Pravati

‘ଓଡ଼ିଶା ଆସିବେ ଅଢ଼େଇ ହଜାର ପ୍ରବାସୀ, ବିଶ୍ବ ଦେଖିବ ଓଡିଶାର ଆତିଥ୍ୟ’

State

ଭୁବନେଶ୍ୱର: ଆସନ୍ତା ୮ରୁ ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏହା ତିନି ଦିନ ଅର୍ଥାତ୍ ଜାନୁଆରୀ ୧୦ ଯାଏଁ ଚାଲିବ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।

ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ୬ ତାରିଖରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଭୁବନେଶ୍ଵରରେ ଉପସ୍ଥିତ ରହିବେ । ୯ ତାରିଖରେ ପ୍ରଧାନମନ୍ତ୍ରୀ ଓ ୧୦ ତାରିଖରେ ଦେଶର ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ପୁରୀରେ ସି ବିଚ୍ ଫେଷ୍ଟିଭାଲ ଚାଲିବ । ମୁକ୍ତେଶ୍ଵର ଫେଷ୍ଟିଭାଲଠୁ ଆରମ୍ଭ କରି ଯାହା ଯାହା ଉତ୍ସବ ଅଛି, ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ୟ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରିବାକୁ ପ୍ରସ୍ତୁତ କରାଯାଇଛି । ବୁଦ୍ଧିଷ୍ଟ କରିଡ଼ର ହେଉ ବା ସ୍ପିରିଚୁଆଲ ଟୁରିଜିମ୍, ଅଥବା ପକ୍ଷୀ ଉତ୍ସବ ହେଉ, ସବୁ କିଛି ବ୍ୟବସ୍ଥା କରାଯାଇଛି ।

ତେବେ ଅଢ଼େଇ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବା ପାଇଁ ପଞ୍ଜିକରଣ କରି ସାରିଛନ୍ତି । ଆଉ କିଛି ପ୍ରବାସୀ ଭାରତୀୟ ଓଡ଼ିଆ ଲୋକଙ୍କ ଘରେ ହୋମ ଷ୍ଟେ’ ରେ ରହିବେ । ଓଡ଼ିଆ ଘରର ଖାଦ୍ୟ ଖାଇବେ, ଓଡ଼ିଶାର ଖାଦ୍ୟ ପ୍ରଣାଳୀ, ଓଡ଼ିଶାର ଅତିଥେୟତା, ବିଶ୍ଵ ଦରବାରରେ ଦେଖାଇବାର ଆମ ପାଇଁ ବଡ଼ ସୁଯୋଗ । ଯେଉଁ ବେଷ୍ଟ କେପ୍ଟ ସିକ୍ରେଟ ଥିଲା, ସେ ସିକ୍ରେଟ୍ କୁ ଗୋଟି ଗୋଟି କରି ରିଭେଲ କରିବାର ସମୟ ଆସିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି, ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇ ବୁଝାଇବା ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହି ପାରୁଥିବା ଗାଇଡ ରହିବେ । ଯେଉଁ ହୋଟେଲରେ ପ୍ରବାସୀ ଭାରତୀୟ ରହିବେ, ସେ ହୋଟେଲର ବ୍ୟବସ୍ଥା, ହୋଟେଲର ସୁରକ୍ଷା ବ୍ୟବସ୍ଥା, ସେଠାରୁ ବିଭିନ୍ନ ସ୍ଥାନକୁ କିଭଳି ଡବଲ ଡେକର ଗାଡ଼ିରେ ବୁଲିବେ ତାହା ସୁନିଶ୍ଚିତ କରାଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।