Onn 3

ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ଦାବି ନେଇ ମାନବ ଶୃଙ୍ଖଳ ଧାରଣା ଅନୁଷ୍ଠିତ

State

ବାରିପଦା: ବାର ଗୋଟି ମୁଣ୍ଡା ସମ୍ପ୍ରଦାୟର ସାମାଜିକ ସଂଗଠନ ଗୁଡିକୁ ନେଇ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ଓ ଏହି ଭାଷାର ଉନ୍ନତି ପାଇଁ ଗଠିତ ସଂଗଠନ “ମୁଣ୍ଡାରୀ ଭାଷା ସମନ୍ୱୟ ସମିତି” ର ଆହ୍ବାନ କ୍ରମେ ଆଜି ମହାନ୍ ଆଦିବାସୀ ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ୧୪୮ତମ ଜନ୍ମଜୟନ୍ତୀ ଅବସରରେ ଏକ ବିଶାଳ ଜନସମାଗମ ମାଧ୍ୟମରେ ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ପାଇଁ ମହାମହିମ ରାଷ୍ଟ୍ରପତି ଏବଂ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ମୁଣ୍ଡାରୀ ଭାଷା ସମନ୍ୱୟ ସମିତିର ଆବାହକ ବିରବଲ ସିଂ ଜଣାଇଛନ୍ତି କି,ମୁଣ୍ଡାରୀ ଭାଷା ହେଉଛି ଭାରତବର୍ଷର ସର୍ବପୁରାତନ ଆଦିବାସୀ ଭାଷା ଏବଂ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ଭାଷା ବ୍ୟବହାର କରନ୍ତି । ଓଡିଶା, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ, ପଶ୍ଚିମବଙ୍ଗ, ତ୍ରିପୁରା ପ୍ରଭୃତି ରାଜ୍ୟଗୁଡ଼ିକରେ ଏହି ମୁଣ୍ଡାରୀ ଭାଷାଭାଷୀ ଲୋକ ବାସ କରୁଛନ୍ତି । ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ଵୀକୃତି ଦେବା ନିମନ୍ତେ ମୁଣ୍ଡାରୀ ସମାଜର ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ବହୁବାର ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ସରକାର ତାହାକୁ ଅବହେଳା ଏବଂ ଅଣଦେଖା କରିଆସୁଛନ୍ତି । ତେଣୁ ବିଭିନ୍ନ ଅଞ୍ଚଳରେ ଥିବା ମୁଣ୍ଡାରୀ ଭାଷାଭାଷୀ ଲୋକମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ଫଳରେ ତୃଣମୂଳ ସ୍ତରରେ ଥିବା ମୁଣ୍ଡାରୀ ଭାଷାଭାଷୀ ଲୋକମାନେ ଉତ୍ତ୍ୟକ୍ତ ହୋଇ ସରକାରଙ୍କୁ ଅସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ପୋଡାଅସ୍ତିଆସ୍ଥିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ବହୁ ସଂଖ୍ୟକ ଆଦିବାସୀ ଏକାଠି ହୋଇ ପାରମ୍ପାରିକ ପୂଜାର୍ଚ୍ଚନା କରିଥିଲେ। ପାହାନ୍ ବସନ୍ତ କୁମାର ସିଂ ସମେତ ଦଶ ଜଣ ପାହାନ୍ ଏହି ପୂଜାର୍ଚ୍ଚନା ପରିଚାଳନା କରିଥିଲେ । ଏହାପରେ ମଧୁବନସ୍ଥିତ ଅଲ୍ ଗୁରୁ ପଣ୍ଡିତ ରୋହିଦାସ ସିଂ ନାଗଙ୍କ ପ୍ରତିମୂର୍ତ୍ତୀରେ ପୂଜାର୍ଚ୍ଚନା କରି ମଧୁବନ ଠାରୁ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକ ମାନବ ଶୃଙ୍ଖଳ କରି ୨୪୮ ଗୋଟି ଗ୍ରାମରୁ ପୃଥକ ଭାବରେ ଗ୍ରାମବାସୀଙ୍କ ସ୍ବାକ୍ଷର ସମ୍ବଳିତ ଦାବିପତ୍ର ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ବିଭାଗ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶାମାଖୁଣ୍ଟା ବ୍ଲକ ୪୯ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ସିଂ ଏବଂ ବଡସାହି ବ୍ଲକ ୨୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ମୁଣ୍ଡାରୀ ଭାଷା ସମନ୍ୱୟ ସମିତି ଜିଲ୍ଲା ସମ୍ପାଦକ ବୁଧିଆ ସିଂ, ଅନ୍ନପୂର୍ଣ୍ଣା ସିଂ, ଶଶିଧର ସିଂ, ରାମେଶ୍ବର ସିଂ, ଅଜିତ କୁମାର ସିଂ, ଚନ୍ଦ୍ରମୋହନ ମୁଣ୍ଡାରୀ, ମୁଣ୍ଡାରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଲକାନ୍ ପ୍ରଭୁଦୟାଲ ନାଗ, ରାକେଶ ସିଂ,ଧର୍ମପଦ ସିଂ, ମନୋରଞ୍ଜନ ସିଂ ଓ ମୟୂରଭଞ୍ଜ ଜିଲ୍ଲାର ୧୯ ଗୋଟି ବ୍ଲକର ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା, ଏଥିସହିତ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା ସମସ୍ତ ଓ୍ବାର୍ଡମେମ୍ବର, ନାଏବ ସରପଞ୍ଚ, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ପ୍ରଭୃତି ଲୋକପ୍ରତିନିଧିମାନେ ମଧ୍ୟ ସହଯୋଗ କରିଛନ୍ତି ।