Ganjam Arto

ଏଆରଟିଓ ଓ ଜୁନିୟର୍ ଏମଭିଆଇଙ୍କୁ ବାନ୍ଧିଲା ପୋଲିସ

State

ଗଞ୍ଜାମ: ବେଆଇନ୍‌ ଭାବେ ଭାରୀଯାନ ଗୁଡ଼ିକଠାରୁ ଫାଇନ୍‌ ଆଦାୟ କରିବା ପଡିଲା ମହଙ୍ଗା । ୩ ଜଣ ଦଲାଲଙ୍କ ସମେତ ଗଞ୍ଜାମ ଏଆରଟିଓ ଓ ଜୁନିୟର୍ ଏମଭିଆଇଙ୍କୁ ଗିରଫ କଲା ପୋଲିସ । ଏଭଳି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ- ଓଡ଼ିଶା ସୀମାନ୍ତ ୧୬ ନମ୍ୱର ଜାତୀୟ ରାଜପଥର ଗିରିଶୋଳାରେ ।

ଅଭିଯୋଗ ଅନୁସାରେ, ଦୀର୍ଘ ୩ ବର୍ଷ ହେଲା ଏହି କାରବାର ଚଳାଇଥିଲେ ଏଆରଟିଓ ଓ ଜୁନିୟର ଏମଭିଆଇ । ପ୍ରତି ଗାଡ଼ି ପିଛା ୭୦୦ ରୁ ୮୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଥିଲେ । ହେଲେ ପ୍ରମାଣ ମିଳିପାରୁନଥିବା କାରଣରୁ ଉପୟ ଶୂନ୍ୟ ହୋଇ ହାତ ବାନ୍ଧି ବସିଥିଲା ପୋଲିସ ।

୨ ଦିନ ପୂର୍ବେ ବିଶେଷ ସୂତ୍ରରୁ ଖବର ପାଇ ଗୋଲନ୍ଥରା ଥାନା ପୋଲିସ ଅଚାନକ ଗିରିଶୋଳା ଠାରେ ଥିବା ଚେକଗେଟ୍‌ ରେ ଚଢ଼ାଉ କରିଥିଲା । ଘଟଣାସ୍ଥଳରେ ୩ ଜଣଙ୍କୁ ଧରିଥିଲା । ପଚରା ଉଚରା ପରେ ସେମାନେ ଆରଟିଓ କର୍ମଚାରୀ ନୁହେଁ ବୋଲି ଜାଣିବାକୁ ପାଇଥିଲା ପୋଲିସ । ସେମାନଙ୍କ ଠାରୁ ପଚରାଉଚରା ପରେ ଏମଭିଆଇଙ୍କୁ ମଧ୍ୟ ଥାନାରେ ଅଟକ ରଖିଥିଲା ପୋଲିସ । ପରେ ଏମଭିଆଇଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଥିଲା ।

ପରେ ଏଥିରେ ଗଞ୍ଜାମ ଏଆରଟିଓଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ଆଜି ପୋଲିସ ଗଞ୍ଜାମ ଆରଟିଓ ଓ ଏଆରଟିଓଙ୍କ ଅଫିସ ଏବଂ ଘରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଏଆରଟିଓ ଅଫିସ୍‌ ଙ୍କ ଘରୁ ୮୦ ହଜାରରୁ ଅଧିକ ଟଙ୍କା ଜବତ କରିଥିଲା । ପରେ ପୋଲିସ ଏଆରଟିଓଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।