Sarapancha

ବୈଠକ ଚାଲିଥିବାବେଳେ ଚେୟାର ମାଡ଼, ଫାଟିଲା ସରପଞ୍ଚଙ୍କ ମୁଣ୍ତ

State

ବୈଠକ ଚାଲିଥିବାବେଳେ ହଠାତ ହୋହାଲ୍ଲା ହେଲା । ଯୁକ୍ତି ତର୍କରେ କମ୍ପିଲା ବ୍ଲକ ପରିସର । ଏହି ସମୟରେ ହଠାତ ସରପଞ୍ଚଙ୍କ ମୁଣ୍ଡରେ ଚେୟାର ମାଡ଼ ହେଲା । ଧାର ଧାର ହୋଇ ବହିଗଲା ରକ୍ତ । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଗଲେ ଉପସ୍ଥିତ ଥିବା ସମସ୍ତ ମେମ୍ବର । ଗଣ୍ଡଗୋଳ ଯେ ଏମିତି ରୂପ ନିଏ ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ସାମାନ୍ୟ ଯୁକ୍ତିତର୍କରୁ ହେଲା ମହାଭାରତ ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ପ୍ରକଳ୍ପ ଅନୁମୋଦନ ପାଇଁ  ବୈଠକ ଚାଲିଥିଲା । ଏହି ସମୟରେ ବ୍ଲକ ପରିସରରେ ଗଣ୍ଡଗୋଳ, ଠେଲାପେଲା ହେଲା ଯେ ସରପଞ୍ଚଙ୍କ ମୁଣ୍ତ ଫାଟିଗଲା । ଅନ୍ୟ କିଛି ପିଆରଆଇ ମେମ୍ବର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ହୋଇଥିବା ସରପଞ୍ଚଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ବର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ବୈଠକରେ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବିନା ଲିଖିତ ଅନୁମୋଦନରେ ପ୍ରତିନିଧି ହିସାବରେ ଜନୈକ ନେତାଙ୍କ ଉପସ୍ଥିତିକୁ ନେଇ ପିଆରଆଇ ମେମ୍ବରଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ଏବଂ ଚେୟାର ଫିଙ୍ଗା ଫୋପାଡା ଯୋଗୁ ଡଗରା ପଞ୍ଚାୟତର ସରପଞ୍ଚ ସତ୍ୟାନନ୍ଦ ମହାନ୍ତିଙ୍କ ମୁଣ୍ତରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏହା ସହ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୋଲିସ ମୁତୟନ କରାଯାଇଥିଲା । ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ବାଲିଆପାଳ ବ୍ଲକ ଏବିଡିଓ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ରାଗରେ ମଣିଷ ହିତାହିତ ଜ୍ଞାନ ହରାଇ ବସେ । ଆଉ ଏହି ଘଟଣା ହିଁ ଏ କଥାକୁ ପ୍ରମାଣିତ କରୁଛି । ଯାହା ବି ହେଉନା କାହିଁକି ସୌଭାଗ୍ୟବଶତଃ ସରପଞ୍ଚ ବଞ୍ଚି ଯାଇଛନ୍ତି । ତେବେ ଏ ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଉପସ୍ଥିତ ଥିବା ଅନ୍ୟ ପିଆରଆଇ ମେମ୍ବର ଦାବି କରିଛନ୍ତି ।