Photo For The News Of Mahatab

ପୂଜ୍ୟପୂଜାଙ୍କୁ ଅସମ୍ମାନ, ବିଜ୍ଞାପନ ମାଧ୍ୟମ ପାଲଟିଛି ମହତାବଙ୍କ ପ୍ରତିମୂର୍ତ୍ତୀ

State

ଆଗରପଡ଼ା :ପୂର୍ବତନ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ,ରାଜ୍ୟପାଳ ତଥା ନବ ଉତ୍କଳର ନିର୍ମାତା ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କୁ ନିଜ ଜନ୍ମସ୍ଥାନ ଆଗରପଡ଼ାରେ ବାରମ୍ୱାର ଅସମ୍ମାନୀତ କରାଯାଉଥିବାରୁ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବ ନବୀନ ସରକାରଙ୍କ ସମୟରେ ସ୍ଥାନୀୟ କଲେଜଛକ ଠାରେ ଏକ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତୀ ନିର୍ମାଣ ହୋଇଥିଲା । ଏହି ଛକ ଦେଇ ବାଲେଶ୍ୱର, ଭଦ୍ରକ ଓ କେଉଁଝରକୁ ଯାନବାହନ ଚଳାଚଳ କରିଥାଏ । ଏଠାରେ ସବୁବେଳେ ଜନଗହଳି ମଧ୍ୟ ଲାଗି ରହିଥାଏ । ପୂର୍ବ ସରକାରରେ ଥିବା ତତ୍କାଳୀନ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ,ଆଗରପଡାର ନେତୃତ୍ୱ ପ୍ରଶାନ୍ତ ଦାଶଙ୍କ ପରି ଆଗଧାଡ଼ି ବିଜେଡି ନେତୃତ୍ୱମାନଙ୍କ ବାରମ୍ବାର ଦାବି ଫଳରେ ଏହି ସ୍ଥାନରେ ଡ.ମହତାବଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ହୋଇଥିଲା । ମାତ୍ର ତାଙ୍କ ପରି ଯୋଗ ଜନ୍ମା,ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତ୍ତୀ ବର୍ତ୍ତମାନ ପାଲଟିଛି ବିଜ୍ଞାପନ ପାଇଁ ସୁରକ୍ଷିତ ସାହାରା । ନିର୍ବାଚନ ସମୟରେ ହେଉବା ବିଭିନ୍ନ ଉତ୍ସବାଦି ହେଉ, ପ୍ରତି ସମୟରେ ହୋର୍ଡ଼ି, ବ୍ୟାନର, ପତାକା ଆଦି ଲଗା ଯାଉଥିବାର ପରିଲକ୍ଷିତ ହେଉଛି । ଏହା ଲଗା ଯାଉଥିବା ସମୟରେ ପ୍ରତିମୂର୍ତ୍ତୀ ସଂପୂର୍ଣ୍ଣ ଲୁଚି ଯାଉଛି । ପୁଣି କେତେବେଳେ ମୁହଁ ଭାଗ ଲୁଚିଯାଇ ଗୋଡ଼ ଭାଗ ଦେଖାଯାଉଛି ।

ଏହିପରି କାର୍ଯ୍ୟ ବାରମ୍ବାର କରାଯାଉଥିବାରୁ ମହତାବ ପ୍ରେମୀ, ବୃଦ୍ଧିଜୀବୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଯିବା ସହ ମନରେ ଗଭୀର ଆଘାତ ଦେଉଛି । ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଗତ ନଭେମ୍ବର ମାସରେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଆଗରପଡ଼ାରେ ମହତାବ ସ୍ମୃତି ସଂଗ୍ରହାଳୟ ନିର୍ମାଣ ହେବ ଓ ୪୦ ଫୁଟ୍ ଉଚ୍ଚତା ବିଶିଷ୍ଟ ମହତାବଙ୍କ ପ୍ରତିମୂର୍ତ୍ତୀ ସମେତ ଏହାକୁ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରାଯିବ ବୋଲି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ଓ ଏତଦ୍ ଭିନ୍ନ ମହତାବଙ୍କ ଜନ୍ମଦିନ ନଭେମ୍ବର ୨୧ ତାରିଖକୁ ଜାତୀୟସ୍ତରରେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ମଧ୍ୟ ନେଇଥିଲେ । ତେଣୁ ମୋହନ ସରକାର ଓଡ଼ିଆ ଅସ୍ମିତା ସଂପର୍କରେ ଡିଣ୍ଡିମ ପିଟୁ ଥିବାବେଳେ ମହତାବଙ୍କ ପରି ବିରଳ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତୀକୁ ବାରମ୍ବାର ବିକୃତ କରାଯାଉଥିବା ଓଡ଼ିଆ ଅସ୍ମିତାକୁ ଉପହାସ ସଦୃଶ ପାଲଟିଛି । ତେଣୁ ଏହି ପ୍ରତିମୁର୍ତ୍ତୀକୁ ବାରମ୍ବାର ବିକୃତ କରିବାର ପ୍ରୟାସରେ କୌଣସି ପ୍ରତିବନ୍ଧକ ଲଗାନଯାଏ କିମ୍ବା ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆ ନଯାଏ,ତେବେ ଆଗାମୀ ଦିନରେ ମହତାବ ପ୍ରେମୀମାନେ ଏହାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି ।