Onn 3

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜମି ବିବାଦର ସମାଧାନ

State

ଆଗରପଡ଼ା:ଜମି ବିବାଦର ସମାଧାନ ହୋଇ ପାରୁନଥିବାରୁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକାଶ କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁନଥିଲା । ଉକ୍ତ ପ୍ରସଙ୍ଗକୁ ନେଇ ଗତ ୧୧ ତାରିଖ ଶନିବାର “ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟେକେନ୍ଦ୍ର; ଜମି ବିବାଦ ଛିଡ଼ୁଡ଼ି କି ଭିତ୍ତିଭୂମି ବିକାଶ ହେଉନି” ଶୀର୍ଷକ ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଗୁରୁବାର ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ହାଉସିଂ ବୋର୍ଡ଼,ବନ୍ତ ତହସିଲ ଓ ରୋଗୀ କଲ୍ୟାଣ ସମିତି ଅଧିକାରୀଙ୍କ ଉପସ୍ଥିତିରେ ବିବାଦୀୟ ସ୍ଥାନର ମାପଚୁପ କରାଯାଇ ଉପୁଜିଥିବା ସମସ୍ୟାର ସମାଧାନ କରାଯାଇଥିବା ଜଣାପଡ଼ିଛି । ଗତ ଅଗଷ୍ଟ ମାସ ୨୨ ତାରିଖରେ ଜିଲ୍ଲାପାଳ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟର ତଦାରଖ କରିଥିଲେ । ତାଙ୍କ ଗ୍ରସ୍ତକୁ ୨ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବିକାଶ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇପାରୁ ନଥିବା ଜଣାପଡ଼ିଥିଲା । ସୂଚନା ଅନୁଯାୟୀ; ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ ଅଧିନ ଟିକିରା ମୌଜାର ପ୍ଲଟ ନଂ ୧୪ ଓ ୧୫ ଦୁଇଟି ଜାଗା ଲକ୍ଷ୍ମୀ ମାହାର ଓ ପ୍ରଫୁଲ୍ଲ ମାହାରଙ୍କ ସ୍ଥିତିବାନ ସତ୍ୱ ଥିବା ବେଳେ ଏଠାରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଶ୍ଚିମପାଶ୍ୱର୍ରେ ଥିବା ଷ୍ଟାଫକ୍ୱାର୍ଟର ଦ୍ୱିତାଲା କୋଠାଘର ନିର୍ମାଣ ହୋଇଥିବାର ଅଭିଯୋଗ ହୋଇଥିଲା । ଜାଗାର ମାଲିକାନା ସତ୍ୱ ଥିବା ଉପରୋକ୍ତ ବ୍ୟକ୍ତି ମାନେ ପୂର୍ବରୁ ଓ ବର୍ତ୍ତମାନ ଖଜଣା ଦେଇ ଆସୁଥିବା ବେଳେ ଏହି ବ୍ୟକ୍ତିଗତ ସ୍ଥାନରେ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ନିର୍ମାଣ ହେବା ନେଇ ଦ୍ୱନ୍ଦ ଉପୁଯିବା ବେଳେ ଏହାର ଆଜି ସୁଦ୍ଧା କୌଣସି ସମାଧାନ ହୋଇ ନଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ନିଜସ୍ୱ ଜମି ଚିହ୍ନଟ ଆଜିସୁଦ୍ଧା ହୋଇପାରୁନଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ତହସିଲଦାର କାର୍ଯ୍ୟକାରୀ କରୁନଥିଲେ ।

ଗତ ବର୍ଷ ଅଗଷ୍ଟ ମାସ ୧୩ ତାରିଖରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମିତି ଅଧ୍ୟକ୍ଷ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ୱରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲାର ଏକ ମାତ୍ର ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତି ଭୂମି ଉନ୍ନତି ପାଇଁ ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ହୋଇଛି ବୋଲି ସ୍ୱାସ୍ଥ୍ୟ ମିଶନ ଆସିଷ୍ଟାଣ୍ଟ ଇଂଜିନିୟର ସୂଚନା ଦେଇଥିଲେ । ଷ୍ଟାଫ କ୍ୱାଟର୍ସ ନିର୍ମାଣ,ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି,ରୋଗୀ ଶଯ୍ୟା ୬୦କୁ ବୃଦ୍ଧି,ଆବଶ୍ୟକୀୟ ଉପକରଣ ଯୋଗାଣ ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକକୁ ୧ବର୍ଷ ବିତିଯିବାପରେ ସ୍ୱାସ୍ଥ୍ୟକେନ୍ଦ୍ରର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଜମି ବିବାଦ ଛିଡ଼ୁ ନଥିବାରୁ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁନଥିଲା । ସୂଚନା ଅନୁଯାୟୀ;୧୯୯୨ ମସିହାରେ ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୦ ବର୍ଷ ବିତିଯାଇଛି । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ଉକ୍ତ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠି ବିଶେଷଜ୍ଞ ଡ଼ାକ୍ତରଙ୍କ ସମେତ ୮ରୁ ୧୦ଜଣ ଡ଼ାକ୍ତର ରହିବା ଦରକାର ସେଠାରେ ଜଣିଏ ମାତ୍ର ଡ଼ାକ୍ତର ରୋଗୀ ସେବା କରୁଥିବା ଜଣାପଡ଼ିଛି । ଡ଼ାକ୍ତର ସମସ୍ୟାକୁ ନେଇ ଦୈନିକ‘ସକାଳ’ରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ବିଭାଗ ବିଶେଷଜ୍ଞଙ୍କ ସମେତ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ନିଯୁକ୍ତି ପାଇଥିଲେ ଓ ବର୍ତ୍ତମାନ ଆଉଜଣେ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ପାଇଛନ୍ତି । କିନ୍ତୁ ସେମାନେ ରୋଗୀ ସେବାରେ ନିଜକୁ ଠିକ୍ ଭାବେ ନିଯୋଜିତ କରିପାରୁନଥିବା ଅଭିଯୋଗ ହେଉଥିବା ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା ।

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟେକେନ୍ଦ୍ର, ଜିଲ୍ଲାପାଳଙ୍କ ଗସ୍ତକୁ ୨ମାସ ବିତିଲା