Onn 3

ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ହୁଙ୍କାର: ଦାବୀ ପୂରଣ ନହେଲେ ଡିସେମ୍ବର ୧୨ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

State

ବାରିପଦା: ସ୍ଥାନୀୟ ବିଜୟ ରାମଚନ୍ଦ୍ର ପୁରଠାରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର କାର୍ଯ୍ୟକାରିଣୀ କମିଟିର ଏକ ଜରୁରୀକାଳୀନ ବୈଠକ ବସି ସଂଘର ଦାବିଗୁଡିକୁ ପୂରଣ କରା ନଗଲେ ଆଗାମୀ ଡିସେମ୍ବର ୧୨ ତାରିଖରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରିଲେ ଗଣଧାରଣା ଦିଆଯିବ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ପ୍ରକାଶ ଥାଉକି ସଂଘ ବାରିପଦା ସହରରେ ବସବାସ କରୁଥିବା ପଟ୍ଟାବିହୀନ ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ପାଇଁ ଦାବୀ କରିଆସିଛି। ଏବାବଦକୁ ବହୁ ଆନ୍ଦୋଳନ ମଧ୍ୟ ହୋଇଛି। କିନ୍ତୁ ଏଯାଏଁ ଅର୍ଦ୍ଧେକରୁ ଅଧିକ ଲୋକଙ୍କୁ ଜମି ଅଧିକାର ପ୍ରମାଣ ପତ୍ର(ଏଲଆରସି) ଦିଆଯାଇ ପାରିନାହିଁ। ଶୀଘ୍ର ଏହା ପ୍ରଦାନ ପାଇଁ ବାରମ୍ବାର ପ୍ରତିଶ୍ରୁତି ମିଳିଛି, ହେଲେ ଏ ବାବଦକୁ କୌଣସି ତତ୍ପରତା ନାହିଁ। କାର୍ଯ୍ୟକାରୀ କମିଟି ଏହା ପୂର୍ବରୁ ଲିଖିତଭାବେ ଏକ ସ୍ମାରକ ପତ୍ର ଓଡିଶାର ମାନ୍ୟବର ରାଜ୍ୟପାଳଙ୍କୁ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କୁ, ୫ଟି ସେକ୍ରେଟାରୀଙ୍କୁ ଓ ମୟୂରଭଞ୍ଜର ଜିଲ୍ଳାପାଳଙ୍କୁ ପ୍ରଦାନ କରିଛି।

ଦାବୀ ପୂରଣ ନହେଲେ ଆଗାମୀ ୧୨ ତାରିଖରୁ ରିଲେ ଗଣଧାରଣା ଦିଆଯିବ ବୋଲି ସୂଚାଇ ଦିଆଯାଇଛି। ଯେଉଁ ଦାବିଗୁଡିକ ସଂଘ ଉପସ୍ଥାପନ କରିଛି ସେଗୁଡିକ ହେଉଛି, ପ୍ରଥମରେ ଅସମ୍ପୂର୍ଣ୍ଣ ରହିଥିବା ସର୍ଭେକୁ ସମାପ୍ତ କରିବା, ଦ୍ଵିତୀୟରେ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ପଟ୍ଟାବିହୀନଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିବା ଓ ତୃତୀୟରେ ଯେଉଁମାନଙ୍କ ସର୍ଭେ ହୋଇ ସାରିଛି ତଥା ଷ୍ଟିକରିଂ ସରିଛି ତାଙ୍କୁ ଶୀଘ୍ର ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିବା। ଏହି ବୈଠକରେ ସଂଘର ସଭାପତି ଶ୍ରୀ ନନ୍ଦ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଯେଉଁମାନେ ଉପସ୍ଥିତ ଥିଲେ ସେମାନେ ହେଲେ ସାଧାରଣ ସମ୍ପାଦକ ଶ୍ରୀ କାହ୍ନୁଚରଣ ବେହେରା, କର୍ଯ୍ୟକାରୀ ସଭାପତି ଆଡଭୋକେଟ ରବି ଗୋସ୍ଵାମୀ, ଉପଦେଷ୍ଟା ଗୋପବନ୍ଧୁ, ସହ ସମ୍ପାଦକ ଶ୍ରୀ କାଶୀନାଥ ମାହାନା, କୋଷାଧକ୍ଷା ଶ୍ରୀମତୀ ଭାରତୀ ପାତ୍ର ଓ ବରିଷ୍ଠ ସଦସ୍ୟ ଶ୍ରୀ ଅମଲ ଦେ।