Onn 3

ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ଉଦ୍‌ଯାପିତ

State

ଶିଶୁଉଦ୍ୟାନ ଭିତରେ ପିଲାଙ୍କ ମଉଜ ମସ୍ତି ସାଙ୍ଗକୁ ପ୍ରତିଯୋଗିତା
୧୪ବର୍ଷ ପରେ ପୁଣି ପୁନର୍ଜୀବିତ ହେଲା ମୟୂରୀ
କଳାସଂସ୍କୃତିକୁ ବଞ୍ଚାଇ ରଖିବାକୁ ଉତ୍ତର ପିଢି ସୃଷ୍ଟି କରିବା ଜରୁରୀ

ବାରିପଦା: କଳାର ଶ୍ରୀକ୍ଷେତ୍ର ମୟୂରଭଞ୍ଜରେ ଉତ୍ତର ପିଢି ସୃଷ୍ଟି ପାଇଁ ଦୀର୍ଘ ୨୩ବର୍ଷ ତଳେ ଶିଶୁ ଉଦ୍ୟାନରେ ଆରମ୍ଭ ହୋଇଥିବା ଶିଶୁ ମହୋତ୍ସବ ୨୦୦୯ରୁ ଦୀର୍ଘ ୧୪ବର୍ଷ ଧରି ବନ୍ଦ ପରେ ପୁଣି ଥରେ ନୂଆ ରୂପରେ ପୁନର୍ଜୀବିତ ହେବା ଏକ ଅନନ୍ୟ ଉଦାହରଣ । ସାରା ଓଡିଶାରେ ପିଲାଙ୍କ ପାଇଁ ଅନେକ ଉତ୍ସବ ହେଉଥିବା ବେଳେ ବାରିପଦାରେ ଶିଶୁ ଉଦ୍ୟାନ ଭିତରେ ଦୁଇଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ଆୟୋଜିତ ହେବା ଏକ ନିଆରା ପରମ୍ପରା । ଯୁଗେ ଯୁଗେ ଏ ମାଟି କଳାସଂସ୍କୃତିର ସୁରକ୍ଷାରେ ମଙ୍ଗ ଧରିଥିବା ବେଳେ ଶିଶୁମାନଙ୍କ ପାଇଁ ଏଭଳି ନିଆରା ଉଦ୍ୟମ ବିରଳ ବୋଲି ପ୍ରଖ୍ୟାତ ସିନେସମୀକ୍ଷକ, ସାମ୍ବାଦିକ, ଗବେଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଲେଖକ ସୂର୍ଯ୍ୟଦେଓ କହିଛନ୍ତି । ବାରିପଦାର ଶିଶୁ ଉଦ୍ୟାନର ଐତିହାସିକ ବ୍ୟାଣ୍ଡ ଷ୍ଟାଣ୍ଡରେ ଚାଲିଥିବା ଦୁଇ ଦିନିଆ ସଂସ୍କାର ଶିଶୁ ମହୋତ୍ସବର ଉଦ୍‌ଯାପନୀ ଅବସରରେ ଶ୍ରୀ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ଅମର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଂସ୍କାର ଶିଶୁ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବାରିପଦା ପୌରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ଉଦଦେଷ୍ଟା ଶିକ୍ଷାବିତ୍ ସ୍ୱରୁପ ପଟ୍ଟନାୟକ,ଡଃ ଶ୍ୟାମ ସୁନ୍ଦର ଦାସ, କୈବଲ୍ୟ ପ୍ରସାଦ ମହାପାତ୍ର,ପ୍ରୀତି ସୁଧା ତ୍ରିପାଠୀ, ସୁଧାମୟୀ ଦାସ, ବାସନ୍ତୀଲତା ମହାପାତ୍ର, ଭାରତୀ ବେବର୍ତ୍ତା, ବସନ୍ତ ଦତ୍ତ, ମନୋଜ ଦାସ, ରଜନୀ ବାରିକ୍‌, ସଂଗୀତଜ୍ଞ ଶାନ୍ତନୁ ସିଂହ,ବରିଷ୍ଠ ଆଇନଜୀବୀ କ୍ଷେତ୍ର ମୋହନ ପଣ୍ଡା, ପରିବେଶବିତ୍ ବିବେକାନନ୍ଦ ପଟ୍ଟନାୟକ, ଉପସଭାପତି ଆର୍କିଟେକ୍ଟ ମନୋଜ କୁଅଁର, ଯୁଗ୍ମ ସଂପାଦକ ସଂଗ୍ରାମ କେଶରୀ ଭଞ୍ଜଦେଓ, ପ୍ରଭାସ ମହାନ୍ତ, ସାଇ ପ୍ରକାଶ ମହାନ୍ତି, ପ୍ରଣତୀ ପଟ୍ଟନାୟକ, ସୁଶ୍ରୀ ମହାନ୍ତି, ଶୁଭସ୍ମିତା ହୋତା, ସୁନୀତା କୁଅଁର,ସ୍ନିଗ୍ଧା, ପ୍ରିୟା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସଂସ୍କାର ଶିଶୁ ମହୋତ୍ସବ ମୟୂରୀ କମିଟିର ପ୍ରତିଷ୍ଠାତା ସଂପାଦକ ତଥା ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦୀର୍ଘ ୧୪ବର୍ଷ ପରେ ଏ ମହୋତ୍ସବ ଭିନ୍ନ ରୂପରେ ଏବଂ ନିଆରା ଢଙ୍ଗରେ ଆରମ୍ଭ ହେବାର ସବୁ ଶ୍ରେୟ ଅଭିଭାବକ ଅଭିଭାବିକା ତଥା କଳାସଂସ୍କୃତି ସାହିତ୍ୟକୁ ଭଲପାଉଥିବା ମଣିଷ ଓ କୁନି କୁନି ପିଲାଙ୍କୁ ଦେଇଥିଲେ ।

ତେବେ ଦୀର୍ଘ ୨୦ବର୍ଷ ତଳେ ଏହି ବ୍ୟାଣ୍ଡ ଷ୍ଟାଣ୍ଡରେ ସଂସ୍କାର ଶିଶୁ ଉତ୍ସବରେ ଭାଗ ନେଇ ଚମ୍ପିଆନ ହେଉଥିବା ସ୍ୱରାଜ ବାରିକ୍ ଆଜି ଓଲିଉଡର ଆଗଧାଡିର ନାୟକ ହୋଇଥିବାରୁ ଏ ମଞ୍ଚ ତାଙ୍କ ପାଇଁ ଗର୍ବିତ ବୋଲି ଶ୍ରୀ ଚୌଧୁରୀ କହିବା ସହିତ ଆଗକୁ ଏ ମଞ୍ଚ ଏମିତି ଅନେକ ନୂତନ ପ୍ରତିଭାଧର ଙ୍କୁ ସୃଷ୍ଟି କରିବାରେ ସକ୍ଷମ ହେଉ ବୋଲି ମାଆ ଅମ୍ବିକାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶିକ୍ଷକ ସୋମନାଥ ସିଂହ, ଦର୍ଶନା ଭଞ୍ଜଦେଓ, ବିପ୍ଳବ ଦାଶ, କିଚକ ବାରିକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୩ ତାରିଖରେ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ପିଲାମାନେ ଦୁଇଦିନ ଯାକ ଏକାଠି ଖାଇ ପିଇ ମଉଜମସ୍ତି କରିବା ସହିତ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱର ସହ ନିଜ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇଥିଲେ । ପ୍ରତିଭା ଅନ୍ୱେଷଣର ଅନନ୍ୟ ମଞ୍ଚ ଭାବେ ସ୍ୱିକୃତ ଏହି ମହୋତ୍ସବ ମଞ୍ଚରେ ଗାୟତ୍ରୀ ମନ୍ତ୍ରପାଠ, ହନୁମାନ ଚାଳିଶା ପାଠ, ଗୀତାଶ୍ଳୋକ ଆବୃତ୍ତି , ଚିତ୍ରାଙ୍କନ, ପୋଷ୍ଟର ଆଣ୍ଡ ସ୍ଲୋଗାନ, ମ୍ୟୁଜିକ୍ ଚେୟାର, ବାଦ୍ୟଯନ୍ତ୍ର ବାଦନ, କବିତା ଆବୃତି, ପରିସ୍ଥିତିର ମୁକାବିଲା, ଯୋଗ, କୌତୁକ ବେଶ , ସଂଗୀତ, ନୃତ୍ୟ ଏମିତି ଅନେକ ପ୍ରକାରର ପ୍ରତିଯୋଗିତା ରହିଥିଲା । ପ୍ରତିଯୋଗୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଦୁଇଦିନ ଯାକ ବୁଲାବୁଲି ଖେଳ କୁଦ ମଜାମସ୍ତି କରି ଏହି ମୋହତ୍ସବକୁ ରଙ୍ଗୀନ କରିଦେଇଥିଲେ । ଏହି ଅବସରରେ ସାରେଗାମାପାର ଲିଟିଲ ଚମ୍ପିଆନ ଥିବା କଣ୍ଠଶିଳ୍ପୀ ହଂସରାଜଙ୍କ କଣ୍ଠରେ ଆସିଥିଲି କାଳିଆ ତୋ’ ଦରଶନ ପାଇଁରେ ଗୀତଟି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ଶିକ୍ଷକ ଜଗନ୍ନାଥ ସାହୁଙ୍କ ମ୍ୟାଜିକ୍ ସୋରେ ପିଲାମାନେ ଭରପୁର ଆନନ୍ଦ ନେଇଥିଲେ । ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଟ୍ରଫି ଏବଂ ଉପହାର ଦିଆ ଯାଇଥିଲା ବେଳେ ସମସ୍ତ ସ୍ୱେଚ୍ଛା ସେବୀ, କାର୍ଯ୍ୟକ୍ରମକୁ ସିଧାପ୍ରସାରଣ କରୁଥିବା ବ୍ଲୁସ୍କାୟ ଏବଂ ମିଡିଆ କ୍ରିଏସନ, ଲାଇଟ ଆଣ୍ଡ ସାଉଣ୍ଡ ଏବଂ ଫଟୋଗ୍ରାଫି କରୁଥିବା କ୍ୟାମେରା ଆଇକୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।