Onn 3

କେନାଲରେ ପକାଯାଇଥିବା ମାଟିକୁ କଢାଯିବା ସହିତ ସଫେଇ କରିବା ପାଇଁ ଦାବି : ଚାଷ ଜମି ଫାଟି ଆଁ

State

ନିଶ୍ଚିନ୍ତକୋଇଲି: କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧିନରେ ରହିଥିବା ଅସୁରେଶ୍ୱର ସ୍ଥିତ ପୁବଂଶ ଜଳସମ୍ପଦ ବିଭାଗ ଅଧିନସ୍ଥ କେନ୍ଦୁଲୋ ମୀରାସାହି ଦେଇ ଯାଇଥିବା ୧୦ନଂ ମୁଖ୍ୟ କେନାଲର ଶାଖା କେନାଲ ରେ ପାଣିଯାଉନି । ଏହି କେନାଲ ଭିତରେ କେତେକ ବ୍ୟକ୍ତି ମାଟି ପକାଇ ଏହାକୁ ଅବରୋଧ କରିବା ସହିତ ଚଳିତ ବର୍ଷ ଜଳସେଚନ ବିଭାଗ ପକ୍ଷରୁ ଏହାକୁ ସଫେଇ କରାଯାଇନାହିଁ । ମୌସୁମୀ ଜନିତ ନିଅଣ୍ଟିଆ ବର୍ଷା ପାଇଁ ଧାନ ଚାଷ କାର୍ଯ୍ୟରେ ବହୁ ବିଳମ୍ବ ହୋଇଥିଲା ବେଳେ ଚାଷୀମାନେ କେନାଲ ପାଣିକୁ ଅପେକ୍ଷା କରି ରହିଥିଲେ । ଗତ ୧୫ତାରିଖ ଠାରୁ ମୁଖ୍ୟ କେନାଲରୁ ପାଣି ଛଡ଼ାଯାଇଥିଲେ ମଧ୍ୟ ଅଦ୍ୟାବଧି ଏହି କେନାଲରେ ପାଣି ଆସିନାହିଁ । ଫଳରେ ଏହି କେନାଲ ଉପରେ ନିର୍ଭର କରୁଥିବା ୫୦ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମି ଜଳସେଚନରୁ ବଞ୍ଚିତ ହେବ ।

ଉକ୍ତ କେନାଲ କୁ ସଫେଇ କରି ତୁରନ୍ତ ପାଣି ଛାଡ଼ିବା ପାଇଁ ଚାଷୀମାନେ ବାରମ୍ବାର ଜଳସମ୍ପଦ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାଁନ୍ତି । ଅପରପକ୍ଷରେ ଧାନଚାଷ ପାଇଁ ଚାଷୀମାନେ ପକାଇଥିବା ତଳି ଘେରା ଫାଟି ତଳିଗୁଡ଼ିକ ଶୁଖିବାକୁ ଲାଗିଲାଣି । ଚାଷୀମାନେ କିଭଳି ଧାନଚାଷ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ଚାଷ କାର୍ଯ୍ୟ ପାଇଁ ଏହି କେନାଲ ଉପରେ ନିର୍ଭର କରୁଥିବା ଚାଷୀ ଚନ୍ଦ୍ରମଣୀ ନାୟକ, ମାନସ ନାୟକ, ଧରଣୀଧର ଓଝା ଓ ସୁବାଷ ଚନ୍ଦ୍ର ନାୟକ ପ୍ରମୁଖ ଉକ୍ତ କେନାଲଟିରେ ପକାଯାଇଥିବା ମାଟିକୁ କଢାଯିବା ସହିତ ଏହାକୁ ସଫେଇ କରିବା ପାଇଁ ମଧ୍ୟ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଉନଥିବାରୁ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ଯଦି ସପ୍ତାହ ମଧ୍ୟରେ ଚାଷୀମାନଙ୍କ ସମସ୍ୟା ସମାଧାନ କରାନଯାଏ ତାହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚରମ ଚେତାବନୀ ଦେଇଛନ୍ତି ।