାଇ ନଥିବାରୁ କୋଣସି ଉନ୍ନତିମୂଳକ କାର୍ଯ୍ୟ ସଠିକ ଭାବରେ ହୋଇପାରୁନାହିଁ | କେବଳ ଗୋଟିଏ ପୁରୁଣା ଆଜବେଷ୍ଟସ ଘରର ମରାମତି ସହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଘରଟିର ପୁନଃ ନିର୍ମାଣ ହୋଇଛି |

ତେବେ ଜିଲ୍ଲା ପ୍ରଶାସନ ଜବର ଦଖଲ ହଟାଇବାକୁ ତତପରତା ପ୍ରକାଶ କରୁ ନଥିବାରୁ ଜନ ଅସନ୍ତୋଷ ଦାନା ବାନ୍ଧୁଥିବାର ଦେଖାଯାଉଛି |
ଆଜି ପୁନଶ୍ଚ ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ମଞ୍ଚର କର୍ମକର୍ତା ଆଇନଜୀବୀ ଅରବିନ୍ଦ ଦାସ, ପିତାମ୍ବର ମଲ୍ଲିକ, ସାମ୍ବାଦିକ ଦୀପକ କୁମାର ନାୟକ, ଦିଲ୍ଲୀପ ପାତ୍ର, ସଂଜୀବ କୁମାର ରଣଜିତ, ଳଳିତ କୁମାର ବାରିକ, ଶିବଶଙ୍କର ମାହାନା ପ୍ରମୁଖ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେଙ୍କୁ ଭେଟି ଐତିହାସିକ ଗୋପବନ୍ଧୁ ଭବନରେ ଉତ୍କଳମଣି ଗୋପବନ୍ଧୁ ଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ପାଠାଗାର, ସଂଗ୍ରହାଳୟ ଆଦି ଖୋଲିବା ଏବଂ ଏହାର ରକ୍ଷଣା ବେକ୍ଷଣ ପାଇଁ କର୍ମଚାରୀ ନିଯୁକ୍ତି କରିବା, ପାଣି ଏବଂ ବିଦ୍ୟୁତ ସଂଯୋଗୀ କରଣ କରାଯିବା, ବେଆଇନ ଜବର ଦଖଲ ହଟାଯିବା ସମ୍ବନ୍ଧରେ ଆଲୋଚନା କରିଥିଲେ | ତେବେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇ ନିଜେ କ୍ଷେତ୍ର ପରିଦର୍ଶନରେ ଯାଇ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି , ବାରିପଦା ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ, ୱାଟକ ଅଧିକାରୀ, ବିଦ୍ୟୁତ ବିଭାଗୀୟ ଅଧିକାରୀ, ନିର୍ମାଣ ବିଭାଗୀୟ ଅଧିକାରୀ ମାନଙ୍କୁ କାର୍ଯ୍ୟସ୍ଥଳକୁ ଡାକି ତୁରନ୍ତ 15 ଦିନ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏହି ପରିଦର୍ଶନରେ ଜିଲ୍ଲା ପାଳଙ୍କ ସହିତ ଓଡିଶା କ୍ୟାଡର ଶିକ୍ଷାନବୀଶ ସୁଶ୍ରୀ ଆଶନୀ ଏ |ଏଲ | ଉପସ୍ଥିତ ଥିଲେ |

ଏଠାରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ପାଠାଗାର, ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସଂଗ୍ରହାଳୟ ଏବଂ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ | ସେହିପରି ଭିତରେ ଥିବା ଖାଲି ସ୍ଥାନରେ ବଗିଚା ନିର୍ମାଣ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ ଏବଂ ବେଆଇନ ଜବର ଦଖଲ ହଟାଇବାକୁ ପୌର ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଏବାବଦରେ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଏହାର ପରିଚାଳନା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିନ୍ଧେ ନିର୍ଦ୍ଦେଶ ଦେଇଛନ୍ତି |
ସୂଚନା ମୁତାବକ ନବ ଉତ୍କଳ ଗଠନର ଅନ୍ୟତମ ବରପୁତ୍ର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ମୟୂରଭଂଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଂଜଦେଓଙ୍କ ଦ୍ୱାରା ୧୯୧୦ ମସିହାରେ ମୟୁରଭଂଜର ସରକାରୀ ଓକିଲ ବା ଆଇନ ପରାମର୍ଶ ଦାତା ହିସାବରେ ଯୋଗ ଦେଇଥିଲେ | ସେ ୧୯୦୫ ମସିହାରେ ଗଠିତ ହୋଇଥିବା ବାରିପଦା ପୌରପରିଷଦର ଭାଇସ ଚେୟାରମେନ ଭାବେ ମଧ୍ୟ କାର୍ଯ୍ୟନିର୍ବାହ କରିଆସୁଥିଲେ | ତାଙ୍କର ରହିବା ନିମନ୍ତେ ବାରିପଦା ପୌରପରିଷଦର ୟୁନିଟ ନଂ- ୪ ଶହୀଦପଡିଆ ନିକଟରେ ଏକ ବାସଗୃହ ମହାରାଜା ଯୋଗାଇ ଦେଇଥିଲେ | ତାହା ଗୋପବନ୍ଧୁ ଭବନ ନାମରେ ଏବେବି ଜନ ମାନସରେ ଏକ ଐତିହାସିକ ନିବାସ ଭାବେ ମାନ୍ୟତା ଲାଭ କରିଅଛି | ଜିଲ୍ଲାପାଳ ଙ୍କର ସହସା ପଦକ୍ଷେପ ପାଇଁ ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି |