Onn 3

ଅବସରପ୍ରାପ୍ତ ରାଜସ୍ୱ ସଚିବ ଗୋବିନ୍ଦ ସେଠୀଙ୍କ ଦେହାନ୍ତ; ବିଭିନ୍ନ ମହଲରେ ଶୋକ

State

ନିଶ୍ଚିନ୍ତକୋଇଲି: ସେବାନିବୃତ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇ.ଏ.ଏସ.)ଗୋବିନ୍ଦ୍ର ଚନ୍ଦ୍ର ସେଠୀ(୬୪)ଙ୍କ ଭୁବନେଶ୍ୱର ବାସଭବନରେ ସୋମବାର ବିଳମ୍ବିତ ରାତିରେ ହୃଦଘାତଜନିତ ପରଲୋକ ହୋଇଛି । ସ୍ୱର୍ଗତ ସେଠୀ ପ୍ରଥମେ କୁଚିଣ୍ଡା ଓ ପାଟଣାଗଡ଼ରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବାବେଳେ ବରଗଡ଼ ଜିଲ୍ଲାରେ ଆରଟିଓ , ମାଲାକାନଗିରି ଜିଲ୍ଲାରେ ପିଡ଼ି , ଢେଙ୍କାନାଳ ଜିଲ୍ଲାରେ ଏ.ଡ଼ି.ଏମ୍‌. , କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଏବଂ ଶେଷରେ କଟକ ରାଜସ୍ୱ ପରିଷଦର ସଚିବ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ । ମଙ୍ଗଳବାର ସକାଳେ ଏକ ଶୋକାକୂଳ ପରିବେଶରେ ତାଙ୍କର ମର ଶରୀରକୁ ନିଶ୍ଚିନ୍ତକୋଇଲି ବ୍ଳକ କୋଲଣପୁର ଗ୍ରାମ ନିଜ ଜନ୍ମସ୍ଥାନ କୁ ଅଣାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ସାନ ଭାଇ ତଥା ସ୍ଥାନୀୟ ସରପଞ୍ଚ ଗୋପବନ୍ଧୁ ସେଠୀ ,ବଡ଼ଭାଇ ନନ୍ଦକିଶୋର ସେଠୀ,ବିଧବା ପତ୍ନୀ ବିଜୟ ଲକ୍ଷ୍ମୀ ସେଠୀ, କନ୍ୟା ଓଡ଼ିଶା ରାଜସ୍ୱ ସେବା ଅଧିକାରୀ (ଓଆରଏସ୍‌) ସ୍ମିତିଲାନା ପ୍ରୟଦର୍ଶିନୀ,ଶାଳକ ନିତ୍ୟାନନ୍ଦ ସେଠୀ, ପୁତୁରା ପ୍ରଭାତ ଓ ପ୍ରତାପ ସେଠୀଙ୍କ ସମେତ ପରିବାରର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

ଖବର ପାଇ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଗଭୀର ଶୋକବ୍ୟକ୍ତ କରି ପରିବାର ସଦସ୍ୟଙ୍କୁ ସାନ୍ତନା ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପୂର୍ବତନ ସରପଞ୍ଚ ଯଚିନ୍ଦ୍ରନାଥ ଜେନା, ଶିକ୍ଷାବିତ୍ ପ୍ରେମାନନ୍ଦ ଜେନା, ପ୍ରଶାନ୍ତ କୁମାର ଜେନା, ସୁଶାନ୍ତ କୁମାର ନାୟକ , ଶରତ କୁମାର ଜେନା ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ସଭ୍ୟା ଓ ଜନପ୍ରତିିନିଧି ମାନେ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମର ଶରୀରକୁ ଶୋଭାଯାତ୍ରାରେ ଗ୍ରାମ୍ୟ ଶ୍ମଶାନକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏକମାତ୍ର ପୁତ୍ର ସାଶ୍ୱତ ରଂଜନ ପ୍ରିୟଦର୍ଶନ ମୁଖାଗ୍ନୀ ଦେଇଥିଲେ ।